ଭୁବନେଶ୍ବର: ବହୁ ଶିଳ୍ପ ସଂସ୍ଥା ନିଜ ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ଲାଗି ସ୍ଥାପନ କରିଥିବା କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ (ସିପିପି) ଏବେ କୋଇଲା ସଙ୍କଟ ଦେଇ ଗତି କରୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ଲାଗି ‘ଦି ଇଣ୍ଡିଆ କ୍ୟାପ୍‌ଟିଭ୍ ପାୱାର ପ୍ରଡ୍ୟୁସର୍ସ ଆସୋସିଏସନ୍’ (ଆଇସିପିପିଏ) ପକ୍ଷରୁ କେନ୍ଦ୍ର ସରକାର, ରେଳବାଇ ଓ କୋଇଲା ମନ୍ତ୍ରାଳୟର ହସ୍ତକ୍ଷେପ ଲୋଡ଼ାଯାଇଛି। ରେକ୍‌ ଅଭାବ ଏବେ ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସିପିପିମାନଙ୍କ ଲାଗି ଏବେ ଉପଲବ୍ଧ ଥିବା ରେକ୍ ୪୦-୫୦% ସ୍ତରରେ ରହିଛି। ଏହି ସମସ୍ୟାର ତ୍ବରିତ ସମାଧାନ ନହେ‌ଲେ ଜାତୀୟ ସମ୍ପତ୍ତିକୁ ବଡ଼ ଧରଣର କ୍ଷତି ହେବ ବୋଲି ଶିଳ୍ପ ସଂଘ ସତର୍କ କରାଇ ଦେଇଛି।

Advertisment

କିଛି ମାସ ପୂର୍ବେ କୋଇଲାର ଘୋର ଅଭାବ ଦେଖାଦେବାରୁ ବିଦ୍ୟୁତ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ଲାଗି ଅନ୍ୟ କ୍ଷେତ୍ରଗୁଡ଼ିକୁ ଦିଆଯାଉଥିବା କୋଇଲା ଯୋଗାଣ ବନ୍ଦ କରାଯାଇଥିଲା କିମ୍ବା ହ୍ରାସ କରାଯାଇଥିଲା। ଏହା ଦ୍ବାରା ସିପିପିଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। ହଠାତ ସେମାନଙ୍କ ‌ପାଇଁ ଥିବା କୋଇଲାକୁ ଅନ୍ୟତ୍ର ପଠାଇ ଦିଆଯିବାରୁ ନିଜସ୍ବ ସିପିପି ଉପରେ ନିର୍ଭରଶୀଳ ଥିବା କଂପାନିଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିର ମୁକାବିଲା ଲାଗି ସେମାନଙ୍କ ପାଖରେ କୌଣସି ଯୋଜନା ମଧ୍ୟ ନାହିଁ। ସେଥିପାଇଁ କିଛି ସିପିପିରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବା ବେଳେ ଆଉ କେତେକ ପ୍ଲାଣ୍ଟ୍‌ରେ ବନ୍ଦ ହୋଇଯାଇଛି।

କୋଲ୍‌ ଲିଙ୍କେଜ୍ ବ୍ୟବସ୍ଥା ଓ କୋଲ୍‌ ଇଣ୍ଡିଆ କରୁଥିବା ନିଲାମରୁ ସିପିପି ଭିତ୍ତିକ ଶିଳ୍ପ ସଂସ୍ଥାଗୁଡ଼ିକ ୫୦% କମ୍ କୋଇଲା ପାଉଛନ୍ତି। ଏହା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଥିବା ଏକ କ୍ଷେତ୍ର ହେଉଛି ଆଲୁମିନିୟମ ଶିଳ୍ପ। ଏହି ଶିଳ୍ପରେ ନିରନ୍ତର ବିଦ୍ୟୁତ ଯୋଗାଣ ନିହାତି ଜରୁରୀ। କୋଇଲା ଯୋଗାଣ ପ୍ରଭାବିତ ହେବା ପରେ ଆଲୁମିନିୟମ କାରଖାନାଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଏହାର ପ୍ରଭାବରେ ଆଲୁମିନିୟମ ଦାମ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି। ବିଦ୍ୟୁତ ସଙ୍କଟ ଯୋଗୁଁ ଯଦି ଆଲୁମିନିୟମ କାରଖାନା ଥରେ ବନ୍ଦ ହୋଇଯିବ ତେବେ ତାହାକୁ ପୁଣି ଥରେ ଚାଲୁ କରିବା ଲାଗି ଅତିକମ୍‌ରେ ୧୨ ମାସ ସମୟ ଲାଗିବ। ଏହା ଏହି କ୍ଷେତ୍ରରେ କାମ କରୁଥିବା ୮ ଲକ୍ଷ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବ। ବ୍ୟାଙ୍କଗୁଡ଼ିକ ଦେଇଥିବା ୧ ଲକ୍ଷ କୋଟି ଟଙ୍କାର ଋଣ ପ୍ରତି ବିପଦ ଦେଖାଦେବ ଓ ଦେଶକୁ ୯୦ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା କ୍ଷତି ସହିବାକୁ ପଡ଼ିବ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି।

ଆଲୁମିନିୟମ କଂପାନିଗୁଡ଼ିକ ନିଜ ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ଲାଗି ପ୍ରାୟ ୫୦ ହଜାର କୋଟି ଟଙ୍କା ନିବେଶରେ ୯୪୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇପାରିବା ଭଳି କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ ସ୍ଥାପନ କରିଛନ୍ତି। ଏହି ପ୍ଲାଣ୍ଟ୍‌ଗୁଡ଼ିକରେ ଉତ୍ପାଦନ ଜାରି ରଖିବା ଲାଗି ଦୈନିକ ୧.୫ ଲକ୍ଷ ଟନ୍ କୋଇଲା ଦରକାର। ଏହି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ତ୍ବରିତ ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ କୋଇଲା ମନ୍ତ୍ରଣାଳୟକୁ ନିବେଦନ କରାଯାଇଛି।