ପୁରୁଣା ପେନସନ ‌ଯୋଜନା ଲାଗୁ ଚାପ ବଢ଼ିବା ପରେ ଏନ୍‌ପିଏସ୍‌ ସମୀକ୍ଷା ପାଇଁ କମିଟି ଗଠନ

କମିଟିର ନେତୃତ୍ବ ନେବେ ଅର୍ଥ ସଚିବ, ‌କର୍ମଚାରୀ ଓ ଦେଶର ସ୍ବାର୍ଥକୁ ଦୃଷ୍ଟି ଦେବ କମିଟି

ନୂଆଦିଲ୍ଲୀ : ଦେଶରେ ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଦାବି କରୁଛନ୍ତି। ସରକାରଙ୍କ ଉପରେ ଗତ କିଛିମାସ ହେଲା ଏହି ଚାପ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ନୂଆ ପେନସନ ଯୋଜନା (ଏନ୍‌ପିଏସ୍‌)କୁ କିଭଳି ଅଧିକ ଆକର୍ଷଣୀୟ କରାଯାଇ ପାରିବ ସେ ନେଇ ଏକ କମିଟି ଘୋଷଣା କରିଛନ୍ତି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ ବୋଲି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ଲୋକସଭାରେ ଅର୍ଥ ବିଲ୍‌ ୨୦୨୩କୁ ଗୃହୀତ ପାଇଁ ପ୍ରସ୍ତାବ ରଖିବା ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି, ଏନପିଏସ୍‌ରେ ଉନ୍ନତି ଆଣିବା ଲାଗି ବିଭିନ୍ନ ମହଲରୁ ସରକାରଙ୍କ ନିକଟକୁ ପ୍ରସ୍ତାବମାନ ଆସିଛି। ତେଣୁ ଅର୍ଥ ସଚିବଙ୍କ ନେତୃତ୍ବରେ ଗଠିତ କମିଟି ଗୋଟିଏ ପଟେ କର୍ମଚାରୀଙ୍କ ସ୍ବାର୍ଥ ଏବଂ ଅନ୍ୟପଟେ ଦେଶର ବିତ୍ତୀୟ ସ୍ଥିତି ବା ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟି ଦେବ। ନୂଆ ବ୍ୟବସ୍ଥା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗ୍ରହଣ ପାଇଁ ପ୍ରସ୍ତୁତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଦେଶରେ କେତେକ ଅଣବିଜେପି ଶାସିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଅନେକ ରାଜ୍ୟର କର୍ମଚାରୀମାନେ ଏଥିପାଇଁ ଦାବି ଏବଂ ଆନ୍ଦୋଳନ କରିଆସୁଛନ୍ତି। ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ସରକାର ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନେଇଥିବା ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ସାରିଛନ୍ତି। ତେଣୁ ନୂଆ ପେନସନ ଯୋଜନାରେ କର୍ମଚାରୀମାନଙ୍କର ଯେଉଁ ଅର୍ଥ ଜମା ରହିଛି ତାହାକୁ ସେମାନଙ୍କୁ ଫେରାଇବା ପାଇଁ ଦାବି କରିଛନ୍ତି।

ପୂର୍ବରୁ ସରକାର ସଂସଦରେ କହିଥିଲେ ୨୦୦୪ ଜାନୁଆରି ପହିଲାରୁ ଦେଶରେ ନିଯୁକ୍ତି ପାଇଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। ପୁରୁଣା ପେନସନ ଯୋଜନାରେ ସରକାରୀ କର୍ମଚାରୀମାନେ ଅବସର ନେବା ପରେ ସେମାନଙ୍କ ଶେଷ ମାସ ଦରମାର ଅଧା ପେନସନ ବାବଦରେ ପାଉଥିଲେ। ଏଥିସହିତ ମହଙ୍ଗାଭତ୍ତା ବୃଦ୍ଧି ସହିତ ତାଳ ଦେଇ ସେମାନଙ୍କ ପେନସନ ରାଶି ବଢ଼ିଥାଏ। ତେବେ ଏହି ପେନସନ ଯୋଗୁ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ୁଥିବାରୁ ଏହାକୁ ଚଳାଇ ରଖିବା ସମ୍ଭବ ନୁହେଁ।

ଅନ୍ୟପକ୍ଷରେ ସେନା ବ୍ୟତୀତ କେନ୍ଦ୍ର ସରକାରରେ ୨୦୦୪ ଜାନୁଆରି ୧ କିମ୍ବା ତା’ପରେ ‌ଯୋଗ ଦେଉଥିବା ସବୁ କର୍ମଚାରୀଙ୍କ ପାଇଁ ଏନପିଏସ ଲାଗୁ କରାଯାଇଛି। ଅଧିକାଂଶ ରାଜ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ନୂଆ ପେନସନ ଯୋଜନା କାର୍ଯ୍ୟକାରୀ କରିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ପେନସନ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆର୍‌ଡିଏ)ର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨୬ଟି ରାଜ୍ୟ ଏହାର ବିଜ୍ଞପ୍ତି ଜାରି କରିଥିବା‌ବେଳେ ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ଏ ନେଇ ବିଜ୍ଞପ୍ତି ଜାରି କରିନାହାନ୍ତି। ତେବେ ୨୦୦୯ ମେ’ ପହିଲାରୁ ନୂଆ ପେନସନ ଯୋଜନା ଦେଶର ସବୁ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଗତବର୍ଷ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଦେଶରେ ସବୁ ରାଜ୍ୟ ସରକାର ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିଲେ ୩୧.୦୪ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ। ସେହିଭଳି ରିଜର୍ଭ ବ୍ୟାଙ୍କ ମଧ୍ୟ କହିଥିଲା ଯେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ବିଗିଡ଼ିଯିବ। ଉଲ୍ଲେଖଯୋଗ୍ୟ, ୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ ପୁରୁଣା ପେନସନ ଯୋଜନା ପରିବର୍ତ୍ତେ ନୂଆ ପେନସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ସରକାରୀ କର୍ମଚାରୀମାନେ ନୂଆ ପେନସନ ଯୋଜନାରେ ସେମାନଙ୍କ ଦରଦାମର ୧୦ ପ୍ରତିଶତ ଜମା ରଖୁଥିବାବେଳେ ସରକାର ୧୪ ପ୍ରତିଶତ ଅର୍ଥ ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର