ଡିଲର୍‌ସିପ୍‌ରୁ ଷ୍ଟକ୍‌ ସରୁନି, ଗାଡ଼ି କଂପାନିଙ୍କ ପୁରୁଣା ଷ୍ଟକ୍‌ ଚିନ୍ତା

ନୂଆଦିଲ୍ଲୀ: ଦେଶର ଗାଡ଼ି କଂପାନିଗୁଡ଼ିକ ପୁରୁଣା ଷ୍ଟକକୁ ନେଇ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଫେବ୍ରୁଆରି ମାସ ‌ଶେଷ ହେବାକୁ ଯାଉଥିବା ବେଳେ ସେମାନଙ୍କ ପାଖରେ ଥିବା ବିଏସ୍‌-୪ ଗାଡ଼ିଗୁଡ଼ିକର ଷ୍ଟକ ହ୍ରାସ ପାଉନି। ଡିଲର୍‌ସିପ୍‌ଗୁଡ଼ିକରେ ଯେତିକି ଷ୍ଟକ ଅଛି ତାହା ଶେଷ ହେବା ଲାଗି ୨୫ରୁ ୩୦ ଦିନ ସମୟ ଲାଗିବ। ଆସନ୍ତା ଏପ୍ରିଲ୍ ପହିଲା ପୂର୍ବରୁ ସବୁ ବିଏସ୍‌-୪ ମଡେଲ୍‌ଗୁଡ଼ିକୁ ବିକ୍ରି କରିବା ଲାଗି କଂପାନିଗୁଡ଼ିକ ଉପରେ ଚାପ ରହିଛି। ଏଭଳି ଏକ ସମୟରେ ଗାଡ଼ି ବିକ୍ରିରେ ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ନହେବା କଂପାନିଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ଜାନୁଆରିରେ ଗାଡ଼ି ବିକ୍ରି ୭.୨% କମିଛି। ଦୁଇ ଚକିଆ ଯାନ ବିକ୍ରି ୮.୮ ପ୍ରତିଶତ ଓ ବାଣିଜ୍ୟିକ ଯାନ ବିକ୍ରି ୬.୯ ପ୍ରତିଶତ ହ୍ରାସ ପାଇଛି। ଗତ ଡିସେମ୍ବର ତୁଳନାରେ ପୁରୁଣା ଷ୍ଟକର ମାତ୍ରା ବହୁତ କମିଛି। ମାତ୍ର ଏବେ ଯେତିକି ପରିମାଣର ବିଏସ୍‌-୪ ଗାଡ଼ି ରହିଛି ଯାହା ଯଦି ଏପ୍ରିଲ୍ ପୂର୍ବରୁ ବିକ୍ରି ହୋଇନପାରିବ ତେବେ ସେଗୁଡ଼ିକୁ ନଷ୍ଟ କରିବାକୁ ହେବ। ଏହା ହେଲେ କଂପାନିଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ଗ୍ରାହକମାନେ କେଉଁ ଗାଡ଼ି କିଣିବେ ନିଷ୍ପତି ନେଇପାରୁନାହାନ୍ତି। ଅନେକ ଗ୍ରାହକ ବିଏସ୍‌-୬ ମଡେଲ୍ ଦାମ୍‌କୁ ଅପେକ୍ଷା କରିଛନ୍ତି। କିଛି ଗ୍ରାହକ ଭାବୁଛନ୍ତି ମାର୍ଚ୍ଚରେ ବିଏସ୍‌-୪ ଗାଡ଼ି ବହୁତ ଶସ୍ତାରେ ମିଳିବ।

ବିଏସ୍‌-୪ ଦୁଇଚକିଆ ଗାଡ଼ି ଉପରେ ଅଫର
ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍‌ରୁ ଦେଶରେ ବିଏସ୍‌-୬ ନିୟମ ଲାଗୁ ହେବ। ଏହା ପର ଠାରୁ କେବଳ ବିଏସ୍‌-୬ ଗାଡ଼ି ଦେଶରେ ବିକ୍ରି ଓ ପଞ୍ଜୀକୃତ ହେବ। ଏହି ନିୟମ ଲାଗୁ ହେବାକୁ ମାସେରୁ ଅଧିକ ସମୟ ବାକିଥିବା ବେଳେ ପୁରୁଣା ଷ୍ଟକ ଶେଷ କରିବା ଲାଗି ଦୁଇ ଚକିଆ ଯାନ କଂପାନିଗୁଡ଼ିକ ଭିତରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ସେମାନେ ଗ୍ରାହକମାନଙ୍କୁ ଲୋଭନୀୟ ଅଫର ପ୍ରଦାନ କରୁଛନ୍ତି। କଂପାନିଗୁଡ଼ିକ ପକ୍ଷରୁ ଦାବି କରାଯାଇଛି ଯେ ଗ୍ରାହକମାନେ ଏବେ ବିଏସ-୪ ଦୁଇ ଚକିଆ ଗାଡ଼ି କିଣି‌ଲେ ୮୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଏହି ଗାଡ଼ିଗୁଡ଼ିକର ଦାମ୍ ବିଏସ୍‌-୬ ଗାଡ଼ି ତୁଳନାରେ ୧୦-୧୫% କମ୍ ରହୁଛି। ବିଏସ୍‌-୬ ଗାଡ଼ିଗୁଡ଼ିକର ଦାମ୍ ଅଧିକ ରହିବ ବୋଲି କଂପାନିଗୁଡ଼ିକ ପକ୍ଷରୁ କୁହାଯାଇଛି। ବିଏସ୍‌-୪ ଗାଡ଼ିଗୁଡ଼ିକର ଷ୍ଟକ ଏବେ ସୀମିତ ପରିମାଣର ରହିଛି। କିନ୍ତୁ ଚାହିଦା ବହୁତ ଅଧିକ ରହୁଥିବାରୁ ଗାଡ଼ିଗୁଡ଼ିକ ଶୀଘ୍ର ବିକ୍ରି ହୋଇଯାଉଥିବା କଂପାନିଗୁଡ଼ିକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର