ନୂଆଦିଲ୍ଲୀ : ମୋବାଇଲ୍‌ ଫୋନ୍‌ ଲୋକମାନଙ୍କ ଜୀବନରେ ଏଭଳି ପ୍ରବେଶ କରିଛି ‌‌ଯେ ତାହା ନଥିବା ବେଳେ ଲୋକମାନଙ୍କ ମନରେ ଏକ ଭୟ ସୃଷ୍ଟି ହେଉଛି। ସେହି ଭୟକୁ 'ନୋମୋଫୋବିଆ' କୁହାଯାଉଛି। କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଭୟ ଅଧିକ ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଯେଉଁମାନେ ନୋମୋଫୋବିଆରେ ପୀଡ଼ିତ ସେମାନଙ୍କ ଶୟନ ଗୁରୁତର ଭାବେ ପ୍ରଭାବିତ ହୋଇଥାଏ ବୋଲି ଏହି ରିପୋର୍ଟରେ କୁହାଯାଇଛି। ସର୍ବେକ୍ଷଣ ଲାଗି କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ସଂଗ୍ରହ କରାଯାଇଥିବା ନମୁନାର ପ୍ରାରମ୍ଭିକ ଫଳାଫଳରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ମଧ୍ୟମ ଧରଣର କିମ୍ବା ଗମ୍ଭୀର ନୋମୋଫୋବିଆରେ ପୀଡ଼ିତ। ଯେଉଁମାନେ ଦିନ ବେଳା ଶୋଇ ପାରନ୍ତି ନାହିଁ ଏବଂ ରାତିରେ ମଧ୍ୟ ଭଲ ନିଦ ହୁଏ ନାହିଁ ସେମାନେ ଗମ୍ଭୀର ସମସ୍ୟାରେ ପୀଡ଼ିତ। ଅର୍କାନାସ୍‌ର କନ୍‌ୱେରେ ଥିବା ହେଣ୍ଡ୍ରିକ୍ସ କଲେଜର ମନସ୍ତତ୍ତ୍ବ ପ୍ରଫେସର ଜେନିଫର ପେସ୍‌କା କହିଛନ୍ତି ଯେ, ଯେଉଁ କଲେଜ ଛାତ୍ରଛାତ୍ରୀଙ୍କ ଠାରେ ନୋମୋଫୋବିଆର ଲକ୍ଷଣ ରହିଛି ସେମାନଙ୍କ ନିଦ୍ରା ପ୍ରଭାବିତ ହେଉଛି। ସେମାନେ ଦୀର୍ଘ ସମୟ ଶୋଉଛନ୍ତି। ଶେଯକୁ ଯିବା ଓ ଉଠିବାରେ କୌଣସି ସମାନତା ରହୁନାହିଁ।

Advertisment

ନିଦ୍ରା ଉପରେ ଗୁରୁତର ପ୍ରଭାବ
ଶୋଇବା ପୂର୍ବରୁ ଓ ଉଠିବା ପରେ ଫୋନ୍‌ଠାରୁ ଦୂରେଇ ରହିବାକୁ ପରାମର୍ଶ

ନିଦ୍ରା ସହିତ ନୋମୋଫୋବିଆର କ'ଣ ସମ୍ପର୍କ ରହିଛି ତାହା ଜାଣିବା ଲାଗି ଏହି ସର୍ବେକ୍ଷଣ କରାଯାଇଥିଲା। ମାତ୍ର ଏହା ଏତେ ଲୋକଙ୍କୁ ପ୍ରଭାବିତ କରିଥିବା ଜାଣିବା ପରେ ପ୍ରଫେସର ପେସ୍‌କା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ସର୍ବେକ୍ଷଣ ପାଇଁ ୨୦ ବର୍ଷ ବୟସ ଭିତରର ୩୨୭ଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଚାରକୁ ନିଆଯାଇଥିଲା। ପେସ୍‌କା କହିଛନ୍ତି, ଯେଉଁମାନେ ନୋମୋଫୋବିଆରେ ପୀଡ଼ିତ ସେମାନେ ଶେଯକୁ ଯିବା ପୂର୍ବରୁ କିମ୍ବା ଉଠିବା ପରେ ଫୋନ୍ ଠାରୁ ଦୂରେଇ ରହିବା ଉଚିତ। ସେ ଏହା ମଧ୍ୟ ଜଣାଇଛନ୍ତି ଯେ, ଯେଉଁମାନେ ଏହି ପରାମର୍ଶ ମାନିବେ ସେମାନେ ଶେଯରେ ‌ଶୋଇବା ବେଳେ ଆହୁରି ଉଦବିଗ୍ନ ହୋଇପାରନ୍ତି ଏବଂ ତାଙ୍କ ନିଦ୍ରାରେ ଉନ୍ନତି ହେବା ବଦଳରେ ଆହୁରି ବିଗିଡ଼ିପାରେ।