ଅଧିକ ବୀମାରାଶିର ପଲିସି ପାଇଁ କମ୍ପାନି ଅମଙ୍ଗ, କରୋନାରୁ ଭଲ ‌ହୋଇ ଫେରିଥିଲେ ଅଧିକ ସମସ୍ୟା

ଅଧିକ ପରୀକ୍ଷା କରିବାକୁ କହୁଛନ୍ତି, ପଲିସି ଜାରି କରିବା ବିଳମ୍ବ କରୁଛନ୍ତି

ଚେନ୍ନାଇ: କରୋନା ମହାମାରୀର ଚାପ ବୀମା ଶିଳ୍ପ ଉପରେ ଦେଖିବାକୁ ମିଳିଛି। ବୀମା କଂପାନିଗୁଡ଼ିକ ପଲିସି ଜାରି କରିବା ବେଳେ ପୂର୍ବାପେକ୍ଷା ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। କିଛି କଂପାନି ଚଢ଼ା ପ୍ରିମିୟମଯୁକ୍ତ ପଲିସିର ବୀମାକୃତ ରାଶି ମଧ୍ୟ ହ୍ରାସ କରିବା ଆରମ୍ଭ କରିଛନ୍ତି। କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବ୍ୟକ୍ତି ବୀମା ପାଇଁ ଆବେଦନ କରିବା ବେଳେ ତାଙ୍କୁ ଅଧିକ ପରୀକ୍ଷା କରିବା ଲାଗି ମଧ୍ୟ କୁହାଯାଉଛି। ଜଣେ ଡାକ୍ତର ଏକ ଘରୋଇ ବୀମା କଂପାନିରୁ ୩.୫ କୋଟି ଟଙ୍କାର ଜୀବନ ବୀମା ପଲିସି କିଣିଥିଲେ। କିଛି ଦିନ ତଳେ ତାଙ୍କ ହ୍ବାଟସ୍‌ଆପ୍‌ରେ କଂପାନି ବାର୍ତା ଦେଇ ଜଣାଇଛି ଯେ ତାଙ୍କ ପଲିସିର ବୀମା ରାଶିକୁ ଏକ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଡାକ୍ତର ଜଣକ ତାହା ଜାଣିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ହ୍ବାଟସ୍‌ଆପ୍‌ ବାର୍ତାରେ କଂପାନି ଯାହା ଲେଖି ପଠାଇଥିଲା ତାହା ଅଧିକ ଚିନ୍ତାଜନକ। ସେଥିରେ ଲେଖାଥିଲା ଯେ ଆପଣଙ୍କ ପେସା ଓ ମେଡିକାଲ୍ ବିବରଣୀ ଅନୁଯାୟୀ ଆମେ ବୀମାକୃତ ରାଶିରେ ପରିବର୍ତନ ଆଣିଛୁ। ଏହି ମାମଲାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କରୋନା ମହାମାରୀ ବିରୋଧରେ ସାମ୍ନାରେ ରହି ଲଢ଼େଇ କରୁଥିବା ଡାକ୍ତରମାନେ ସେମାନଙ୍କ ପେସା ପାଇଁ ଆବଶ୍ୟକ ମୂଲ୍ୟର ବୀମା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।

ଏହି ମାମଲା ସମ୍ପର୍କରେ ଉକ୍ତ ବୀମା କଂପାନିର ଏମ୍‌ଡି ଓ ସିଇଓ ମତ ଦେଇ କହିଛନ୍ତି ଯେ ଯେଉଁ ପରିବର୍ତିତ ବୀମା ରାଶି ବିଷୟରେ ଗ୍ରାହକଙ୍କୁ ଅବଗତ କରାଯାଇଛି ତାହା ତାଙ୍କର ପେସା ସହିତ କୌଣସି ସମ୍ପର୍କ ରଖୁନାହିଁ। ତାଙ୍କୁ ୩.୫ କୋଟି ଟଙ୍କା ମୂଲ୍ୟର ପଲିସି ପ୍ରଦାନ ନକରିବାର କାରଣ କରୋନା ନୁହେଁ। ଅଣ୍ଡରରାଇଟିଂ ନିୟମରେ ହୋଇଥିବା ପରିବର୍ତନ ଯୋଗୁଁ ଏଭଳି ହୋଇଛି ବୋଲି ସେ କହିଛନ୍ତି। ପୂର୍ବରୁ ଜଣେ ୩୫ ବର୍ଷୀୟ ବ୍ୟକ୍ତି ୧ କୋଟି ଟଙ୍କା ମୂଲ୍ୟର ଟର୍ମ ଇନ୍‌ସ୍ୟୁରାନ୍ସ ପଲିସି କିଣିବା ପାଇଁ ତାଙ୍କର କେବଳ ଟେଲି ମେଡସିନ୍ ଯାଞ୍ଚ କରାଯାଉଥିଲା। ଯଦି ସେହି ବ୍ୟକ୍ତି କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବେ ତେବେ ତାଙ୍କର ଅନେକ ଗୁଡ଼ିଏ ପରୀକ୍ଷା କରାଯାଉଛି।

ବୀମା କଂପାନିଗୁଡ଼ିକ ଏବେ ଗ୍ରାହକଙ୍କ କୋଭିଡ୍‌ରୁ ଭଲ ହେବା ପରେ ଯେଉଁ ସବୁ ଚିକିତ୍ସା ସୁବିଧା ଗ୍ରହଣ କରୁଛନ୍ତି ତାହା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ଭଲ ହୋଇଛନ୍ତି ସେମାନଙ୍କ ଆବେଦନକୁ ଗ୍ରହଣ କରିବା ବେଳେ କଂପାନିଗୁଡ଼ିକ ସତର୍କତା ଅବଲମ୍ବନ କରୁଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଉଥିବା ଜଣାପଡ଼ିଛି। ୩୫ ବର୍ଷରୁ କମ୍ ବୟସର ଡାକ୍ତରମାନେ ଶୀଘ୍ର ଜୀବନ ବୀମା ପଲିସି କିଣିବାକୁ ଚାହୁଛନ୍ତି। କାରଣ ବୟସ ବଢ଼ିଗଲେ ଅଧିକ ପ୍ରିମିୟମ୍ ଗଣିବାକୁ ପଡ଼ୁଛି। ‌ଗତବର୍ଷ ଯେଉଁ ଡାକ୍ତରମାନେ କରୋନାରେ ସଂକ୍ରମିତ ହୋଇଥିଲେ ସେମା‌ନଙ୍କ ଆବେଦନ ବିଳମ୍ବିତ ହେଉଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ପଲିସି ବଜାର ଡଟ୍‌ କମ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଗ୍ରାହକଙ୍କ ମେଡିକାଲ୍ ବିବରଣୀକୁ ବୀମା କଂପାନିଗୁଡ଼ିକ ଭଲ ଭାବେ ଦେଖିଥାନ୍ତି। ତାହା ଏକ ନିୟମିତ ପ୍ରକ୍ରିୟା। ସେମାନେ ଗ୍ରାହକଙ୍କୁ ଅଧିକ କିଛି ପରୀକ୍ଷା କରିବାକୁ କହିପାରନ୍ତି। କେତେକ କ୍ଷେତ୍ରରେ କଂପାନିଗୁଡ଼ିକ ଆବେଦନକୁ ତିନି କିମ୍ବା ଛଅ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖନ୍ତି। ଏଭଳି ମାମଲାରେ ଗ୍ରାହକଙ୍କୁ ପୁନର୍ବାର ଆବେଦନ କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର