ଭୁବନେଶ୍ବର: ୱେଭ୍‌ସ ସମ୍ମିଳନୀରେ ଯୋଗଦେବାକୁ ମୁମ୍ବାଇ ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ବିଶ୍ବର ଅଗ୍ରଣୀ ଇଣ୍ଟରନେଟ୍ କମ୍ପାନି ଗୁଗୁଲ୍‌ର ପ୍ରତିନିଧିଙ୍କୁ ସେ ଭେଟି ଓଡ଼ିଶା ସହ ଗୁଗଲ୍‌ କିଭଳି ସହଯୋଗିତା କରିପାରିବ,  ସେ ବିଷୟରେ ଆଲୋଚନା କରିଥିଲେ। ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟି ଭି ନରେନ୍ଦ୍ରନ,  ଜୈନ୍ ଇରିଗେସନ୍‌ର ଉପାଧ୍ୟକ୍ଷ ଓ ସିଇଓ ଅନିଲ ଭବର୍‌ଲାଲ୍‌ ଜୈନ, ସାପୁର୍‌ଜୀ ପାଲୋଞ୍ଜି ଗ୍ରୁପ୍‌ର ସାପୁର୍‌ଜୀ ପି ମିସ୍ତ୍ରୀ, ଜେଏସ୍‌କେ ଇଣ୍ଡଷ୍ଟ୍ରିଜ୍‌ର ଏମ୍‌ଡି ଅନିଷ ଶାହ ଓ ୱାରି ଗ୍ରୁପ୍‌ର ଅଧ୍ୟକ୍ଷ ହୀତେଶ ଦୋଷୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମାଝୀଙ୍କୁ ଭେଟିଥିଲେ। 

Advertisment

ଏଥି ସହିତ, ମୁମ୍ବାଇର ଜିଓ ୱାର୍ଲଡ୍‌ ସେଣ୍ଟରରେ ଆୟୋଜିତ ବିଶ୍ବ ଅଡିଓ ଭିଜୁଆଲ୍ଓ ଏଣ୍ଟରଟେନ୍‌ମେଣ୍ଟ୍ ସମ୍ମିଳନୀ (ୱେଭ୍‌ସ) ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ‘ସ୍ବଦେଶୀ କ୍ରୀଡ଼ା-ଭାରତରୁ ବିଶ୍ବ ମଞ୍ଚ ପର୍ଯ୍ୟନ୍ତ’ ଶୀର୍ଷକ ଉପରେ ଆୟୋଜିତ ଏକ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ସେ ସ୍ବଦେଶୀ କ୍ରୀଡ଼ାକୁ ବିଶ୍ବସ୍ତରୀୟ ମାନ୍ୟତା ମିଳୁ ବୋଲି ଆହ୍ବାନ ଦେଇଥିଲେ। ସେ ଭାରତୀୟ ପାରମ୍ପରିକ କ୍ରୀଡ଼ାର ସାଂସ୍କୃତିକ, ସାମାଜିକ ଓ ବିଶ୍ବବ୍ୟାପୀ ମହତ୍ବ ଉପରେ ଆଲୋକପାତ କରିଥିଲେ।  ଖେଳରେ ସଂସ୍କୃତି ଅଛି ଓ ସଂସ୍କୃତିରେ ଅସ୍ମିତା ଅଛି ବୋଲି ସେ କହିଥିଲେ। ବିଶ୍ବର ପ୍ରମୁଖ କ୍ରୀଡ଼ା ମହାସଂଘ ଓ କେନ୍ଦ୍ର ସରକାରଙ୍କ ସହ କାର୍ଯ୍ୟ ଜାରି ରହିବ ବୋଲି ସେ କହିଥିଲେ।