କୋଇଲା ଖଣି ନିଲାମ, ଓଡ଼ିଶା ବର୍ଷକୁ ପାଇବ ୧୦୫୯ କୋଟି

ନୂଆଦିଲ୍ଲୀ: ବାଣିଜ୍ୟିକ ବ୍ୟବହାର ଲାଗି କେନ୍ଦ୍ର ସରକାର ଏଥର ୧୯ଟି କୋଇଲା ଖଣିର ନିଲାମ କରିଛନ୍ତି। ଆଦାନି, ବେଦାନ୍ତ ଭଳି କଂପାନି ଏହି ଖଣିଗୁଡ଼ିକୁ ହାସଲ କରିଛନ୍ତି। କୋଇଲା ଖଣି ନିଲାମରୁ ରାଜ୍ୟଗୁଡ଼ିକ ବର୍ଷକୁ ପ୍ରାୟ ୬,୬୫୬ କୋଟି ଟଙ୍କାର ରାଜସ୍ବ ପାଇବେ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ସେଥିରୁ ଓଡ଼ିଶା ବର୍ଷକୁ ୧୦୫୯ କୋଟି ଟଙ୍କା ପାଇବ। ଏଥର ଓଡ଼ିଶାର ଦୁଇଟି ଖଣି ରାଧିକାପୁର ଇଷ୍ଟ ଓ ରାଧିକାପୁର ୱେଷ୍ଟ୍‌ ନିଲାମ କରାଯାଇଛି। ରାଧିକାରପୁର ୱେଷ୍ଟ୍‌ ପାଇଁ ବେଦାନ୍ତ ଓ ରାଧିକାପୁର ଇଷ୍ଟ୍‌ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା ଇଏମ୍‌ଆଇଏଲ୍‌ ସର୍ବୋ‌ଚ୍ଚ ବିଡ୍ ଦାଖଲ କରିଛନ୍ତି। ରାଧିକାପୁର ୱେଷ୍ଟ୍‌ରୁ ଓଡ଼ିଶା ବର୍ଷକୁ ୫୯୨.୨୮ କୋଟି ଟଙ୍କା ପାଇବ। ସେହିପରି ରାଧିକାପୁର ଇଷ୍ଟ୍‌ରୁ ବର୍ଷକୁ ୪୬୬.୫୮ କୋଟି ଟଙ୍କାର ରାଜସ୍ବ ମିଳିବ। କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ ଏଥର ନିଲାମ ‌ହୋଇଥିବା କୋଇଲା ଖଣି ଯୋଗୁଁ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ର ଭଳି ପାଞ୍ଚଟି ରାଜ୍ୟ ବିଶେଷ ଭାବେ ଲାଭବାନ ହେବେ। ଝାଡ଼ଖଣ୍ଡ ବର୍ଷକୁ ସର୍ବାଧିକ ୨୬୯୦ କୋଟି ଟଙ୍କାର ରାଜସ୍ବ ପାଇବ। ସେହିପରି ମଧ୍ୟପ୍ରଦେଶ ୧୭୨୪ କୋଟି ଟଙ୍କା, ମହାରାଷ୍ଟ୍ର ୩୨୧ କୋଟି ଟଙ୍କା ଏବଂ ଛତିଶଗଡ଼ ସରକାର ବର୍ଷକୁ ୮୨୪ କୋଟି ଟଙ୍କା ପାଇବେ।

ରାଜସ୍ବ ଭାଗବଣ୍ଟା ଆଧାରରେ ଏଥର କୋଇଲା ଖଣିଗୁଡ଼ିକର ନିଲାମ କରାଯାଉଛି। ଯେଉଁ କଂପାନି ଅଧିକ ରାଜସ୍ବ ସରକାରଙ୍କ ସହ ବାଣ୍ଟିବାକୁ ବିଡ୍‌ ଦାଖଲ କରିଛନ୍ତି ସେମାନଙ୍କୁ ସର୍ବୋଚ୍ଚ ବିଡ୍ ଦାଖଲ କରିଥିବା ସଂସ୍ଥା ଭା‌ବେ ବିଚାର କରାଯାଉଛି। କେଉଁ ଖଣି କେଉଁ ସଂସ୍ଥା ହାତକୁ ଯିବ ତାହା ଚଳିତ ମାସ ୧୧ରେ ଘୋଷଣା କରାଯିବ। ଚଳିତ ମାସ ୨ରୁ୯ ତାରିଖ ପର୍ଯ୍ୟନ୍ତ କୋଇଲା ଖଣିର ନିଲାମ ଚାଲିଥିଲା। ପ୍ରତିଦିନ କିଛି କିଛି ଖଣିକୁ ନିଲାମ ପାଇଁ ଉପଲବ୍ଧ କରାଯାଇଥିଲା। ଆଜି ନିଲାମର ଶେଷ ଦିନରେ ଛତିଶଗଡ଼ର ଗାରେ ପାଲ୍‌ମା ଆଇଭି/୭ ଖଣିକୁ ନିଲାମ କରାଯାଇଛି। ସାରଦା ଏନର୍ଜି ଆଣ୍ଡ୍ ମିନେରାଲ୍ସ ଏହି ଖଣି ପାଇଁ ସର୍ବୋଚ୍ଚ ବିଡ୍ ଦାଖଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜୁନ୍ ୧୮ରେ କୋଇଲା ଖଣିର ବାଣିଜ୍ୟିକ ଖନନ ପାଇଁ ନିଲାମ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ୩୮ଟି ଖଣିକୁ ନିଲାମ ପାଇଁ ଉପଲବ୍ଧ କରାଯାଇଥିବା ବେଳେ ୧୯ଟି ଖଣି ପାଇଁ ଆର୍ଥିକ ବିଡ୍ ଆସିଥିଲା। ନିଲାମ ସଫଳତା ହାର ୫୦% ରହିଛି। ପୂର୍ବରୁ ନିଲାମ କରାଯାଇଥିବା ୧୦ଟି ଖଣିର ସଫଳତା ହାର ୩୦% ଥିଲା। ବିଗତ ୧୦ଟି ପର୍ଯ୍ୟାୟରେ ୧୧୬ଟି ଖଣି ନିଲାମ ପାଇଁ ଉପଲବ୍ଧ କରାଯାଇଥିବା ବେଳେ ସେଥିରୁ ମାତ୍ର ୩୫ଟି ସଫଳତାର ସହ ନିଲାମ କରାଯାଇଛି। ନିଲାମ ପ୍ରକ୍ରିୟାରେ ୪୨ଟି କଂପାନି ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୪୦ଟି ହେଉଛନ୍ତି ଘରୋଇ କ୍ଷେତ୍ରର ସଂସ୍ଥା। ନାଲ୍‌କୋ ଓ ଆନ୍ଧ୍ରପ୍ରଦେଶ ଖଣି ବିକାଶ ନିଗମ ଭଳି ସରାକାରୀ ସଂସ୍ଥା ମଧ୍ୟ ନିଲାମରେ ଭାଗ ନେଇଥିଲେ। ଏଥର ନିଲାମ କରାଯାଇଥିବା ୧୯ଟି ଖଣି ମଧ୍ୟରୁ ୧୧ଟି ଓପନ୍‌କାଷ୍ଟ ଓ ୫ଟି ଅଣ୍ଡରଗ୍ରାଉଣ୍ଡ୍‌ ଖଣି ଏବଂ ୩ଟି ଉଭୟ ଓପନ୍‌କାଷ୍ଟ ଓ ଅଣ୍ଡରଗ୍ରାଉଣ୍ଡ୍‌ ଖଣିର ମିଶ୍ରଣ।

ସମ୍ବନ୍ଧିତ ଖବର