ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ଆଜି ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। କୋଲ୍ ଇଣ୍ଡିଆ ଏବଂ ଭେଲ୍ର ଯୌଥ ଉଦ୍ୟୋଗ ଜରିଆରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଥିବା ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଲଖନପୁର ଅଞ୍ଚଳରେ ୧୧,୭୮୨.୦୫ କୋଟି ଟଙ୍କାର ଆନୁମାନିକ ପୁଞ୍ଜି ବ୍ୟୟରେ କୋଇଲା ବାଷ୍ପୀକରଣ ପ୍ରକଳ୍ପ ସ୍ଥାପନ ହେବ। ଏହି କାରଖାନାରୁ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ (ଏଏନ୍) ଉତ୍ପାଦନ ହେବ। ଯୌଥ ଉଦ୍ୟୋଗରେ ୭୦:୩୦ ଋଣ-ଇକ୍ୟୁଟି ଅନୁପାତ ଏବଂ ୫୧% ଇକ୍ୟୁଟି ନିବେଶକୁ ବିଚାରକୁ ନେଇ କୋଲ୍ ଇଣ୍ଡିଆ ଦ୍ବାରା ୧,୮୦୨.୫୬ କୋଟି ଟଙ୍କାର ଇକ୍ୟୁଟି ନିବେଶ ହେବ। ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ର ଲଖନପୁର ଠାରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭେଲ୍ ଏବଂ ସିଆଇଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିସହିତ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (ଇସିଏଲ)ଇସିଏଲର ସୋନପୁର ବାଜାରୀ ଅଞ୍ଚଳରେ କୋଇଲାରୁ ଏସ୍ଏନ୍ଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୩,୦୫୨.୮୧ କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି। କୋଲ୍ ଇଣ୍ଡିଆ ଏବଂ ଗେଲ୍ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ଏହି ପ୍ରକଳ୍ପ ହେବ।ଅନ୍ୟ ପକ୍ଷରେ, କୋଇଲା ବାଷ୍ଫୀକରଣ ବାବଦରେ କେନ୍ଦ୍ର କ୍ୟାବିନେଟ୍ ଆଜି ୮୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶିକୁ ମଞ୍ଜୁର କରିଛି। ଦେଶରେ କୋଇଲା ବାଷ୍ଫୀକରଣ ପ୍ରଯୁକ୍ତିକୁ କମ୍ପାନି ଗୁଡ଼ିକ ଅଧିକ ମାତ୍ରାରେ ବ୍ୟବହାର କରିଲେ ଦେଶରେ ପ୍ରାକୃତିକ ବାଷ୍ପ, ମିଥାନଲ, ଆମୋନିଆ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନି ହ୍ରାସ ପାଇବ।
ଝାରସୁଗୁଡ଼ାରେ କୋଇଲା ବାଷ୍ପୀକରଣ କାରଖାନା: କୋଲ୍ ଇଣ୍ଡିଆ ଓ ଭେଲ୍ ସ୍ଥାପନ କରିବେ
୧୧,୭୮୨ କୋଟି ବିନିଯୋଗ ହେବ