କୋଇଲା ସଙ୍କଟ: ପିଏମ୍‌ଓ ହସ୍ତକ୍ଷେପ ଲୋଡ଼ିଲା ଏଏଆଇ

ଭୁବନେଶ୍ବର: ଅଣ-ବିଦ୍ୟୁତ କ୍ଷେତ୍ର ସାମ୍ନା କରୁଥିବା କୋଇଲା ସମସ୍ୟାର ତୁରନ୍ତ ସମାଧାନ ଲାଗି ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ କୋଇଲା ମନ୍ତ୍ରୀ ଓ କ୍ୟାବିନେଟ୍ ସଚିବଙ୍କୁ ମଧ୍ୟ ସଂଘ ନିବେଦନ କରିଛି। ସେମାନଙ୍କୁ ଚିଠି ଲେଖି ଏଏଆଇ ଜଣାଇଛି ଯେ କୌଣସି ଅଗ୍ରୀମ ନୋଟିସ ନଦେଇ ଅଣ ବିଦ୍ୟୁତ କ୍ଷେତ୍ର ପାଇଁ କୋଲ୍ ଇଣ୍ଡିଆ ସଡ଼କ ଓ ରେକ୍‌ରେ କୋଇଲା ଯୋଗାଣକୁ ହାସ କରିବାକୁ ନିଷ୍ପତ୍ତି ନେବା ଚିନ୍ତାଜନକ। ଗତ ୭ ମାସ ଧରି ଦେଶରେ ଲାଗି ରହିଥିବା କୋଇଲା ସଙ୍କଟରେ ସୁଧାର ହୋଇଥିବା ବେଳେ ବିଦ୍ୟୁତ କ୍ଷେତ୍ର ଲାଗି କୋଇଲା ଷ୍ଟକ୍ ୯-୧୦ ଦିନ ଭଳି ଉନ୍ନତ ସ୍ଥିତିରେ ପହଞ୍ଚିଛି। କିନ୍ତ, ଆଲୁମିନିୟମ ଭଳି ଅଣ-ବିଦ୍ୟୁତ କ୍ଷେତ୍ର ପାଇଁ ଷ୍ଟକ୍ ଏବେବି ଖରାପ ସ୍ଥିତ‌ିରେ ରହିଛି।

ଏହି କ୍ଷେତ୍ରକୁ କୋଇଲା ଯୋଗାଣ ଦୈନିକ ୩.୬ ଲକ୍ଷ ଟଣନ୍‌ରୁ ହ୍ରାସ ପାଇ ୨.୭୫ ଲକ୍ଷ ଟନ୍‌ରେ ପହଞ୍ଚିଛି। ଫଳରେ ଅଣ ବିଦ୍ୟୁତ କ୍ଷେତ୍ର ଲାଗି ୪୮୦୦ ରେକ୍‌ ଯୋଗାଣକୁ ନେଇ ବିଶାଳ ବକେୟା ସୃଷ୍ଟି ହୋଇଛି। ଓଡ଼ିଶାର ଆଲୁମିନିୟମ ଶିଳ୍ପର ମୋଟ ବିଦ୍ୟୁତ ଶକ୍ତି ଆବଶ୍ୟକତା ହେଉଛି ୬୦୦୦ ମେଗାୱାଟ୍‌। ଏହା ରାଜ୍ୟର ହାରାହାରି ବିଦ୍ୟୁତ ଲୋଡ୍‌ର ପ୍ରାୟ ଦୁଇ ଗୁଣ। ଏସବୁ ବିଷୟକୁ ବିଚାରକୁ ନେଇ ଦୈନିକ ଅତିକମ୍‌ରେ ୨୫-୩୦ କୋଇଲା ରେକ୍ ଆଲୁମିନିୟମ ଶିଳ୍ପର କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ (ସିପିପି) ଲାଗି ବ୍ୟବସ୍ଥା କରିବାକୁ ସଂଘ ପକ୍ଷରୁ ପିଏମ୍‌ଓକୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର