କୋଲ୍ ଇଣ୍ଡିଆର ଘରୋଇକରଣ ହେବନାହିଁ: କେନ୍ଦ୍ରମନ୍ତ୍ରୀ ଯୋଶୀ

ସମ୍ବଲପୁର: ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ କୋଲ୍ ଇଣ୍ଡିଆର ଭିତ୍ତିଭୂମି ସୁବିଧାର ବିକାଶ କରିବା ପାଇଁ ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବା ଲାଗି ସ୍ଥିର ହୋଇଛି ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା କୋଲ୍ ଇଣ୍ଡିଆର ବାର୍ଷିକ ୧ ବିଲିଅନ ଟନ୍‌ କୋଇଲା ଉତ୍ପାଦନ ହାସଲରେ ଏହା ସହାୟକ ହେବ। ଏଥିସହିତ କୋଲ୍ ଇଣ୍ଡିଆ ନୂତନ ଖଣି ଖୋଲିବା ତଥା କୋଇଲା ଉତ୍ପାଦନ ବୃଦ୍ଧି ସହିତ ଦେଶରେ ଆମଦାନି କରାଯାଉଥିବା କୋଇଲା ହ୍ରାସ ହେବା ସ‌ଙ୍ଗେ ସଙ୍ଗେ ଅର୍ଥନୈତିକ ବିକାଶରେ ସୁଯୋଗ ଆଣିଦେବ। କୋଲ୍ ଇଣ୍ଡିଆ ନିକଟରେ ୧୦୦ ନିୟୁତ ଟନ୍ କୋଇଲା ରପ୍ତାନି ପୂରଣ କରିବ ବୋଲି ‌ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି, କୋଲ୍ ଇଣ୍ଡିଆକୁ ଘରୋଇକରଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ବରଂ ସରକାର କୋଲ୍ ଇଣ୍ଡିଆକୁ ଅଧିକ ଶକ୍ତିଶାଳୀ କରୁଛନ୍ତି। ସେ ପୁଣି କହିଛନ୍ତି, କୋଲ୍ ଇଣ୍ଡିଆ ପାଖରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଗଚ୍ଛିତ ଅଛି, ଯାହାକି ୧୦୦ ବର୍ଷରୁ ଅଧିକ ସମୟ ଧରି ‌ବିଦ୍ୟୁତ୍ ଉତ୍ପାଦନ କରିବାରେ ସହାୟକ ହୋଇପାରିବ। ବର୍ତ୍ତମାନ ସରକାର କୋଲ୍ ଇଣ୍ଡିଆକୁ ୧୬ଟି ନୂତନ କୋଇଲା ବ୍ଲକ୍ ଆବଣ୍ଟନ କରିଛନ୍ତି। ତେଣୁ ମନ୍ତ୍ରୀ କହିଛନ୍ତି ଯେ, ସରକାର କୋଲ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗର୍ବିତ ଓ ଆଗାମୀ ଦିନରେ ଏହାକୁ ଅଧିକ ଶକ୍ତିଶାଳୀ କରାଯିବ। କୋଲ୍ ଇଣ୍ଡିଆର ସହାୟକ କମ୍ପାନି ମହାନଦୀ କୋଲ୍ ଫିଲ୍‌ଡସ୍‌ ଲିମିଟେଡ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ଏହା କୁହାଯାଇଛି।

ସମ୍ବନ୍ଧିତ ଖବର