ଘରୋଇ କଂପାନି ପାଇଁ ୪୧ କୋଇଲା ଖଣି ନିଲାମ, ୨.୮ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ

ଓଡ଼ିଶା ଅଧିକ ଲାଭବାନ ହେବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କୋଇଲା ଖଣିର ବାଣିଜ୍ୟିକ ଖନନ ପାଇଁ ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ୪୧ଟି କୋଇଲା ଖଣିର ନିଲାମ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜସ୍ବ ଭାଗବଣ୍ଟା ଆଧାରରେ ଖଣିଗୁଡ଼ିକୁ ନିଲାମ କରାଯିବ। ଖଣିଗୁଡ଼ିକୁ ବିକଶିତ କରିବାରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପଡ଼ିବ। ଏହା ଦ୍ବାରା ପ୍ରାୟ ୨.୮ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟଗୁଡ଼ିକର ରାଜକୋଷକୁ ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ। ବିଶ୍ବର ଚତୁର୍ଥ ସର୍ବାଧିକ କୋଇଲା ଭାରତରେ ଗଚ୍ଛିତ ରହିଥିଲେ ମଧ୍ୟ ପ୍ରତିବର୍ଷ ଭାରତକୁ ୨୩୫ ନିୟୁତ ଟନ୍ କୋଇଲା ଆମଦାନି କରିବାକୁ ପଡ଼ୁଛି। ସେଥି ମଧ୍ୟରୁ ୧,୭୧,୦୦୦ କୋଟି ଟଙ୍କାର ୧୩୫ ନିୟୁତ ଟନ୍ କୋଇଲାକୁ ଦେଶ ଭିତରେ ଯୋଗାଇଦେଇହେବ। ସେହି ଲକ୍ଷ୍ୟ ପୂରଣ ହୋଇପାରିବ।

ଓଡ଼ିଶା ଅଧିକ ଲାଭବାନ ହେବ: ଧର୍ମେନ୍ଦ୍ର
ଭୁବନେଶ୍ବର : ଆଜି ଯେଉଁ ୪୧ଟି କୋଇଲା ଖଣିର ନିଲାମ ଆରମ୍ଭ କରାଯାଇଛି ତାହା ଦ୍ବାରା ଓଡ଼ିଶା ସର୍ବାଧିକ ଲାଭବାନ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ଏହି ପଦକ୍ଷେପ ଦ୍ବାରା ଇସ୍ପାତ, କୋଇଲା ଓ ଆନୁଷଙ୍ଗିକ ଶକ୍ତି କ୍ଷେତ୍ର ଉପକୃତ ହେବ। ଏହା ଦ୍ବାରା ରାଜ୍ୟରେ ବେସରକାରୀ ପୁଞ୍ଜିନିବେଶ ବଢ଼ିବ। କୋଇଲା କ୍ଷେତ୍ରରେ ଏହା ଦେଶକୁ ଆତ୍ମନିର୍ଭରଶୀଳ କରିବ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବଢ଼ାଇବା ଠାରୁ ଆରମ୍ଭ କରି ଅଧିକ ପୁଞ୍ଜିନିବେଶ ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର