ନୂଆଦିଲ୍ଲୀ: ତୈଳ କମ୍ପାନିଗୁଡ଼ିକ ୧୯ କେଜିଆ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଦାମ୍ରେ ୬୨ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ଦିଲ୍ଲୀରେ ଏହାର ଦାମ୍ ୧୮୦୨ ଟଙ୍କା ହୋଇଛି। କିନ୍ତୁ ରୋଷେଇ ଲାଗି ଘରେ ଘରେ ବ୍ୟବହାର ହେଉଥିବା ୧୪.୨ କେଜିଆ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଲଗାତାର ଚତୁର୍ଥ ମାସ ଲାଗି ବାଣିଜ୍ୟିକ ଏଲ୍ପିଜି ଦାମ୍ ବଢ଼ିଛି। ଏହା ପୂର୍ବରୁ ଅଗଷ୍ଟ ୧ରେ ଏହାର ଦାମ୍ ୬ ଟଙ୍କା ୫୦ ପଇସା, ସେପ୍ଟେମ୍ବର ୧ରେ ୩୯ ଟଙ୍କା ଓ ଅକ୍ଟୋବର ୧ରେ ୪୮ ଟଙ୍କା ୫୦ ପଇସା ବଢ଼ିଥିଲା।
ବାଣିଜ୍ୟିକ ଏଲ୍ପିଜି ଦାମ୍ ବଢ଼ୁଥିବାରୁ ହୋଟେଲ୍, ରେସ୍ତୋରାଁ, କ୍ୟାଟରିଂ ସଂସ୍ଥାଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଶୁକ୍ରବାର ବିମାନ ଇନ୍ଧନ ଦାମ୍ ମଧ୍ୟ କିଲୋଲିଟର ପିଛା ୨୯୪୧ ଟଙ୍କା ବୃଦ୍ଧି ପାଇ ୯୦,୫୩୮.୭୨ ଟଙ୍କା ହୋଇଛି। ପୂର୍ବ ଦୁଇ ମାସରେ ଏହାର ଦାମ୍ କମିଥିଲା। ସେପ୍ଟେମ୍ବରରେ ବିମାନ ଇନ୍ଧନ ଦାମ୍ ୪୪୯୫ ଟଙ୍କା ଓ ଅକ୍ଟୋବରରେ ୫୮୮୩ ଟଙ୍କା କମିଥିଲା। ପ୍ରତି ମାସର ପ୍ରଥମ ଦିନରେ ଦେଶର ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ରୋଷେଇ ଗ୍ୟାସ୍ ଓ ବିମାନ ଇନ୍ଧନ ମୂଲ୍ୟରେ ସଂଶୋଧନ କରୁଛନ୍ତି।