ଦେଶ ପାଇଁ ଏକ ନୂଆ ଶିକ୍ଷା ନୀତି ପ୍ରସ୍ତୁତ କରାଯାଉଛି। ତାହାକୁ ଖୁବ୍ଶୀଘ୍ର ଉନ୍ମୋଚନ କରାଯିବ ବୋଲି ବଜେଟ୍ରେ ଘୋଷଣା କରାଯାଇଛି। ଏହା ବ୍ୟତୀତ ବିଶ୍ବ ସ୍ତରୀୟ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ ୪୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଉଚ୍ଚ ଶିକ୍ଷା କମିସନ ପାଇଁ ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ବଜେଟ୍ରେ ସୂଚନା ଦିଆଯାଇଛି। ଭାରତରେ ପାଠପଢ଼ିବା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରିବା ନିମନ୍ତେ ‘ଷ୍ଟଡି ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଖେଲୋ ଇଣ୍ଡିଆ ସ୍କିମ୍ ଅଧୀନରେ ‘ନ୍ୟାସନାଲ୍ ସ୍ପୋର୍ଟସ୍ ଏଜୁକେସନ ବୋର୍ଡ’ ସ୍ଥାପନ କରାଯିବ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ବିଷୟରେ ଯୁବପିଢ଼ିଙ୍କୁ ସଚେତନ ଓ ଅବଗତ କରିବା ପାଇଁ ‘ଗାନ୍ଧୀ-ପେଡ଼ିଆ’ ବିକଶିତ କରାଯିବ।
ଚଳିତ ବର୍ଷ ବଜେଟ୍ରେ ସବ୍ସିଡି ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରାଯାଇଛି। ୨୦୧୯-୨୦ ପାଇଁ ୩,୦୧,୬୯୪ କୋଟି ଟଙ୍କାର ସବ୍ସିଡି ବିଲ୍ ଧାର୍ଯ୍ୟ କରାଯାଇଛି ଯାହା ପୂର୍ବବର୍ଷ ତୁଳନାରେ ୧୩.୩୨ ପ୍ରତିଶତ ଅଧିକ। ତେଲ ସବ୍ସିଡି ବାବଦରେ ସରକାର ସର୍ବାଧିକ ୩୭,୪୭୮ କୋଟି ଟଙ୍କା ଖର୍ଚ କରିବେ। ସେଥି ମଧ୍ୟରୁ ଏଲ୍ପିଜି ପାଇଁ ୩୨,୯୮୯ କୋଟି ଟଙ୍କା, କିରୋସିନି ପାଇଁ ୪୪୮୯ କୋଟି ଟଙ୍କା ପ୍ରଦାନ କରାଯିବ। ଖାଦ୍ୟ ସବ୍ସିଡି ପରିମାଣ ୭.୫୪% ବୃଦ୍ଧି ପାଇ ୧,୮୪,୨୨୦ କୋଟି ଟଙ୍କା ହୋଇଛି। ସାର ସବ୍ସିଡି ବାବଦରେ ୧୪.୧୪% ଅଧିକ ଅର୍ଥ ଅର୍ଥାତ ୭୯,୯୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ୟୁରିଆ ସବ୍ସିଡି ପାଇଁ ୫୩,୬୨୯ କୋଟି ଟଙ୍କା ଓ ପୋଷଣ ଭିତିକ ସବ୍ସିଡି ବାବଦରେ ୨୬,୩୬୭ କୋଟି ଟଙ୍କା ପ୍ରଦାନ କରାଯାଇଛି।