କୋଇଲା ସଙ୍କଟ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ, ୧୦% ଆମଦାନି କୋଇଲା ବ୍ୟବହାର ପାଇଁ ଅନୁମତି

ଏକ୍ସଚେଞ୍ଜ୍‌ରେ ବିଜୁଳି ବିକୁଥିବା ରାଜ୍ୟଙ୍କୁ ତାଗିଦ୍, ସଙ୍କଟର ପ୍ରମୁଖ କାରଣ ବର୍ଷା

ନୂଆଦିଲ୍ଲୀ: ଦେଶ ଗୁରୁତର କୋଇଲା ଓ ବିଜୁଳି ସଙ୍କଟ ଦେଇ ଗତି କରୁଥିବା ବେଳେ ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ପାୱାର ପ୍ଲାଣ୍ଟ୍‌ରେ ବ୍ୟବହାର ହେଉଥିବା କୋଇଲାରେ ଆମଦାନି ହୋଇ ଆସିଥିବା ୧୦% କୋଇଲା ମିଶାଇବାକୁ କଂପାନିଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥିତି ଉପରେ ନଜର ରଖିଛି। କୋଇଲା ମନ୍ତ୍ରୀ ମଧ୍ୟ ସ୍ଥିତିର ସମୀକ୍ଷା କରୁଛନ୍ତି। କୋଇଲା ସଙ୍କଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗମ୍ଭୀରତାର ସହ ନେଇଛନ୍ତି। ଏହାର ଦୀର୍ଘସ୍ଥାୟ ସମାଧାନ ଲାଗି ଖୁବ୍‌ଶୀଘ୍ର କିଛି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଶକ୍ତି କ୍ଷେତ୍ରରେ ଘରୋଇ ସରକାରୀ ସହଭାଗିତା ବଢ଼ାଇବା ଓ କୋଇଲା ଯୋଗାଣରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଆଜି କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ୨୨ ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ଦେଶରେ ରହିଛି। କୋଇଲା ଯୋଗାଣରେ ପ୍ରତିଦିନ ଉନ୍ନତି ହେଉଛି। ଆବଶ୍ୟକତା ଅନୁସାରେ କୋଇଲା ଯୋଗାଇ ଦିଆଯିବ ବୋଲି ସେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ଥିବା ୧୩୫ଟି ପାୱାର ପ୍ଲାଣ୍ଟ୍‌ର କୋଇଲା ଷ୍ଟକ୍‌ ସ୍ଥିତିର ଦୈନିକ ସମୀକ୍ଷା ‌ହେଉଛି। ସେଥିରୁ ୧୧୫ଟି ପ୍ଲାଣ୍ଟ୍‌ରେ ସ୍ଥିତି ଜଟିଳ ଥିବା ଜଣାପଡ଼ିଛି। ୭୦ଟି ପାୱାର ପ୍ଲାଣ୍ଟ୍‌ରେ ଯେତିକି କୋଇଲା ରହିଛି ତାହା ଚାରି ଦିନର ଆବଶ୍ୟକତା ପୂରଣ କରିପାରିବ ନାହିଁ। କୋଇଲା ସ୍ଥିତିରେ ଉନ୍ନତି ଆଣିବା ଲାଗି ଆମଦାନି ବଢ଼ାଇବାକୁ ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ କୁହାଯାଇଛି। ଦେଶ ଭିତରେ ଯୋଗାଇ ଦିଆଯାଉଥିବା କୋଇଲା ସହ ଆମଦାନି କୋଇଲାକୁ ମିଶାଇ ବ୍ୟବହାର କରିବାକୁ ସେମାନଙ୍କୁ କୁହାଯାଇଛି।

କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଜି ରାଜ୍ୟର ବିଦ୍ୟୁତ ବଣ୍ଟନ କଂପାନି (ଡିସ୍‌କମ୍‌)ଗୁଡ଼ିକୁ ମଧ୍ୟ ଚେତାବନୀ ଦିଆଯାଇଛି। ଯେଉଁ ଡିସକମ୍‌ ଦରବୃଦ୍ଧିର ଲାଭ ଉଠାଇବା ଲାଗି ଯଦି ଏକ୍ସଚେଞ୍ଜ୍‌ରେ ବିଦ୍ୟୁତ ବିକ୍ରି କରିବେ ତେବେ ସେହି ସଂସ୍ଥାକୁ ଦିଆଯାଉଥିବା ବିଦ୍ୟୁତ ପରିମାଣ ହ୍ରାସ କରାଯିବ। କିଛି ରାଜ୍ୟ ନିଜ ପାଖରେ ଥିବା ବିଦ୍ୟୁତକୁ ଲୋକଙ୍କ ନିକଟରେ ପହଞ୍ଚାଇବା ବଦଳରେ ବିଦ୍ୟୁତ କାଟ କରୁଛନ୍ତି ଏବଂ ଚଢ଼ା ଦାମ୍‌ରେ ବିଜୁଳିକୁ ଶକ୍ତି ଏକ୍ସଚେଞ୍ଜ୍‌ରେ ବିକ୍ରି କରୁଥିବାର ଖବର କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚିଛି। ଏଭଳି କାର୍ଯ୍ୟରେ ଲିପ୍ତ ଥିବା ରାଜ୍ୟଗୁଡ଼ିକୁ ଅଣ-ଆବଣ୍ଟିତ ବିଦ୍ୟୁତ ଦିଆଯିବ ‌ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଯେଉଁମାନଙ୍କୁ ସେଭଳି ବିଦ୍ୟୁତ ଆବଣ୍ଟନ କରାଯାଇଥିବ ସେମାନଙ୍କ ଠାରୁ ତାହା ପ୍ରତ୍ୟାହାର କରି ବିଜୁଳି ଦରକାର କରୁଥିବା ରାଜ୍ୟକୁ ଦିଆଯିବ ବୋଲି ନ‌ିଷ୍ପତ୍ତି ହୋଇଛି। ଗତକାଲି ଗୃହମନ୍ତ୍ରୀ ଅମିତ ଶାହ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହଙ୍କ ସହ ଦୀର୍ଘ ସମୟ ଧରି ସାମ୍ପ୍ରତିକ ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ସପ୍ତାହର ଶେଷ ଦିନଗୁଡ଼ିକରେ ବିଜୁଳି କାଟ ହେବା ପରେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ବିହାର ଓ ତାମିଲନାଡୁ ଭଳି ରାଜ୍ୟ ଚିନ୍ତା ପ୍ରକଟ କରିଥିଲେ।

ସଙ୍କଟର ପ୍ରମୁଖ କାରଣ ବର୍ଷା
କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କୋଇଲା ସଙ୍କଟର ପାଞ୍ଚଟି ପ୍ରମୁଖ କାରଣ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେପ୍ଟେମ୍ବର ମାସରେ କୋଇଲା ଖଣି ଅଞ୍ଚଳରେ ଲଗାତର ବର୍ଷା ଯୋଗୁଁ ଉତ୍ପାଦନ ଓ ଯୋଗାଣ ଉଭୟ ପ୍ରଭାବିତ ହୋଇଥିଲା। ଆନ୍ତର୍ଜାତିକ ବଜାରରେ କୋଇଲା ମହଙ୍ଗା ହେବାରୁ କେବଳ ଆମଦାନି କୋଇଲା ଉପରେ ନିର୍ଭରଶୀଳ ଥିବା ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ଦେଶ ଭିତ‌ରେ ଉପଲବ୍ଧ ଥିବା କୋଇଲା କିଣିବା ଆରମ୍ଭ କରିଥିଲେ। ‌ମୌସୁମୀ ବର୍ଷା ହେବା ପୂର୍ବରୁ ଆବଶ୍ୟକ ପରିମାଣର କୋଇଲା ଗଚ୍ଛିତ ରଖାଯାଇନଥିଲା। ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଉପରେ କୋଇଲା ବାବଦକୁ ବିପୁଳ ଦେୟ ବକେୟା ରହିଛି। କୋଭିଡ୍ ମହାମାରୀ ପ୍ରଭାବ ଦୂର ହେବା ପରେ ହଠାତ୍‌ ଅର୍ଥନୀତି ଚଳଚଞ୍ଚଳ ହୋଇପଡ଼ିବାରୁ ବିଦ୍ୟୁତ ଚାହିଦା ଓ ବ୍ୟବହାର ବଢ଼ିଛି। କୋଇଲା ସଙ୍କଟ ପାଇଁ ଏହି ସବୁ କାରଣ ଦାୟୀ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର