ପେଟ୍ରୋଲ୍ ପାଇଁ ସିଏନ୍‌ଜି ଗାଡ଼ି ଗ୍ରହଣୀୟତା ବଢ଼ିବ

ଭୁବନେଶ୍ବର: ପେଟ୍ରୋଲ୍ ଦର ନିୟମିତ ବୃଦ୍ଧି ପାଉଥିବାରୁ ସିଏନ୍‌ଜି ଓ ପେଟ୍ରୋଲ୍ ଦର ଭିତରେ ଥିବା ଅନ୍ତର ଧୀରେ ଧୀରେ ବଡ଼ ହେବାରେ ଲାଗିଛି। ପେଟ୍ରୋଲ୍ ତୁଳନାରେ ସିଏନ୍‌ଜି ଶସ୍ତାରେ ଉପଲବ୍ଧ ହେଉଛି। ପେଟ୍ରୋଲ୍ ଦର ମହଙ୍ଗା ରହୁଥିବାରୁ ଦେଶରେ ସିଏନ୍‌ଜି ଗାଡ଼ିର ଗ୍ରହଣୀୟତା ବଢ଼ିବ ବୋଲି ‌ରେଟିଂ ଏଜେନ୍ସି କ୍ରିସିଲ୍ ପୂର୍ବାନୁମାନ ଲଗାଇଛି। ଦେଶରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ଏବେ ୮୫ ଟଙ୍କାରୁ ଅଧିକ ରହିଛି। ଶେଷ ଥର ପାଇଁ ୨୦୧୮ ଅକ୍ଟୋବରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦.୫ ଡଲାର ଥିବା ବେଳେ ପେଟ୍ରୋଲ୍ ଦାମ୍ ଏହି ସ୍ତରରେ ଥିଲା। ଏବେ କିନ୍ତୁ ସେହି ଦାମ୍ ୫୫ ଡଲାର ସ୍ତରକୁ ଖସିଥିଲେ ମଧ୍ୟ ପେଟ୍ରୋଲ୍ ମୂଲ୍ୟ ହ୍ରାସ ପାଉନାହିଁ। ଏକ ଲିଟର ପେଟ୍ରୋଲ୍ ଉପରେ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ଟିକସ ଲଗାଇଛନ୍ତି। ୨୦୧୯ରେ ପେ‌ଟ୍ରୋଲ୍‌ର ବିକ୍ରି ମୂଲ୍ୟରେ ଟିକସ ଭାଗ ୪୭% ଥିଲା। ଏବେ ତାହା ୬୦%ରୁ ଅଧିକ ରହିଛି। ନିକଟ ଭବିଷ୍ୟତରେ ଟିକସ ହ୍ରାସ ପାଇବାର କୌଣସି ସମ୍ଭାବନା ଦେଖାଯାଉନାହିଁ।
ଇତି ମଧ୍ୟରେ ଶକ୍ତି କ୍ଷେତ୍ରରେ ଗ୍ୟାସ୍‌ର ଭାଗ ବଢ଼ାଇବା ଲାଗି ସରକାର ସହର ଗ୍ୟାସ୍‌ ବିତରଣ ନେଟ୍‌ୱର୍କକୁ ତ୍ବରାନ୍ବିତ କରିଛନ୍ତି।

ଏହି ନେଟ୍‌ୱର୍କ‌ରେ ସିଏନ୍‌ଜିର ଚାହିଦା ସର୍ବାଧିକ ୪୦% ରହିଛି। ଏବେ ଦେଶରେ ବର୍ଷକୁ ବିକ୍ରି ହେଉଥିବା ମୋଟ୍ ଗାଡ଼ି ମଧ୍ୟରେ ସିଏନ୍‌ଜି ଗାଡ଼ିର ଭାଗ ମାତ୍ର ୫% ରହିଛି। ମାତ୍ର ବିଏସ୍‌-୬ ନିୟମ ଲାଗୁ ହେବା ପରେ ଡିଜେଲ୍ ଗାଡ଼ିର ଦାମ୍ ବହୁତ ବଢ଼ିଛି। ବିଗତ ତିନି ବର୍ଷ ଭିତରେ ସିଏନ୍‌ଜି ବିକ୍ରି ବାର୍ଷିକ ୧୧% ହାରରେ ବଢ଼ୁଛି।

ସମ୍ବନ୍ଧିତ ଖବର