ସାମଗ୍ରୀ ମୂଲ୍ୟରୁ ଟିସିଏସ୍‌ ବାଦ୍ ପଡ଼ିବ : ଦାମୀ କାର୍‌, ଗହଣା କ୍ରୟ ଶସ୍ତା ହେବ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦାମୀ କାର୍ ଓ ମୂଲ୍ୟବାନ ଧାତୁର ଗହଣା କିଣିବା ଗ୍ରାହକଙ୍କୁ କମ୍ ଅର୍ଥ ଦେବାକୁ ପଡ଼ିବ। କାରଣ ଜିଏସ୍‌ଟି ଦେୟ ହିସାବ ସମୟରେ ଟିସିଏସ୍ ବା ଉତ୍ସରୁ ଆଦାୟ ହେଉଥିବା ଟିକସକୁ ସାମଗ୍ରୀର ମୂଲ୍ୟରୁ ବାଦ୍ ଦିଆଯିବ। ଆୟକର ଆଇନ ଅନୁଯାୟୀ, ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମୋଟର ଯାନ କ୍ରୟ ସମୟରେ ୧ ପ୍ରତିଶତ ଟିସିଏସ୍ ଲାଗିଥାଏ। ସେହିଭଳି ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଏବଂ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାରୁପା କ୍ରୟ ସମୟରେ ଏହି ଟିସିଏସ୍ ଗଣିବାକୁ ପଡ଼ୁଛି। ଅନ୍ୟାନ୍ୟ କ୍ରୟ କ୍ଷେତ୍ରରେ ମଧ୍ୟ ଭିନ୍ନ ଭିନ୍ନ ହାରରେ ଟିସିଏସ୍ ଆଦାୟ କରାଯାଉଛି। ତେବେ କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଏକ ସର୍କୁଲାରରେ କୁହାଯାଇଛି, ଜିଏସଟି ହିସାବ ସମୟରେ ସାମଗ୍ରୀର ମୂଲ୍ୟ ଉପରୁ ଟିସିଏସ୍‌ ପରିମାଣକୁ ବାଦ୍ ଦିଆଯିବ। ପୂର୍ବରୁ ଗତ ଡିସେମ୍ବରରେ ସିବିଆଇସି ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଥିଲା, ଆୟକର ଆଇନ ଅଧୀନରେ ଯେଉଁଠି ଟିସିଏସ୍‌ ପ୍ରଯୁଜ୍ୟ ସେଠାରେ ଜିଏସ୍‌ଟି ଦେୟ ହିସାବ ସମୟରେ ଟିସିଏସ୍‌କୁ ସାମିଲ କରାଯିବ। କିନ୍ତୁ ପରେ ବିଭିନ୍ନ ବର୍ଗର ଦାବି ସମେତ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ସହିତ ପରାମର୍ଶ ପରେ ଜିଏସ୍‌ଟି ଆଦାୟ ପାଇଁ ସାମଗ୍ରୀର ମୂଲ୍ୟାୟନ କରାଯିବାବେଳେ ସେଥିରୁ ଟିସିଏସ୍‌କୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିବା ସିବିଆଇସି କହିଛି।

ସମ୍ବନ୍ଧିତ ଖବର