ଟିକସର ପ୍ରଭାବ: କେଉଁ କ୍ଷେତ୍ରରେ କିଭଳି

କମ୍ପାନି ଟିକସ ହ୍ରାସକୁ ଶିଳ୍ପ ବିଶେଷଜ୍ଞଙ୍କ ସ୍ବାଗତ

କର୍ପୋରେଟ୍
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କର୍ପୋରେଟ୍ ଟିକସ ହାରକୁ ୨୫ ପ୍ରତିଶତକୁ ହ୍ରାସ କରିଛନ୍ତି। ତେବେ ବାର୍ଷିକ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନିଗୁଡ଼ିକୁ ଏହି ସୁବିଧା ମିଳିବ। ଅନ୍ୟମାନେ ପୂର୍ବଭଳି ୩୦ ପ୍ରତିଶତ ହାରରେ ଟିକସ ପ୍ରଦାନ କରିବେ। ଏତଦବ୍ୟତୀତ ଲାଭାଂଶ ବଣ୍ଟନ ଟିକସ ମଧ୍ୟ ପ୍ରଦାନ କରିବେ। ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି, ଟିକସ ହ୍ରାସ ଯୋଗୁ ଦେଶର ୯୯.୩ ପ୍ରତିଶତ କମ୍ପାନି ଲାଭବାନ ହେବେ। ‌ତେବେ ୫ ବର୍ଷ ପୂର୍ବେ ଦେଶର କର୍ପୋରେଟ ଟିକସ ହାରକୁ ୨୫ ପ୍ରତିଶତକୁ କମାଇ ଦିଆଯିବ ବୋଲି ସରକାର ୫ ବର୍ଷ ପୂର୍ବେ ଯେଉଁ ଘୋଷଣା କରିଥିଲେ ତାହା ଏବେ ବି ଅପୂରଣ ହୋଇ ରହିଛି। କେବଳ ସେତିକି ନୁହେଁ, ଲିମିଟେଡ ଲାଇବିଲିଟି ପାର୍ଟନରସିପ୍ (ଏଲଏଲପି) ଏବଂ ପାର୍ଟନରସିପ୍ ଫାର୍ମ ଗୁଡ଼ିକ ମଧ୍ୟ ପୂର୍ବଭଳି କର୍ପୋରେଟ ଟିକସ ୩୦ ପ୍ରତିଶତ ହାରରେ ପ୍ରଦାନ କରିବେ।

ଷ୍ଟାର୍ଟ ଅପ୍
ଗତ କିଛିବର୍ଷ ହେଲା ସରକାର ଷ୍ଟାର୍ଟ ଅପ୍ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଉଛନ୍ତି। ତଥାପି ବିଭିନ୍ନ ପ୍ରକାର ଅସୁବିଧା ଦେଇ ଷ୍ଟାର୍ଟ ଅପ୍ ଉଦ୍ୟୋଗ ଗୁଡ଼ିକ ଗତି କରୁଛନ୍ତି। ଫଳରେ ଆବଶ୍ୟକ ଅଭିବୃଦ୍ଧି ଷ୍ଟାର୍ଟ ଅପ୍ ଉଦ୍ୟୋଗରେ ହୋଇପାରୁନାହିଁ। ଅର୍ଥମନ୍ତ୍ରୀ ବଜେଟରେ ଷ୍ଟାର୍ଟ ଅପ୍ ଗୁଡ଼ିକୁ କିଛିଟା ରିହାତି ଦେବା ସହିତ ପୂର୍ବରୁ ରହି ଆସିଥିବା ଅନେକ ଦ୍ବନ୍ଦ୍ବକୁ ଦୂର କରିଛନ୍ତି। ବିଭିନ୍ନ ପ୍ରକାର ନିୟାମକ ସଂସ୍ଥାର ନିୟମକୁ କାର୍ଯ୍ୟକାରୀ କରିବା, ଏଞ୍ଜେଲ ଟ୍ୟାକ୍ସ ଆଦିକୁ ନେଇ ରହିଥିବା ସମସ୍ୟାକୁ ଅର୍ଥମନ୍ତ୍ରୀ କିଛି ମାତ୍ରାରେ ଦୂର କରିବାକୁ ପ୍ରଚେଷ୍ଟା କରିଛନ୍ତି। ଯେଉଁସବୁ ଷ୍ଟାର୍ଟଅପ୍ ଏବଂ ନିବେଶକମାନେ ସେମାନଙ୍କ ଟିକସ ରିଟର୍ଣ୍ଣ ସମ୍ପର୍କରେ ଆବଶ୍ୟକ କାଗଜପତ୍ର ଓ ସୂଚନା ଦେବେ ସେମାନେ ଏଞ୍ଜେଲ ଟ୍ୟାକ୍ସ ଜନିତ ଯାଞ୍ଚର ସମ୍ମୁଖୀନ ହେବେ ନାହିଁ। ଏତଦବ୍ୟତୀତ ପୂର୍ବରୁ ଆସେସମେଣ୍ଟ ଜନିତ ଯାଞ୍ଚ ସମସ୍ୟାରେ ଫସିଥିବା ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ ସିବିଡିଟି ପକ୍ଷରୁ ଏକ ସ୍ବତନ୍ତ୍ର ୱିଣ୍ଡୋ ଖୋଲାଯିବ ବୋଲି ବଜେଟରେ ପ୍ରସ୍ତାବ ରହିଛି। ତେଣୁ ଟିକସ ଅଧିକାରୀଙ୍କ ଠାରୁ ସେମାନେ ଆଉ କୌଣସି ପ୍ରକାର ହଇରାଣ ହେବେ ନାହିଁ। ତେବେ ଟିକସ ରିହାତି ଓ ଅନ୍ୟାନ୍ୟ ଲାଭ ପାଇବା ପାଇଁ ଷ୍ଟାର୍ଟ ଅପ୍‌ର ଯୋଗ୍ୟତା ମାନଦଣ୍ଡରେ କୌଣସି କୋହଳ କରାଯାଇ ନଥିବାରୁ ଏହା ଉଦ୍ୟୋଗୀଙ୍କୁ ଚିନ୍ତାରେ ପକାଇଛି।

ରିଅଲ ଇଷ୍ଟେଟ୍‌
ରିଅଲ ଇଷ୍ଟେଟ ବା ଗୃହ ନିର୍ମାଣ ଶିଳ୍ପ ଏବେ ମନ୍ଥରତା ଦେଇ ଗତି କରୁଛି। ଏଥିସହିତ ବିଭିନ୍ନ ପ୍ରକାର ନିୟାମକ ସମସ୍ୟାର ସମ୍ମୁଖୀନ ହୋଇଛି। ଦେଶରେ ଗୃହ କ୍ରୟ ଚାହିଦା ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ କେତେକ ପଦକ୍ଷେପ ନେଇଛନ୍ତି। ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ ଏସବୁ ପଦକ୍ଷେପ ନିଆଯାଇଛି। ପ୍ରଥମ ଥର ପାଇଁ ୪୫ ଲକ୍ଷ ଟଙ୍କା ମୂଲ୍ୟ ଯାଏଁ ଗୃହ କ୍ରୟ କରୁଥିବା ଗ୍ରାହକଙ୍କୁ ଋଣ ସୁଧ ଉପରେ ଅତିରିକ୍ତ ଦେଢ଼ ଲକ୍ଷ ଟଙ୍କାର ରିହାତି ପ୍ରଦାନ କରିଛନ୍ତି। ତେବେ ଆଜିର ମହଙ୍ଗା ଯୁଗରେ ୪୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ଥିବା ଗୃହ କିଣିବାରେ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେବେ।

ଆର୍ଥିକ ସେବା
ସିଙ୍ଗାପୁର ଏବଂ ଦୁବାଇ ଢାଞ୍ଚାରେ ଗୁଜରାଟର ଗାନ୍ଧୀନଗର ନିକଟରେ ଏକ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ପୁଞ୍ଜି ନିବେଶ କରିଥିବା ଉଦ୍ୟୋଗୀମାନଙ୍କୁ ସାଧାରଣତଃ ଅନେକ ଟିକସ ରିହାତି ପ୍ରଦାନ କରାଯାଇଥାଏ। ସଂଗୃହୀତ ଆୟ ଉପରେ ଲାଭାଂଶ ବଣ୍ଟନ ଟିକସ ଛାଡ଼ ସମେତ ଅନ୍ୟାନ୍ୟ ସୁବିଧା ବଜେଟରେ ପ୍ରଦାନ କରାଯାଇଥିଲେ ମଧ୍ୟ କେତେକ ପରିଚାଳନାଗତ ଅସୁବିଧା‌କୁ ଦୂର କରିବା ଦିଗରେ ବଜେଟରେ କିଛି ପଦକ୍ଷେପ ନିଆଯାଇନାହିଁ। ଫଳରେ ସିଙ୍ଗାପୁର ଏବଂ ଦୁବାଇର ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ସହିତ ଏହି କେନ୍ଦ୍ର ପ୍ରତିଯୋଗିତା କରିବା କଷ୍ଟକର ହେବ।

ସମ୍ବନ୍ଧିତ ଖବର