ଭୁବନେଶ୍ବର: ଦେଶରେ କଫି ଉତ୍ପାଦନ ବଢ଼ାଇବା ଉପରେ କେନ୍ଦ୍ର ସରକାର ଜୋର ଦେଉଛନ୍ତି। କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁ ଭଳି ପାରମ୍ପରିକ ଅଞ୍ଚଳରୁ ଆଗକୁ ବଢ଼ି ବିଭିନ୍ନ ରାଜ୍ୟରେ ଏହି ଚାଷ ବଢ଼ାଇବାକୁ ସରକାର ଚାହୁଛନ୍ତି। ବିଶେଷ କରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଉପରେ ଜୋର ଦିଆଯାଉଛି। ରାଜ୍ୟର ଅଧିକ ଅଞ୍ଚଳରେ କଫି ଚାଷ କରିବା ଉପରେ ବିଚାର କରାଯାଉଛି। ସେଥିପାଇଁ ଭାରତୀୟ କଫି ବୋର୍ଡର ଗବେଷକମାନେ ନୂଆ ସ୍ଥାନ ସନ୍ଧାନ କରିବେ।
କର୍ଣ୍ଣାଟକ ଭଳି ରାଜ୍ୟ ତୁଳନାରେ ଯଦିଓ ଓଡ଼ିଶାରେ କଫି ଉତ୍ପାଦନ କମ୍ ରହିଛି, କିନ୍ତୁ କୋରାପୁଟ ଅଞ୍ଚଳରେ ହେଉଥିବା କଫି ଚାଷ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି। ‘କୋରାପୁଟ କଫି’ ବ୍ରାଣ୍ଡ୍ ନାମରେ ତାହା ବିକ୍ରି କରାଯାଉଛି। ରାଜ୍ୟର ପୂର୍ବ ଘାଟ ପର୍ବତମାଳା ଅଞ୍ଚଳ କଫି ଚାଷ ପାଇଁ ବେଶ୍ ଉପଯୁକ୍ତ। କୋରାପୁଟ ବ୍ୟତୀତ ରାୟଗଡ଼ା, ଫୁଲବାଣୀ ଓ କେନ୍ଦୁଝରରେ ମଧ୍ୟ କଫି ଚାଷ କରାଯାଉଛି। କଫି ଚାଷକୁ ନେଇ ରାଜ୍ୟ ସରକାରଙ୍କ ମହତ୍ବକାଂକ୍ଷୀ ଯୋଜନା ରହିଛି। ପାଞ୍ଚ ବର୍ଷରେ ଉତ୍ପାଦନ ୧୦ ଗୁଣା ବଢ଼ାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କଫି ମିସନ ଅଧୀନରେ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ କଫି ଚାଷକୁ ବ୍ୟାପକ କରିବାକୁ ପ୍ରୟାସ କରାଯାଉଛି। ଓଡ଼ିଶାରେ କେବଳ ଆରବିକା କଫି ଚାଷ ହେଉଛି। ୨୦୩୦ ସୁଦ୍ଧା ୪୦ ହଜାର ହେକ୍ଟରରେ କଫି ଚାଷ କରି ୨୦,୮୦୦ ଟନ୍ କଫି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଭାରତ ହେଉଛି ବିଶ୍ବର ସପ୍ତମ ବୃହତମ କଫି ଉତ୍ପାଦନକାରୀ ଦେଶ। ବିଶ୍ବ ରପ୍ତାନି ପ୍ରତି ଏହାର ଅବଦାନ ୫ ପ୍ରତିଶତ ରହିଛି। ଏହା ଜର୍ମାନୀ, ଇଟାଲି, ରୁଷ, ତୁର୍କୀ ଓ ୟୁଏଇକୁ କଫି ରପ୍ତାନି କରୁଛି। ଏସିଆ ମହାଦେଶରେ ଭାରତ ହେଉଛି ବିଶ୍ବର ତୃତୀୟ ବୃହତ୍ କଫି ଉତ୍ପାଦନକାରୀ ଓ ରପ୍ତାନିକାରୀ। ଏହା ନିଜ ଉତ୍ପାଦନର ୭୦ ପ୍ରତିଶତ କଫି ରପ୍ତାନି କରୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତ ୧୮୦ କୋଟି ଡଲାରର କଫି ରପ୍ତାନି କରିଛି ଯାହା ପୂର୍ବବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ।