ଭୁବନେ‌ଶ୍ବର: ଦେଶରେ ଗ୍ୟାସ କମ୍ପାନି ଗୁଡ଼ିକ ଶନିବାର ସିଏନ୍‌ଜି ଓ ପିଏନ୍‌ଜି ଦାମ୍‌ ବଢ଼ାଇଛନ୍ତି। ପ୍ରାୟ ୪ ମାସ ହେଲା ପେଟ୍ରୋଲ ଏବଂ ଡିଜେଲ ଦରକୁ ଅପରିବର୍ତ୍ତିତ ରଖାଯାଇଥିବାବେଳେ ସିଏନ୍‌ଜି ଓ ପିଏନ୍‌ଜି ଦାମ କିନ୍ତୁ ବଢ଼ିଚାଲିଛି। ଭୁବନେଶ୍ବରରେ ଗେଲ୍‌ ଯୋଗାଇ ଦେଉଥିବା ସିଏନ୍‌ଜି ମୂଲ୍ୟ କିଲୋଗ୍ରାମ ପିଛା ୧ ଟଙ୍କା ୭୪ ପଇସା ଆଜି ବଢ଼ାଇଛି। ଶୁକ୍ରବାର କିଲୋଗ୍ରାମ ପିଛା ସିଏନ୍‌ଜି ମୂଲ୍ୟ ୯୩ ଟଙ୍କା ୨ ପଇସା ଥିଲା। କିନ୍ତୁ ଆଜି ଏହା ୯୪ ଟଙ୍କା ୭୬ ପଇସାରେ ପହଞ୍ଚି ଯାଇଛି। ତେବେ ଘରକୁ ପାଇପ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଗ୍ୟାସ୍‌ ବା ପିଏନ୍‌ଜି ମୂଲ୍ୟ ଏସୟୁଏମ୍‌ ପିଛା ୪ ଟଙ୍କା ୨୧ ପଇସା ବଢ଼ିଛି। ଶୁକ୍ରବାର ଡୋମେଷ୍ଟିକ ପିଏନଜି ମୂଲ୍ୟ ଏସ୍‌ୟୁଏମ୍‌ ପିଛା ୫୭ ଟଙ୍କା ୯୭ ପଇସା ଥିଲା। ଆଜି ଏହା ୬୨ ଟଙ୍କା ୧୮ ପଇସାକୁ ବୃଦ୍ଧି ପାଇଛି।
ଦେଶରେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିଛି। ଏଥିଯୋଗୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି।

Advertisment

ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ବାରମ୍ବାର ସୁଧ ହାର ବୃଦ୍ଧି କରିବାରେ ଲାଗିଛି। ସରକାରୀ ତେଲ କମ୍ପାନିଗୁଡ଼ିକ ମଧ୍ୟ ୪ ମାସ ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ସଂଶୋଧନ ଆଣିନାହାନ୍ତି। ଏଭଳି ସ୍ଥିତିରେ ସିଏନଜି ଓ ପିଏନଜି ମୂଲ୍ୟବୃଦ୍ଧି ଉଭୟ ଗୃହିଣୀ ଏବଂ ଗାଡ଼ି ଚାଳକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପେଟ୍ରୋଲ ଏବଂ ଡିଜେଲରେ ପରିବେଶ ପ୍ରତି ଅଧିକ କ୍ଷତି ପହଞ୍ଚୁଛି। ଏଥିପାଇଁ ଗ୍ୟାସ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଗ୍ୟାସ ଦାମ ବଢ଼ିବାରେ ଲାଗିଥିବାରୁ ଏହାର ବ୍ୟବହାର ଉପରେ ପ୍ରଭାବ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଦାମ ବଢ଼ିଯାଇଛି। ଏହାର ପ୍ରଭାବ ଭାରତ ଭଳି ଆମଦାନିକାରୀ ଦେଶ ଉପରେ ଅଧିକ ମାତ୍ରାରେ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଜାନୁଆରିରୁ ଆଜି ଭିତରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୧୭ ଟଙ୍କା ୬୩ ପଇସା ବୃଦ୍ଧି ପାଇଛି। ଅର୍ଥାତ୍‌ ବିଗତ ୧୦ମାସରେ ସିଏନଜି ପାଖାପାଖି ୨୩ ପ୍ରତିଶତ ମହଙ୍ଗା ହୋଇଯାଇଛି।

publive-image

ସିଏନଜି ମୂଲ୍ୟବୃ୍ଦ୍ଧି ଫଳରେ ଏହା ଉପରେ ନିର୍ଭରଶୀଳ ପରିବହନ କ୍ଷେତ୍ର ବିଶେ‌ଷମାତ୍ରାରେ ପ୍ରଭାବିତ ହୋଇଛି। ଅଧିକ ଲାଭ ଆଶାରେ ପୂର୍ବରୁ ସିଏନ୍‌ଜି ଅଟୋ କିଣିଥିବା ବ୍ୟକ୍ତିମାନେ ଏବେ ନାକରେ କାନ୍ଦୁଛନ୍ତି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଂଜୟ ଲାଠଙ୍କ କହିବାନୁଯାୟୀ ଡିଜେଲ ତୁଳନାରେ ସିଏନଜି ମୂଲ୍ୟ ଗତ କିଛିବର୍ଷ ତଳେ ପାଖାପାଖି ୧୮ରୁ ୨୦ ଟଙ୍କା କମ୍‌ ଥିଲା। କିନ୍ତୁ ଏବେ ଏହାର ମୂଲ୍ୟ ପାଖାପାଖି ଡିଜେଲର ନିକଟତର ହୋଇଛି। ଏଥିଯୋଗୁ ସିଏନଜିରେ ଚାଲୁଥିବା ଅଟୋ ଏବଂ ଟ୍ୟାକ୍ସି ମାଲିକମାନେ ଅସୁବିଧାରେ ପଡ଼ିଛନ୍ତି ବୋଲି ସେ ମତ ଦେଇଛନ୍ତି।

ଅଟୋଚାଳକ ଅଡ଼ୁଆରେ
ସିଏନ୍‌ଜିରେ ଚାଲୁଥିବା ଅଟୋ କିଣିଲେ ଖର୍ଚ୍ଚ କମ ହେବ। ଅଟୋଚାଳକ ବା ମାଲିକମାନେ ଏହାଦ୍ବାରା ଅଧିକ ଲାଭ ପାଇବେ। ସରକାରଙ୍କ ପକ୍ଷରୁ ଏଭଳି ପ୍ରଲୋଭନ ଦେଖାଇ ଲୋକଙ୍କୁ ସିଏନଜିଚାଳିତ ଅଟୋ କିଣିବା ଲାଗି ପ୍ରବର୍ତ୍ତାଯାଇଥିଲା। କିନ୍ତୁ ସିଏନଜିର ନିୟମିତ ମୂଲ୍ୟବୃଦ୍ଧି ଏବଂ ଯୋଗାଣ ନେଟୱର୍କ ଆବଶ୍ୟକ ମାତ୍ରାରେ କରା ନଯିବା ଦ୍ବାରା ଏମାନେ ଏବେ ବଡ଼ ଅସୁବିଧାରେ ପଡ଼ିଛନ୍ତି। ନିଖିଳ ଓଡ଼ିଶା ଅଟୋମାଲିକ ସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲଙ୍କ କହିବାନୁଯାୟୀ, ମାଲିକ ଏବଂ ଚାଳକମାନେ ଏବେ କାନ୍ଦୁଛନ୍ତି। ସରକାରଙ୍କ ପକ୍ଷରୁ ମୂଲ୍ୟ ଏବଂ ଯୋଗାଣ ସଂପର୍କରେ ଯେଉଁସବୁ ପ୍ରତିଶ୍ରୁତି ପୂର୍ବରୁ ଦିଆଯାଇଥିଲା ତାହା ପୂରଣ କରାଯାଉ ନାହିଁ। ଏପରିକି ଅନେକ ସିଏନଜି ଅଟୋଚାଳକ କବାଡ଼ିଆ ମୂଲ୍ୟରେ ସେମାନଙ୍କ ଅଟୋ ବିକ୍ରି କରିବାକୁ ମନ ବଳାଇଲେଣି ବୋଲି ସେ କହିଛନ୍ତି। ମୂଲ୍ୟ ହ୍ରାସ ସହିତ ସହରର ଅଧିକରୁ ଅଧିକ ‌ସ୍ଥାନରେ ସିଏନ୍‌ଜି ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି।