ନିଜେ ଗଢ଼ିଥିବା କଂପାନି ହରାଇବା ଭୟ

୨୧୦୦ କଂପାନି ପରିଶୋଧ କଲେ ୮୩ ହଜାର କୋଟି

ନୂଆଦିଲ୍ଲୀ: ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)କୁ ନେଇ ଋଣ ନେଇଥିବା କଂପାନିଗୁଡ଼ିକ ମଧ୍ୟରେ ଭୟ ପ୍ରକାଶ ପାଇଛି। ନିଜେ ପ୍ରତିଷ୍ଠା କରିଥିବା କଂପାନିକୁ ହରାଇବା ଭୟରେ ପ୍ରାୟ ୨୧୦୦ଟି କଂପାନି ୮୩ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପରିଶୋଧ କରିଛନ୍ତି। ଯେଉଁ କଂପାନିଗୁଡ଼ିକ ବ୍ୟାଙ୍କଠାରୁ ବିପୁଳ ପରିମାଣର ଋଣ ନେଇ ଜାଣିଶୁଣି ପରିଶୋଧ କରୁନାହାନ୍ତି ସେମାନଙ୍କ ବିରୋଧରେ ବ୍ୟାଙ୍କରପ୍‌ସି କୋଡ୍‌ ଆଧାରରେ ମାମଲା ଦାୟର କରାଯାଉଛି। ମାମଲାର ଶୁଶାଣି ଉପରେ କଂପାନିର ଭାଗ୍ୟ ନିର୍ଭର କରୁଛି। ନିକଟରେ ଏଭଳି ଏକ ମାମଲା ଉପରେ ସରକାର ବିଜୟ ହାସଲ କରିଛନ୍ତି। ଦେବାଳିଆ ହୋଇପଡ଼ିଥିବା ଇସ୍ପାତ କଂପାନି ଭୂଷଣ ଷ୍ଟିଲ୍‌କୁ ନିଲାମ କରାଯାଇଛି। ଏହାକୁ ଟାଟା ଷ୍ଟିଲ୍‌ ଅଧିଗ୍ରହଣ କରିଛି। ଏହି ପ୍ରକ୍ରିୟାରେ ବ୍ୟାଙ୍କଗୁଡ଼ିକ ନିଜର ୩୫ ହଜାର କୋଟି ଟଙ୍କାର ଋଣ ଅର୍ଥ ଫେରି ପାଇବାର ଆଶା ସୃଷ୍ଟି ହୋଇଛି।

ସରକାର ବ୍ୟାଙ୍କରପ୍‌ସି କୋଡ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିବା ପରେ ଅନେକ କଂପାନି ନିଜ ଆଡୁ ଋଣ ପରିଶୋଧ କରିଛନ୍ତି। ଦେବାଳିଆ ନିୟମ ଆଧାରରେ ଯେଉଁ କଂପାନି ବିରୋଧରେ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ମାମଲାର ଶୁଣାଣି ଆରମ୍ଭ ହେବ ଉକ୍ତ କଂପାନିର କୌଣସି ପ୍ରମୋଟର ବା ମାଲିକ ନିଲାମ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ ବୋଲି ସରକାର ଜଣାଇ ଦେଇଛନ୍ତି। ଏନେଇ ବ୍ୟାଙ୍କରପ୍‌ସି କୋଡ୍‌ରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ପରେ ବ୍ୟାଙ୍କରପ୍‌ସି ମାମଲାଗୁଡ଼ିକର ଶୁଣାଣି ତ୍ୱରାନ୍ଵିତ ହୋଇଛି।
ଯେତେବେଳେ ବ୍ୟାଙ୍କରପ୍‌ସି କୋଡ୍‌ର୍ରେ ଏହି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଗଲା ତାହାକୁ ଶିଳ୍ପପତିମାନେ ଘୋର ବିରୋଧ କରିଥିଲେ। ମାତ୍ର ସେଥିରେ ସରକାର ବିଚଳିତ ହୋଇନଥିଲେ। ସଂଶୋଧିତ କୋଡ୍‌ ଲାଗୁ ହେବା ପରେ ନିଜ ନିଜ ଦେବାଳିଆ କଂପାନିର ନିଲାମରେ ଭାଗ ନେବାରୁ ଏସାର୍‌ର ରୁଇୟା, ଭୂଷଣର ସିଂଘଲ ଓ ଜୟପ୍ରକାଶ ଗ୍ରୁପ୍‌ର ମାଲିକ ବଞ୍ଚିତ ହୋଇଥିଲେ। ତେବେ ଯେଉଁ ପ୍ରମୋଟରମାନେ ବ୍ୟାଙ୍କର ବକେୟା ଋଣ ପରିଶୋଧ କରୁଛନ୍ତି ସେମାନଙ୍କୁ ନିଲାମ ପ୍ରକ୍ରିୟାରେ ଭାଗ ନେବାର ସୁଯୋଗ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର