ନ୍ୟୁୟର୍କ: ଆମେରିକା ଏବଂ ୟୁରୋପରେ ମାନ୍ଦାବସ୍ଥାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି | କିଛିଦିନ ତଳେ ଟ୍ୱିଟର, ମେଟା, ଆମାଜନ, ମାଇକ୍ରୋସଫ୍ଟ ପରି ଅନେକ ବଡ କମ୍ପାନୀ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଛଟେଇର ଶିକାର ବହୁ କର୍ମଚାରୀ ସୋସିଆଲ ମିଡିଆରେ ନିଜର ଅନୁଭୂତି କହୁଥିବାର ଦେଖିବାକୁ ମିଳିଛି | ସମ୍ପ୍ରତି, ଏକ ଆମେରିକୀୟ କମ୍ପାନୀ ଏଭଳି ଏକ ନିଷ୍ପତ୍ତି ନେଇଛି | ଏହି କମ୍ପାନୀର ନାମ ହେଉଛି ବିଶପ ଫକ୍ସ | ସାଇବର ସିକ୍ୟୁରିଟି ସୁବିଧା ଯୋଗାଉଥିବା ଏହି କମ୍ପାନୀ ପ୍ରଥମେ କର୍ମଚାରୀମାନଙ୍କୁ ଏକ ଗ୍ରାଣ୍ଡ ପାର୍ଟି ଦେଇଥିଲା ଏବଂ ପରବର୍ତ୍ତୀ ସପ୍ତାହରେ ୧୩ ପ୍ରତିଶତ ଲୋକଙ୍କୁ ଛଟେଇ କରିଦେଇଛି | ଛଟେଇର ଶିକାର କର୍ମଚାରୀମାନେ କହିଛନ୍ତି ଯେ ଏକ ସପ୍ତାହ ପୂର୍ବରୁ କମ୍ପାନୀ କର୍ମଚାରୀମାନଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲା।

Advertisment

ଏଥିରେ ସମସ୍ତ ଅତିଥିଙ୍କୁ ବ୍ରାଣ୍ଡେଡ୍ ମଦ ପରିବେଷଣ କରାଯାଇଥିଲା | ଏହି ପାର୍ଟିର ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଥିଲା। ଏପ୍ରିଲର ଶେଷ ସପ୍ତାହରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା ଏବଂ ମେ ମାସରେ କମ୍ପାନୀ କର୍ମଚାରୀଙ୍କୁ ବିଦା କରିଦେଇଥିଲା | ଛଟେଇ ବାବଦରେ ଘୋଷଣା ହେବା ପରେ ବିଶପ ଫକ୍ସର ଅନେକ ପ୍ରଭାବିତ କର୍ମଚାରୀ ଟ୍ୱିଟରରେ ସେମାନଙ୍କ କାହାଣୀ ସେୟାର କରି କହିଥିଲେ ଯେ ଏହି ଛଟେଇ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। ତେବେ କମ୍ପାନୀର ସିଇଓ ଭିନି ଲିୟୁ କହିଛନ୍ତି ଯେ କମ୍ପାନୀକୁ ବଞ୍ଚାଇ ରଖିବା ପାଇଁ ଏହା ହିଁ ବିକଳ୍ପ ଥିଲା | ବର୍ତ୍ତମାନ ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି | ଭବିଷ୍ୟତରେ କମ୍ପାନୀର ଅବସ୍ଥା ସୁଧୁରିଲେ ପୁଣି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ |