ବିଦ୍ୟୁତ୍‌ ସଙ୍କଟ ମୁକାବିଲା: ରୁଷ୍‌, ଅଷ୍ଟ୍ରେଲିଆରୁ ଆସିବ କୋଇଲା

ସରକାରୀ ସ୍ତରରେ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ : ଦେଶରେ ଦେଖାଦେଇଥିବା କୋଇଲା ସଙ୍କଟର ମୁକାବିଲା ଲାଗି ଆମଦାନି ଉପରେ ଭାରତ ନିର୍ଭରଶୀଳ ହୋଇପଡ଼ିଛି। ଆଗାମୀ ଦିନରେ ସରକାରୀ କଂପାନି କୋଲ୍ ଇଣ୍ଡିଆ ଜରିଆରେ ବିଭିନ୍ନ ଦେଶରୁ କୋଇଲା ମଗାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଏନେଇ ରୁଷ୍, ‌ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ସହ ଆଲୋଚନା ଆରମ୍ଭ କରାଯାଇଛି। ରିହାତିରେ କୋଇଲା ଯୋଗାଇବା ଲାଗି ସେମାନଙ୍କ ସହ ମୁଲଚାଲ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି କାମ ହାତକୁ ନେଇଛି ଓ ଏଥିରେ ଅର୍ଥ ମନ୍ତ୍ରାଳୟ, କୋଲ୍ ଇଣ୍ଡିଆ, କୋଇଲା ଓ ଶକ୍ତି ମନ୍ତ୍ରାଳୟକୁ ମଧ୍ୟ ସାମିଲ କରାଯାଇଛି।

ବର୍ଷା ଋତୁରେ ଖଣିରେ ପାଣି ଭର୍ତ୍ତି ‌ହୋଇଯିବା କାରଣରୁ କୋଇଲା ଉତ୍ପାଦନ ଓ ପରିବହନ ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ସେଥିପାଇଁ ଗତବର୍ଷ ଦେଶରେ ବଡ଼ ଧରଣର କୋଇଲା ସଙ୍କଟ ଦେଖାଦେଇଥିଲା। ଏଭଳି ସ୍ଥିତିର ପୂର୍ବାନୁମାନ କରିବାରେ ବିଫଳ ହୋଇଥିବା ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ନିଜ ଆବଶ୍ୟକତା ଅନୁଯାୟୀ କୋଇଲା ଗଚ୍ଛିତ ରଖିପାରିନଥିଲେ। ଚଳିତ ବର୍ଷ ସେଭଳି ସଙ୍କଟକୁ ଏଡ଼ାଇବା ଲାଗି ଦେଶ ଭିତରେ ଉତ୍ପାଦନ ‌ହେଉଥିବା କୋଇଲା ସହ ଆମଦାନି କରାଯିବାକୁ ଥିବା କୋଇଲା ମିଶାଇ ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ ଦିଆଯିବ।

କଂପାନିଗୁଡ଼ିକ ନିଜ ଉଦ୍ୟମରେ କୋଇଲା ଆମଦାନି କରିବାକୁ ଅକ୍ଷମତା ପ୍ରକାଶ କରିବା ପରେ କେନ୍ଦ୍ର ସରକାର ନିଜେ ସେମାନଙ୍କ ତରଫରୁ ବିଭିନ୍ନ ଦେଶର ସରକାରଙ୍କ ସହ ମୁଲଚାଲ କରୁଛନ୍ତି। ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତର କୋଇଲା ଆବଶ୍ୟକତା ପୂରଣ କରିବା ଲାଗି ଆମଦାନିକୁ ଏକ ବଡ଼ ପଦ‌କ୍ଷେପ ଭାବେ ଗ୍ରହଣ କରାଯାଇଛି। ପ୍ରବଳ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ବିଦ୍ୟୁତ ଚାହିଦା ବଢ଼ିଥିବାରୁ ପାୱାର ପ୍ଲାଣ୍ଟ୍‌ଗୁଡ଼ିକର ଗଚ୍ଛିତ କୋଇଲା ହ୍ରାସ ପାଇବାରେ ଲାଗିଛି। ଦେଶର ୧୭୩ଟି ପାୱାର ପ୍ଲାଣ୍ଟ୍‌ରେ ୨୩.୩୨ ନିୟୁତ ଟନ୍ କୋଇଲା ଅଛି ଯାହା ମୋଟ ଆବଶ୍ୟକତାର ୩୫% ସହ ସମାନ। ସମ୍ପୂର୍ଣ୍ଣ ରୂପେ ଦେଶ ଭିତରେ ଉତ୍ପାଦନ ହେଉଥିବା କୋଇଲା ଉପରେ ନିର୍ଭରଶୀଳ ୮୪ଟି ପାୱାର ପ୍ଲାଣ୍ଟ୍‌ ପାଖରେ ଆବଶ୍ୟକତାର ୨୫% କୋଇଲା ରହିଛି ଓ ୯ଟି ପାୱାର ପ୍ଲାଣ୍ଟ୍‌ରେ କୋଇଲା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। କୋଇଲା ଉତ୍ପାଦନ କରିବା ଲାଗି ପ୍ରତିଦିନ ଦେଶର ପାୱାର ପ୍ଲାଣ୍ଟ୍‌ଗୁଡ଼ିକରେ ୨ ନିୟୁତ ଟନ୍ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରାଯାଉଛି। ଭାରତରେ ବିଶ୍ବର ଚତୁର୍ଥ ବୃହତ କୋଇଲା ଭଣ୍ଡାର ଥିବା ସତ୍ତ୍ବେ ଏହା ଆମଦାନି ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇଛି। ସରକାରୀ ସ୍ତରରେ ମୁଲଚାଲ ହେଲେ ରିହାତିରେ କୋଇଲା ଆମଦାନି ହୋଇପାରିବ ବୋଲି ଅନୁମାନ କରାଯାଉଛି। ପାୱାର ପ୍ଲାଣ୍ଟ୍‌ ଓ ସ୍ବାଧୀନ ବିଦ୍ୟୁତ ଉତ୍ପାଦନକାରୀ (ଆଇପିପି) ତରଫରୁ କୋଲ୍‌ ଇଣ୍ଡିଆ କୋଇଲା ଆମଦାନି କରିବ ଓ ସେମାନଙ୍କୁ ଯୋଗାଇବ। କୋଇଲା ଉପଲବ୍ଧତାକୁ ନିଶ୍ଚିତ କରିବା ଲାଗି ୧୦% କୋଇଲା ଆମଦାନି କରି ତାହାକୁ ଦେଶ ଭିତରେ ଉତ୍ପାଦନ ହେଉଥିବା କୋଇଲା ସହ ମିଶାଇ ବ୍ୟବହାର କରିବାକୁ ସରକାର ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ମେ’ ମାସ ଶେଷ ସୁଦ୍ଧା କୋଇଲା ଆମଦାନି ବରାଦ ଦେବାକୁ କଂପାନିଗୁଡ଼ିକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର