ଦେଶର ପୂର୍ବାଞ୍ଚଳରେ ଆଲ୍‌ମିନିୟମ୍‌ ଏବଂ ସୌରଶକ୍ତି କ୍ଷେତ୍ର ପାଇଁ କୋଲ୍‌ ଇଣ୍ଡିଆର ୧ ଲକ୍ଷ କୋଟି ଟଙ୍କାର ଯୋଜନା

ନୂଆଦିଲ୍ଲୀ: ଦେଶର ପୂର୍ବାଞ୍ଚଳରେ ଦୁଇଟି ଆଲ୍‌ମିନିୟମ୍‌ ପ୍ଲାଣ୍ଟ୍‌ ଏବଂ ଏକ ସୋଲାର୍‌ ମୋଡ୍ୟୁଲ୍‌ ସ୍ଥାପନ କରିବା ନିମନ୍ତେ ରାଷ୍ଟ୍ରାୟତ ‘କୋଲ୍‌ ଇଣ୍ଡିଆ ଲିମିଟେଡ୍‌’ର ୧ ଲକ୍ଷ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏହା ବ୍ୟତୀତ ଚୀନ୍‌ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଭଳି ଦେଶର ପ୍ରଥମ ‘ପଲିସିଲିକନ୍‌’ କାରଖାନା ସ୍ଥାପନ କରିବା କଥା ମଧ୍ୟ ‘କୋଲ୍‌ ଇଣ୍ଡିଆ ଲିମିଟେଡ୍‌’ର ଏହି ଯୋଜନାରେ ରହିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାୟ ୪୫, ୫୦୦ କୋଟି ଟଙ୍କାର ଏକ ‘ସୋଲାର୍‌ ଓ୍ଵାଫର୍‌ ମ୍ୟାନୁଫ୍ୟାକ୍‌ଚରିଙ୍ଗ୍‌’ କାରଖାନା ନିମନ୍ତେ ‘କୋଲ୍‌ ଇଣ୍ଡିଆ’ ତିନୋଟି ‘ସ୍ପେସିଫିକ୍‌-ପର୍‌ପୋଜ୍‌ ଭେଇକ୍ଲ୍‌’ (ଏସ୍‌ପିଭି) ସ୍ଥାପନ କରିବ। ଏହାଛଡ଼ା, ୩୮, ୦୦୦ କୋଟି ଟଙ୍କାର ଏକ ‘ଗ୍ରିନ୍‌-ଫିଲ୍‌ଡ୍‌ ଆଲ୍‌ମିନିୟମ୍‌ ପ୍ରେଜେକ୍ଟ’ ଏବଂ ରାଷ୍ଟ୍ରାୟତ ‘ନାଲ୍‌କୋ’ ସହ ପ୍ରାୟ ୨୩, ୪୦୦ କୋଟି ଟଙ୍କାର ଏକ ଆଲ୍‌ମିନିୟମ୍‌ ନିଷ୍କାସନ ୟୁନିଟ୍‌ ମଧ୍ୟ ସ୍ଥାପନ କରିବ।

Image Courtesy of The Times of India

କୋଇଲା ସଚିବ ଅନୀଲ କୁମାର ଜୈନ କହିଛନ୍ତି, ଅଙ୍ଗାରକାମ୍ଳ ନିଷ୍କାସନ ହ୍ରାସ ପାଇଁ କୋଲ୍‌ ଇଣ୍ଡିଆ କୋଇଲାର ବିକଳ୍ପ ଚିନ୍ତା କରୁଛି। ଏହି ବ୍ୟବସ୍ଥା କୋଇଲା ଉପରୁ ନିର୍ଭରଶୀଳତା ହ୍ରାସ କରାଇବ।

କିନ୍ତୁ, ଏହି ତିନୋଟି ପ୍ରକଳ୍ପର ସବିଶେଷ ବିବରଣୀ ଦେବାକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି। ଜୈନ୍‌ କହିଛନ୍ତି ଯେ, ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ କୋଲ୍‌ ଇଣ୍ଡିଆ ହେଉଛି ଅନ୍ୟତମ ମୁଖ୍ୟ ଇଞ୍ଜିନ୍‌। ସମ୍ପୃକ୍ତ ଅଞ୍ଚଳର ବିକାଶ ପାଇଁ କୋଲ୍‌ ଇଣ୍ଡିଆ ନେତୃତ୍ୱ ଜାରି ରଖିବ। ଏହି କମ୍ପାନିରେ ୩ ଲକ୍ଷରୁ ଅଧିକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି। ତେଣୁ ଭାରତର ପୂର୍ବାଞ୍ଚଳ ଅର୍ଥନୈତିକ କ୍ଷେତ୍ରରେ କମ୍ପାନିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସମ୍ବନ୍ଧିତ ଖବର