କୋଇଲା ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଆଇଇବିଏ

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା ଉତ୍କଟ କୋଇଲା ସଙ୍କଟର ସମାଧାନ କରିବା ଲାଗି ଆସୋସିଏସନ୍ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍ ଏଣ୍ଟ୍ରପ୍ରେନେୟୁଅର୍ସ ଅଫ୍‌ ଭୁବନେଶ୍ବର (ଏଆଇଇବିଏ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି। ରାଜ୍ୟରେ ବ୍ୟାବସାୟିକ ବିକାଶ, ରାଜସ୍ବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ କୋଇଲା ସଙ୍କଟ ଗୁରୁତର ଭାବେ ପ୍ରଭାବିତ କରିଛି ବୋଲି ସଂଘର ସଭାପତି ଅଳିକିଶୋର ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଲେଖିଥିବା ଚିଠିରେ ଅବଗତ କରିଛନ୍ତି।

ରାଜ୍ୟର କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ (ସିପିପି)ଗୁଡ଼ିକ ପାଖରେ ନିର୍ଧାରିତ ୧୫ ଦିନ ବଦଳରେ ମାତ୍ର ୨-୩ ଦିନର ଆବଶ୍ୟକତା ପୂରଣ କରୁଥିବା ଭଳି କୋଇଲା ମହଜୁଦ ରହିଛି। ଏଭଳି ସଙ୍କଟ ସତ୍ତ୍ବେ ଅଣ ବିଦ୍ୟୁତ କ୍ଷେତ୍ରର କୋଇଲାକୁ ବିଦ୍ୟୁତ କ୍ଷେତ୍ର ଲାଗି ଯୋଗାଇବା ଜାରି ରଖିବାକୁ ପଡ଼ିବ ବୋଲି ‌କୋ‌ଲ୍ ଇଣ୍ଡିଆ/ ଏମ୍‌ସିଏଲ୍‌ ଚଳିତ ସପ୍ତାହରେ କହିଛନ୍ତି। ୨୦୨୧ ପରଠାରୁ ସିପିପିଗୁଡ଼ିକ ସେମାନଙ୍କ ଆବଶ୍ୟକତାର ମାତ୍ର ୪୦-୫୦% କୋଇଲା ପାଇଛନ୍ତି। ଫଳରେ ୧୫୦୦ ରେକ୍‌ରୁ ଅଧିକ କୋଇଲା ବକେୟା ରହିଛି। କୋଇଲା ସଙ୍କଟ ଜାରି ରହିଲେ ଏମ୍ଏସ୍‌ଏମ୍ଇ ଶିଳ୍ପରେ ନିଯୁକ୍ତି ପାଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ୧୫,୦୦୦ କୋଟି ଟଙ୍କାର ରପ୍ତାନି ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର