ଘରୁ କାମ କରିବା ଲାଗି ଅଧିକ ଡାଟା ‌ଦେଲେ ମୋବାଇଲ୍ କଂପାନି

ନୂଆଦିଲ୍ଲୀ/ମୁମ୍ବାଇ: କରୋନା ଭୂତାଣୁ ବ୍ୟାପିବା ପରିପ୍ରେକ୍ଷୀରେ ଦେଶର ଅନେକ କଂପାନି ଓ ସଂସ୍ଥା କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି। ସେମାନ‌େ ଯେଭଳି ସୁବିଧାରେ ନିଜ କାମ କରିପାରିବେ ସେଥିପାଇଁ ମୋବାଇଲ୍ କଂପାନିଗୁଡ଼ିକ ନିଜ ଗ୍ରାହକମାନଙ୍କୁ ଅଧିକ ଡାଟା ପ୍ରଦାନ କରିବା ଆରମ୍ଭ କରିଛନ୍ତି। ସରକାରୀ ମୋବାଇଲ୍ କଂପାନି ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଲ୍ୟାଣ୍ଡ୍‌ଲାଇନ୍ ଗ୍ରାହକ ଓ ନୂଆ ମୋବାଇଲ୍‌ ଗ୍ରାହକଙ୍କୁ ନିଶୁଳ୍କ ଭାବେ ଏକ ମାସ ପର୍ଯ୍ୟନ୍ତ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ତମ୍ବା ତାର ସଂଯୋଗ ନେବାକୁ ଚାହୁଥିବା ନୂଆ ଗ୍ରାହକମାନଙ୍କୁ ଇନଷ୍ଟଲେସନ ଚାର୍ଜ ଦେବାକୁ ପଡ଼ିବ ନାହିଁ। କିନ୍ତୁ ସେମାନଙ୍କୁ ମୋଡେମ୍ କିଣିବାକୁ ପଡ଼ିବ ବୋଲି ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ କୁହାଯାଇଛି।ସେହିପରି, ରିଲାଏନ୍ସ ଜିଓ ପକ୍ଷରୁ ଡାଟା ଭାଉଚ‌ର୍‌ରେ ଗ୍ରାହକଙ୍କୁ ଅତିରିକ୍ତ ସୁବିଧା ପ୍ରଦାନ କରାଯାଉଛି। କଂପାନି ତରଫରୁ ୧୧, ୨୧, ୫୧ ଓ ୧୦୧ ଟଙ୍କିଆ ଡାଟା ଭାଉଚର୍‌ ଉପରେ ଦୁଇ ଗୁଣା ଅଧିକ ଡାଟା ଦିଆଯାଉଛି। ସେହିପରି ଏହି ସବୁ ଭାଉଚର୍‌ ଉପରେ ଯଥାକ୍ରମେ ୭୫, ୨୦୦, ୫୦୦ ଓ ୧୦୦୦ ମିନିଟ୍‌ର ଅଣ-ଜିଓ ଟକ୍‌ଟାଇମ୍ ମଧ୍ୟ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର