କୋଇଲା ଖଣି ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

ରାଜ୍ୟର ୪ଟି ଖଣି ‘େଓ୍ଵଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌’କୁ ଦେବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

ଭୁବନେଶ୍ୱର: ଓଡ଼ିଶାର ୪ଟି କୋଇଲା ଖଣିର ବିକାଶ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି। ଓଡ଼ିଶାରେ କୋଇଲା ଖଣିର ବିକାଶ କାର୍ଯ୍ୟ ପାଇଁ କୋଲ୍‌ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନି ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ ଦୀର୍ଘଦିନ ହେଲା କାର୍ଯ୍ୟ କରି ଆସୁଥିବାବେଳେ ରାଜ୍ୟର ୪ଟି ଖଣିକୁ କେନ୍ଦ୍ର ଖଣି ମନ୍ତ୍ରାଳୟ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ନାଗପୁରସ୍ଥିତ ସହାୟକ କମ୍ପାନି େଓ୍ଵଷ୍ଟର୍ଣ୍ଣ କୋଲ୍‌ଫିଲ୍ଡସ୍‌ ଲିମିଟେଡକୁ ଆବଣ୍ଟନ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ସରକାର ସହଜରେ ଗ୍ରହଣ କରିପାରି ନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମର୍ମରେ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଓଡ଼ିଶାର ଯେଉଁ ୪ଟି କୋଇଲା ଖଣିକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌(ଏମ୍‌ସିଏଲ୍‌) ବଦଳରେ େଓ୍ଵଷ୍ଟର୍ଣ୍ଣ କୋଲ୍‌ଫିଲ୍ହସ୍‌ ଲିମିଟେଡ(ଡବ୍ଲ୍ୟୁସିଏଲ୍‌)କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ସେଗୁଡ଼ିକ ହେଲା ରାମ୍ପିଆ, ରାମ୍ପିଆର ଡିପ୍‌ ସାଇଡ୍‌, ଘୋଗରପାଲ୍ଲୀ ଏବଂ ଘୋଗରପାଲ୍ଲୀର ଡିପ୍‌ ସାଇଡ୍‌। ଏମ୍‌ସିଏଲ୍‌ ପୂର୍ବରୁ ରାଜ୍ୟରେ ଅନେକ କୋଇଲା ଖଣିର ପରିଚାଳନା କରୁଥିବାରୁ ଏହି କୋଇଲା ଖଣି ଗୁଡ଼ିକୁ ମଧ୍ୟ ଏମ୍‌ସିଏଲ୍‌କୁ ପ୍ରଦାନ କରିବାକୁ ନବୀନ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, କୋଇଲା ଖଣି ପରିଚାଳନା ପାଇଁ କୋଇଲା କମ୍ପାନିର ସ୍ଥାନୀୟ ପ୍ରଶାସନ ସହିତ ଦୃଢ଼ ସମନ୍ଵୟର ଆବଶ୍ୟକତା ରହିଛି। ଖଣିର ବିକାଶ ପାଇଁ ଜମି ଅଧିଗ୍ରହଣ କରିବା ସହିତ ଅନେକ ଲୋକଙ୍କୁ ବିସ୍ଥାପନ ଓ ଥଇଥାନ କରିବାକୁ ପଡ଼ିଥାଏ। େଓ୍ଵଷ୍ଟର୍ଣ୍ଣ କୋଲଫିଲ୍ଡସ୍‌ ଲିମିଟେଡର ମୁଖ୍ୟ କାର୍ଯ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ରହିଛି। ତେଣୁ ଓଡ଼ିଶାରେ ଖଣିର ବିକାଶ ପାଇଁ ଆବଶ୍ୟକ ବିଭିନ୍ନ କାର୍ଯ୍ୟକୁ ନାଗପୁରର ଏହି କାର୍ଯ୍ୟାଳୟ ପ୍ରଭାବୀ ଢଙ୍ଗରେ ସମ୍ପାଦନ କରିପାରିବ ନାହିଁ। ଅନ୍ୟପକ୍ଷରେ ଏମ୍‌ସିଏଲ୍‌ ୨୦୧୭-୧୮ ଆର୍ଥିକ ବର୍ଷରେ ୧୪୩ ନିୟୁତ ଟନ୍‌ରୁ ଅଧିକ କୋଇଲା ଉତ୍ତୋଳନ କରି ରେକର୍ଡ ସ୍ଥାପନ କରିଛି। ତେଣୁ ଉପରୋକ୍ତ ଖଣି ଗୁଡ଼ିକର ବିକାଶ କାର୍ଯ୍ୟ ଏମ୍‌ସିଏଲ୍‌କୁ ପ୍ରଦାନ କରାଗଲେ ଏହି କମ୍ପାନି ପ୍ରଭାବିତ ପରିବାର ଗୁଡ଼ିକର ପୁନର୍ବାସ ଓ ଥଇଥାନ କାର୍ଯ୍ୟକୁ ଉତ୍ତମ ରୂପେ ସମ୍ପାଦନ କରିପାରିବ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଏମ୍‌ସିଏଲ୍‌ ଏହି କାର୍ଯ୍ୟ କରିବା ସହିତ ବ୍ୟବସାୟକୁ ଆଗକୁ ବଢ଼ାଇ ପାରିବ। ତେଣୁ କୋଇଲା ଖଣି ଆବଣ୍ଟନ ପ୍ରସଙ୍ଗର ପୁନଃ ଅନୁଧ୍ୟାନ କରାଯିବା ସହିତ କୋଲ୍‌ ଇଣ୍ଡିଆ ଲିମିଟେଡର ରାଜ୍ୟ ବାହାରେ ଥିବା ଏକ କମ୍ପାନିକୁ ଖଣି ଦେବା ପରିବର୍ତେ ଏମସିଏଲ୍‌କୁ ଦେବା ଲାଗି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ବର୍ତମାନ ପରିପ୍ରେକ୍ଷୀରେ ଏମ୍‌ସିଏଲ୍‌ ଯଦି ଅଧିକ କୋଇଲା ଖଣି ଖନନ କରିବାରେ ଅସମର୍ଥ ହୁଏ ତା’ହେଲେ କୋଲ୍‌ ଇଣ୍ଡିଆ ଲିମିଟେଡ ତାଳଚେର କୋଲ୍‌ଫିଲ୍‌ଡ ପାଇଁ ଅନ୍ୟ ଏକ ସହାୟକ କମ୍ପାନି ସ୍ଥାପନ ପାଇଁ ବିଚାର ମଧ୍ୟ କରିପାରିବ ବୋଲି ନବୀନ କହିଛନ୍ତି।

ସମ୍ବନ୍ଧିତ ଖବର