ଦରଦାମ ମୁକାବିଲା: ୨୦ ଲକ୍ଷ ଟନ୍ ଖାଇବା ତେଲ ଆସିବ

ବିନା ଶୁଳ୍କରେ ଆମଦାନି ପାଇଁ ଅନୁମତି. ଚିନି ରପ୍ତାନି ଉପରେ ରୋକ ଲାଗିବ

ନୂଆଦିଲ୍ଲୀ: ବେଲଗାମ ହୋଇପଡ଼ିଥିବା ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇ ବିନା ଶୁଳ୍କରେ ୨୦ ଲକ୍ଷ ଟନ୍ ଖାଇବା ତେଲ ଆମଦାନି କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ସୋୟାବିନ ଓ ସନ୍‌ଫ୍ଲାୱାର ତେଲ ଆମଦାନି ଉପରେ ଆମଦାନି ଶୁଳ୍କ ଓ କୃଷି ଓ ଭିତ୍ତିଭୂମି ବିକାଶ ସେସ୍‌ ଲାଗୁ କରାଯିବ ନାହିଁ। ୨୦୨୨-୨୩ ଓ ୨୦୨୩-୨୪ ଦୁଇ ଆର୍ଥିକ ବର୍ଷ ପାଇଁ ଏହି ନିଷ୍ପତ୍ତି ବଳବତ୍ତର ରହିବ। ଦେଶ ଭିତରେ ଖାଇବା ତେଲ ବିଶେଷ କରି ସୋୟାବିନ ତେଲ ଓ ସନ୍‌ଫ୍ଲାୱାର ତେଲର ଦାମ୍‌ କମ୍ କରିବାରେ ଏହା ବିଶେଷ ସହାୟକ ହେବ। କୃଷି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ନିମନ୍ତେ ପାଣ୍ଠି ଯୋଗାଡ଼ କରିବା ଲାଗି କୃଷି ଭିତ୍ତିଭୂମି ଓ ବିକାଶ ସେସ୍‌ ଲାଗୁ କରାଯାଇଥିଲା। ଭାରତ ନିଜ ଆବଶ୍ୟକତାର ୬୦% ‌ଖାଇବା ତେଲ ଆମଦାନି କରୁଛି। କୃଷ୍ଣ ସାଗର ଅଞ୍ଚଳରୁ ଅଧିକ ମାତ୍ରାରେ ତେଲ ମଗାଯାଇଥାଏ। ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରଠାରୁ ଏହି ରୁଟ୍‌ରେ ଖାଇବା ତେଲ ଯୋଗାଣ ପ୍ରଭାବିତ ହୋଇଛି ଯାହା ତେଲ ଦାମ୍‌କୁ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଏହା ବ୍ୟତୀତ ମାଲେସିଆରେ ସୀମିତ ଉତ୍ପାଦନ ଓ ଇଣ୍ଡୋନେସିଆ ପକ୍ଷରୁ ପାମ୍ ଅଏଲ୍‌ ରପ୍ତାନି ଉପରେ ସାମୟିକ ‌ରୋକ ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି।

ଦରଦାମ୍ ସ୍ଥିତିର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଏବେ ସଂଘର୍ଷ କରୁଛନ୍ତି। ବିଶେଷ କରି ଖାଦ୍ୟ ସାମଗ୍ରୀ, ଇନ୍ଧନ ଓ ଫସଲ ଉପାଦାନର ମୂଲ୍ୟ ଏତେ ବଢ଼ିଯାଇଛି ଯେ ତାହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏପ୍ରିଲ୍‌ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୮ ବର୍ଷ‌ରେ ସର୍ବାଧିକ ଓ ପାଇକାରୀ ମୁଦ୍ରାସ୍ଫୀତି ହାର ୩୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ତ୍ବରିତ ପଦକ୍ଷେପ ଗ୍ରହଣ କରି ସୁଧ ହାରକୁ ୦.୪୦% ବଢ଼ାଇ ଦେଇଛି। ଏଥି ସହିତ କେନ୍ଦ୍ର ସରକାର ପେଟ୍ରୋଲ୍‌, ଡିଜେଲ୍‌, କୁକିଂ କୋଲ୍ ଓ ଇସ୍ପାତ ଉତ୍ପାଦନରେ ବ୍ୟବହାର ହେଉଥିବା ବହୁ ପ୍ରମୁଖ କଞ୍ଚାମାଲ ଉପରୁ ଟିକସ ହ୍ରାସ କରିଛନ୍ତି। ଫସଲ ପୋଷକ ତତ୍ତ୍ବ ଉପରେ ସବ୍‌ସିଡିକୁ ମଧ୍ୟ ବୃଦ୍ଧି କରାଯାଇଛି।

ଚିନି ରପ୍ତାନି ଉପରେ ରୋକ ଲାଗିବ

ନୂଆଦିଲ୍ଲୀ: ଛଅ ବର୍ଷ ପରେ ପ୍ରଥମ ଥର ଲାଗି କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ ରୋକ ଲଗାଇବା ବିଷୟରେ ବିଚାର କରୁଛନ୍ତି। ଦେଶ ଭିତରେ ମହଙ୍ଗା ହୋଇପଡ଼ିଥିବା ଚିନିର ଦାମ୍‌ ହ୍ରାସ କରିବା ଲାଗି ଏହାର ରପ୍ତାନି କମ୍ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଅତିବେଶିରେ ୧୦ ନିୟୁତ ଟନ୍ ଚିନି ରପ୍ତାନି ଲାଗି ଅନୁମତି ମିଳିବ ବୋଲି କୁହାଯାଉଛି। ଭାରତ ହେଉଛି ବିଶ୍ବର ସର୍ବବୃହତ ଚିନି ଉତ୍ପାଦନକାରୀ ଓ ବ୍ରାଜିଲ ପଛକୁ ଦ୍ବିତୀୟ ବଡ଼ ରପ୍ତାନିକାରୀ । ୨୦୧୭-୧୮ ତୁଳନାରେ ୨୦୨୧-୨୨ରେ ୧୫ ଗୁଣା ଅଧିକ ଚିନି ରପ୍ତାନି କରାଯାଇଥିଲା। ଇଣ୍ଡୋନେସିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଲାଂଦେଶ, ୟୁଏଇ, ମାଲେସିଆ ଓ ଆଫ୍ରିକୀୟ ଦେଶଗୁଡ଼ିକ ଭାରତଠାରୁ ଚିନି କିଣିଥାନ୍ତି।

ସମ୍ବନ୍ଧିତ ଖବର