ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍ ଇଣ୍ଡିଆ ଏହାର ଖଣି ପାଖାପାଖି ଅଞ୍ଚଳରେ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି। ଯେହେତୁ କମ୍ପାନିର ଅନେକ ଖଣି ଓଡ଼ିଶାରେ ରହିଛି, ତେଣୁ ଏଠାରେ ପାୱାର ପ୍ଲାଣ୍ଟ ସ୍ଥାପନ କରିବାର ସମ୍ଭାବନା ରହିଛି। ଆସନ୍ତା ୬-୭ ବର୍ଷ ମଧ୍ୟରେ କମ୍ପାନି ୪.୭ ଗିଗାୱାଟ୍ର ବିଦ୍ୟୁତ୍ ଉତ୍ପାଦନ କରିବା ଲାଗି ମଞ୍ଜୁରି ପାଇଛି। ସେଥିରୁ ଅଧିକାଂଶ ପ୍ରକଳ୍ପ ଓଡ଼ିଶାରେ ସ୍ଥାପନ କରାଯିବ। ପାୱାର ପ୍ଲାଣ୍ଟ ସ୍ଥାପନରେ କମ୍ପାନି ୬୭୦୦୦ କୋଟି ଟଙ୍କା ନିବେଶ କରିବା ଯୋଜନା ରଖିଛି।
୨୦୩୨ ସୁଦ୍ଧା ୮୮ ଗିଗାୱାଟ୍ର ତାପଜ ବିଦ୍ୟୁତ କ୍ଷମତା ସ୍ଥାପନ କରିବା ଲାଗି ଗତବର୍ଷ ନୂଆଦିଲ୍ଲୀରେ କରାଯାଇଥିବା ଘୋଷଣାର ଏକ ଅଂଶ ହେଉଛି ଏହି ନୂଆ କାରଖାନା। ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ଭାବେ ଗଣା ହେଉଥିବା ଭାରତରେ ଆଗାମୀ କିଛି ବର୍ଷ ମଧ୍ୟରେ ବିଦ୍ୟୁତ୍ ଚାହିଦାରେ ବଡ଼ ଧରଣର ବୃଦ୍ଧି ହେବାକୁ ଯାଉଛି। ସେହି ଚାହିଦା ପୂରଣ କରିବା ଲାଗି ଦୀର୍ଘବର୍ଷ ପର୍ଯ୍ୟନ୍ତ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରି ଉତ୍ପାଦନ କରାଯାଉଥିବା ବିଦ୍ୟୁତ୍ ଉପରେ ଭାରତ ନିର୍ଭରଶୀଳ ରହିବ। ସାରା ବିଶ୍ବ ଏବେ ଅକ୍ଷୟ ଶକ୍ତି ଆଡ଼କୁ ଗତି କରୁଥିବା ବେଳେ ଭାରତକୁ କିନ୍ତୁ ଲୋକମାନଙ୍କ ବିଜୁଳି ଯୋଗାଇବା ଲାଗି କୋଇଲା ଉପରେ ନିର୍ଭର କରିବାକୁ ପଡ଼ିବ।
ଅତିକମ୍ରେ ଆସନ୍ତା ତିନି ଦଶନ୍ଧି ପର୍ଯ୍ୟନ୍ତ ବିଜୁଳି ଉତ୍ପାଦନ ପାଇଁ ଭାରତକୁ କୋଇଲା ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବ। ଖଣି ନିକଟରେ କାରଖାନା ସ୍ଥାପନ କରାଗଲେ କମ୍ପାନିକୁ କୋଇଲା ପରିବହନ ବାବଦରେ ଅଧିକ ଖର୍ଚ୍ଚ କରବାକୁ ପଡ଼ିବନି। କୋଲ୍ ଇଣ୍ଡିଆ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବା ଏବଂ କ୍ରିଟିକାଲ୍ ମିନେରାଲ୍ କ୍ଷେତ୍ରରେ ପ୍ରବେଶ କରିବାକୁ ମଧ୍ୟ ଯୋଜନା ରଖିଛି। ଭାରତ ସରକାର ୨୦୭୦ ସୁଦ୍ଧା ନେଟ୍ ଜିରୋ ହେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ବିଦ୍ୟୁତ୍ ଉତ୍ପାଦନ ବ୍ୟବସ୍ଥାରୁ ହେଉଥିବା ପ୍ରଦୂଷଣ କମ୍ କରିବା ଲାଗି ସରକାରଙ୍କୁ ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ମାନେ କହିଛନ୍ତି।