ଭୁବନେଶ୍ୱର: ଓଡ଼ିଶାରେ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ୪ଜି ସେବା ୨୦୧୮-୧୯ରେ ଆରମ୍ଭ କରାଯିବ ବୋଲି କଂପାନିର ସିଜିଏମ୍‌ ସତ୍ୟାନନ୍ଦ ନାୟକ କହିଛନ୍ତି। କଂପାନି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଓ ମୋବାଇଲ୍‌ ସେବା ଅଧିକ ସ୍ଥାନରେ ପହଞ୍ଚିବା ପାଇଁ ବିଏସ୍‌ଏନଏଲ୍‌ ୭୫୦ଟି ନୂଆ ବିଟିଏସ୍‌ ସ୍ଥାପନ କରିବା କାମ ଜାରି ରଖିଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ମୋବାଇଲ୍‌ ନେଟ୍‌ଓ୍ଵର୍କକୁ ଅପ୍‌ଗ୍ରେଡ୍‌ କରାଯାଉଛି। ଏସବୁ ବାଦରେ କଂପାନି ସମୁଦାୟ ୧୯୮ କୋଟି ଟଙ୍କା ବିନିଯୋଗ କରିବ।

Advertisment

ଏପ୍ରିଲ୍‌ ପହିଲାଠାରୁ କଂପାନି ଗ୍ରାହକମାନଙ୍କ ପାଇଁ କେତେକ ନୂଆ ପ୍ଲାନ୍‌ ଆରମ୍ଭ କରିବ। ସେଥି ମଧ୍ୟରେ ରହିଛି ଜିଏସ୍‌ଏମ୍‌ ଏଫ୍‌ଡବ୍‌ଲ୍ୟୁପି-୧୦୦୧ ପ୍ଲାନ୍‌। ଏଥିରେ ୧୦୦% ଟଙ୍କା ଫେରସ୍ତ ମିଳିବ। ସେହିପରି ନୂଆ ବ୍ରଡ୍‌ବ୍ୟାଣ୍ଡ ପାରିବାରିକ ପ୍ଲାନ୍‌-୧୧୯୯ ପ୍ରଚଳନ କରାଯିବ। ଏହା ବ୍ୟତୀତ କଂପାନି ଏକ ନୂଆ ଲ୍ୟାଣ୍ଡ୍‌ଲାଇନ୍‌ ପ୍ଲାନ୍‌ ମଧ୍ୟ ପ୍ରଚଳନ କରିବାକୁ ଯୋଜନା ରଖିଛି।

ଯେକୌଣସି ନେଟ୍‌ଓ୍ଵର୍କକୁ ଅସୀମିତ କଲ୍‌ ସୁବିଧା ପ୍ରଦାନ କରିବା ପାଇଁ ବିଏସ୍‌ଏନ୍‌ଏଲ୍‌ ୯୯ ଟଙ୍କିଆ, ୧୧୮ ଟଙ୍କିଆ ଓ ୩୧୯ ଟଙ୍କିଆ ପ୍ଲାନ୍‌ ପ୍ରଚଳନ କରିଛି।

୨୦୧୭-୧୮ ଆର୍ଥିକ ବର୍ଷରେ କଂପାନି ୧୩.୮୫ ଲକ୍ଷ ନୂଆ ଗ୍ରାହକ ହାସଲ କରିଛି। ସେଥିରେ ଏମ୍‌ଏନ୍‌ପି ଜରିଆରେ ଅନ୍ୟ କଂପାନିରୁ ଆସିିଥିବା ୪ ଲକ୍ଷ ୧୪ ହଜାର ୭୬୩ ଜଣ ଗ୍ରାହକ ରହିଛନ୍ତି। କଂପାନି ୨୩୦୦ ନୂଆ ଲିଜ୍‌ ଲାଇନ୍‌ ଓ ମୋଟ ୩୬,୧୮୦ ନୂଆ ଲ୍ୟାଣ୍ଡ୍‌ଲାଇନ୍‌ ଓ ୧୯,୦୦୫ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ପ୍ରଦାନ କରିଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ଅବସରରେ କଂପାନିର ମହାପ୍ରବନ୍ଧକ (ବିକ୍ରି ଓ ବିପଣନ) ଡି କେ ବେହେରା ଉପସ୍ଥିତ ଥିଲେ।