ଭୁବନେଶ୍ବର: ସୂଚନା ପ୍ରଯୁକ୍ତି ଶିଳ୍ପର ଅଗ୍ରଣୀ ସଂସ୍ଥା କଗ୍ନିଜାଣ୍ଟ ଭୁବନେଶ୍ବରରେ ନିଜସ୍ବ କ୍ୟାମ୍ପସ୍ ସ୍ଥାପନ କରିବ। ବର୍ତ୍ତମାନ କମ୍ପାନିର କେନ୍ଦ୍ର ଆଚାର୍ଯ୍ୟବିହାର ନିକଟସ୍ଥ ଓଡ଼ିଶା ପ୍ରଯୁକ୍ତି କେନ୍ଦ୍ରରେ ରହିଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କମ୍ପାନିର ସିଇଓ ରବି କୁମାର ଏସ୍‌ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭୁବନେଶ୍ବର ସହର ମଧ୍ୟରେ ନିଜସ୍ବ କ୍ୟାମ୍ପସ୍ ସ୍ଥାପନ କରିବା ଲାଗି କମ୍ପାନିର ରହିଥିବା ଯୋଜନା ସମ୍ପର୍କ‌ରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। କମ୍ପାନିକୁ ଜମି ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଭୁବନେଶ୍ବରରେ ସରକାର ଦେବେ ଜମି
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମ୍ପାନି ସିଇଓ

ଆଇଟି ଓ ତତ୍‌ ସଂକ୍ରାନ୍ତ ‌କ୍ଷେତ୍ରରେ ରାଜ୍ୟକୁ କିଭଳି ଅଧିକରୁ ଅଧିକ ପୁଞ୍ଜିନିବେଶ ଆସିପାରିବ ସେଥିରେ ସହଯୋଗ କରିବା ଲାଗି ରବି କୁମାରଙ୍କୁ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି। ରାଜ୍ୟର ଆଇଟି ଶିଳ୍ପ ପାଇଁ ସହଯୋଗ ପ୍ରଦାନ କରିବାକୁ ରବି କୁମାର ପ୍ରତିଶ୍ରୁତି ଦେଇଛନ୍ତି। ଜଣେ ଓଡ଼ିଆ ଭାବେ ରବି କୁମାର କଗ୍ନିଜାଣ୍ଟ ଭଳି କମ୍ପାନିର ନେତୃତ୍ବ ନେଉଛନ୍ତି। ତାଙ୍କୁ ପ୍ରବାସୀ ଭାରତୀୟ ଦିବସରେ ସମ୍ପର୍ଦ୍ଧିତ କରାଯାଇଛି। ଏହି ଅବସରରେ ରବି କୁମାର କହିଛନ୍ତି ଯେ ଭୁବନେଶ୍ବର ସହର ମଧ୍ୟରେ କମ୍ପାନି ସ୍ଥାପନ କରିବାକୁ ଥିବା କ୍ୟାମ୍ପସ୍‌କୁ ଭାରତର ସର୍ବବୃହତ କ୍ୟାମ୍ପସ୍‌ କରିବାକୁ ଚାହୁଛି। କମ୍ପାନିର ବର୍ତ୍ତମାନ କେନ୍ଦ୍ର ଯେଉଁଭଳି ଭାବେ ଅଗ୍ରଗତି କରୁଛି ତାହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ଆଗାମୀ ୫ ବର୍ଷରେ ଏହି ଅଭିବୃଦ୍ଧି ଆହୁରି ତ୍ବରାନ୍ବିତ ହେବ ବୋଲି ସେ କହିଛନ୍ତି। ୨୦୨୪ ଫେବ୍ରୁଆରିରେ ଆମେରିକୀୟ କମ୍ପାନି କଗ୍ନିଜାଣ୍ଟ ଭୁବନେଶ୍ବରରେ ଏହାର ନୂଆ କେନ୍ଦ୍ର ଖୋଲିଥିଲା। ୫୧ ହଜାର ବର୍ଗଫୁଟର ସେହି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୮୦୦ କର୍ମଚାରୀ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଲାଭ କରିଥିବା କଗ୍ନିଜାଣ୍ଟ ସିଇଓ ରବି କୁମାର ଶିବାଜୀ ୟୁନିଭର୍ସିଟିରୁ କେମିକାଲ ଇଞ୍ଜିନିୟରିଂ ଓ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଭୁବନେଶ୍ବରରୁ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି।