ଫନି କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର ପାଇଁ କୋଲ୍ ଇଣ୍ଡିଆ ଦେଲା ୫୦ କୋଟି

ଭୁବନେଶ୍ବର: ଫନି ପ୍ରଭାବିତ ପୁରୀ, ଭୁବ‌ନେଶ୍ବର ଏବଂ କଟକ ସହର ସମେତ କୋଲ୍ ଇଣ୍ଡିଆର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଥିବା ଅଞ୍ଚଳରେ ଶକ୍ତି ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଅଧୀନ ଓପିଟିସିଏଲ ପକ୍ଷରୁ କୋଲ୍‌ ଇଣ୍ଡିଆ ଲିମିଟେଡକୁ ୫୦.୩୨ କୋଟି ଟଙ୍କାର ଏକ ପ୍ରସ୍ତାବ ଦିଆଯାଇଥିଲା। ମହାନଦୀ କୋଲ୍ ଫିଲ୍‌ଡସ୍ ଲିମିଟେଡର ମୂଳ କମ୍ପାନି କୋଲ୍ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ଅର୍ଥ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା)କୁ ଦିଆଯାଇଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରାଳୟର ସଚିବ ସୁମନ୍ତ ଚୌଧୁରୀ ଭେଟି ଏ ବାବଦ ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ କେନ୍ଦ୍ର କୋଇଲା ମନ୍ତ୍ରାଳୟର ଯୁଗ୍ମ ସଚିବ ଆଶିଷ ଉପାଧ୍ୟାୟ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, କୋଲ୍ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଏ କେ ଝା ଏବଂ ଏମ୍‌ସିଏଲ୍‌ର ସିଏମ୍‌ଡି ବି ଏନ୍‌ ଶୁକ୍ଳା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅର୍ଥରେ ଫନି କ୍ଷତିଗ୍ରସ୍ତ ୩ଟି ୨୨୦ କେଭି ଏବଂ ୨ଟି ୧୩୨ କେଭି ବିଦ୍ୟୁତ୍ ସରବରାହ ଲାଇନ୍‌ର ପୁନରୁଦ୍ଧାର କରାଯିବ।

ସମ୍ବନ୍ଧିତ ଖବର