ନୂଆଦିଲ୍ଲୀ: ଛାତ୍ରଛାତ୍ରୀ ଓ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନଙ୍କୁ ବିଭ୍ରାନ୍ତ କରୁଥିବା କୋଚିଂ ସେଣ୍ଟରଗୁଡ଼ିକର ବିଜ୍ଞାପନ ଉପରେ ଲଗାମ କଷିବା ଲାଗି ଗାଇଡ୍ଲାଇନ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଚିଠା ଗାଇଡ୍ଲାଇନ୍ ଅନୁସାରେ କୌଣସି କୋଚିଂ ସେଣ୍ଟର୍ ବିଜ୍ଞାପନରେ ୧୦୦ ପ୍ରତିଶତ ଚୟନ, ୧୦୦% ନିଯୁକ୍ତି ଗ୍ୟାରେଣ୍ଟି କିମ୍ବା ପ୍ରିଲିମିନାରି ଓ ମେନ୍ ପରୀକ୍ଷା ଲାଗି ଗ୍ୟାରେଣ୍ଟି ଭଳି ଶବ୍ଦ ବ୍ୟବହାର କରିବେନି। ବିଜ୍ଞାପନରେ ଯେଉଁ ସଫଳ ଛାତ୍ରଛାତ୍ରୀଙ୍କ ଫଟୋ ରହିବ ସେମାନଙ୍କ ରୢାଙ୍କ, ସେ କେଉଁ ପାଠ୍ୟକ୍ରମରେ ନାମ ଲେଖାଇଥିଲେ, ପାଠ୍ୟକ୍ରମ କେତେ ଦିନିଆ ଥିଲା ଏବଂ ତାହା ନିଃଶୁଳ୍କ ନା ଶୁଳ୍କଭିତ୍ତିକ ଥିଲା ତାହା ସ୍ପଷ୍ଟ ଭାବେ ଲେଖିବେ।
ବିଜ୍ଞାପନର ଦାବି ଯେଉଁ ଭଳି ବଡ଼ ଅକ୍ଷର ଲେଖାଯାଉଛି, ଗୁରୁତ୍ବପୂର୍ଣ୍ଣ ସୂଚନାଗୁଡ଼ିକୁ ମଧ୍ୟ ସମାନ ଅକ୍ଷର ଲେଖିବାକୁ ହେବ। ସେହି ସୂଚନା ସ୍ପଷ୍ଟ ଭାବେ ଦେଖାଯିବା ଦରକାର। କୋଚିଂ ସେଣ୍ଟର ବିଜ୍ଞାପନର ଗାଇଡ୍ଲାଇନ୍ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଚିଠା ଗାଇଡ୍ଲାଇନ୍ର ରୂପରେଖ ପ୍ରସ୍ତୁତ ହୋଇଛି। ଏଥିରେ କୁହାଯାଇଛି ଯେ ଗାଇଡ୍ଲାଇନ୍ର ଉଲ୍ଲଂଘନ ହେଲେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ରେ ଥିବା ବ୍ୟବସ୍ଥା ଅନୁସାରେ କୋଚିଂ ସେଣ୍ଟର ଉପରେ ଜରିମାନା ଲାଗୁ କରାଯିବ।