ଭାରତକୁ ଶ୍ରୀଲଙ୍କା ସହ ତୁଳନା ହାସ୍ୟାସ୍ପଦ: ପାନଗାରିୟା

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଦେଖାଦେଇଥିବା ସଙ୍କଟ ସହ ଭାରତକୁ ତୁଳନା‌ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ବୋଲି ନିତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ପାନାଗାରିୟା କହିଛନ୍ତି। ତେବେ ପଡ଼ୋଶୀ ଦେଶର ସଙ୍କଟରୁ ଭାରତ ବହୁ କିଛି ଶିଖିପାରିବ ବୋଲି ସେ କହିଛନ୍ତି। ସେ ଜଣାଇଛନ୍ତି ଯେ ୧୯୯୧ରେ ଭାରତ ସାମ୍ନା କରିଥିବା ବିଦେଶୀ ମୁଦ୍ରା ସଙ୍କଟ ପରେ ଯେତେ ସବୁ ସରକାର ଗଠନ ହୋଇଛି ସେମାନେ ଅର୍ଥନୀତିକୁ ଠିକ୍ ଭାବେ ପରିଚାଳନା କରିଛନ୍ତି। କୌଣସି ପରିସ୍ଥିତିରେ ବିତ୍ତୀୟ ନିଅଣ୍ଟକୁ ବେଲଗାମ ହେବାକୁ ଦିଆଯାଇନାହିଁ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଉପରେ ସର୍ବଦା ଗୁରୁତ୍ବ ଦିଆଯାଇଛି। ଭାରତ କେବେବି ଏହାର ବିତ୍ତୀୟ ନିଅଣ୍ଟ କମ୍‌ କରିବା ଲାଗି ବିଦେଶରୁ ଋଣ ଆଣିନାହିଁ। ତେଣୁ ଭାରତକୁ ଶ୍ରୀଲଙ୍କା ସହ ତୁଳନା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ବୋଲି ସେ କହିଛନ୍ତି।

ଦେଶରେ ଦେଖାଦେଇଥିବା ଦରଦାମ୍ ସ୍ଥିତି ଓ ବେକାରି ସମସ୍ୟାକୁ ନେଇ ମୋଦୀ ସରକାରଙ୍କୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଥିଲେ ଓ ଭାରତର ସ୍ଥିତି ଶ୍ରୀଲଙ୍କା ଭଳି ପ୍ରତୀୟମାନ ହେଉଥିବା ଜଣାଇଥିଲେ। ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ପାନାଗାରିୟା କହିଛନ୍ତି ଯେ ଭବିଷ୍ୟତରେ ଅର୍ଥନୀତିର ବିଭିନ୍ନ ଦିଗକୁ ପରିଚାଳନା କରିବା ଲାଗି ଶ୍ରୀଲଙ୍କା ସଙ୍କଟରୁ କିଛିଟା ଶିକ୍ଷା ଗ୍ରହଣ କରାଯାଇପାରେ। ଶ୍ରୀଲଙ୍କା ସଙ୍କଟ ସହ ଭାରତର ଏହା ହେଉଛି ଏକମାତ୍ର ପ୍ରାସଙ୍ଗିକତା। ବେକାରି ସମସ୍ୟା ସମ୍ପର୍କରେ ସେ କହିଛନ୍ତି ଯେ ଭାରତରେ ବେକାରି ନୁହେଁ ନିମ୍ନ ଉତ୍ପାଦକ ବେକାରି ହେଉଛି ପ୍ରମୁଖ ସମସ୍ୟା। ‌ମହାମାରୀ ସମୟରେ ଦେଶର ବେକାରି ହାର ୨୧ ପ୍ରତିଶତ ହୋଇଯାଇଥିଲା ଯାହା ଏବେ ୪.୨ ପ୍ରତିଶତକୁ ଖସିଆସିଛି। ୨୦୧୭-୧୮ର ୬.୧% ବେକାରି ହାର ତୁଳନାରେ ବର୍ତମାନର ସ୍ଥିତି ଭଲ ରହିଛି। କିନ୍ତୁ ଲୋକମାନଙ୍କ ଲାଗି ଉତ୍ତମ ବେତନ ବିଶିଷ୍ଟ ନିଯୁକ୍ତି ସୃଷ୍ଟି କରିବା ଉପରେ ସରକାରଙ୍କୁ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆଠ ବର୍ଷର ପୂର୍ବ ସମୟ ତୁଳନାରେ ଭାରତୀୟ ଅର୍ଥନୀତି ଏବେ ଭଲ ସ୍ଥିତିରେ ଅଛି ନା ନାହିଁ ସେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତ‌ରରେ ପାନାଗାରିୟା କହିଛନ୍ତି ଯେ ମୁଣ୍ଡପିଛା ଆୟ ଠାରୁ ଆରମ୍ଭ କରି ବେକାରି, ମରଣଶୀଳତା, ପୁଷ୍ଟି, ଶିଶୁ ମୃତ୍ୟୁ ହାର ପର୍ଯ୍ୟନ୍ତ ସବୁ ମାନଦଣ୍ଡରେ ଉନ୍ନତି ପରିଲକ୍ଷିତ ହୋଇଛି।

ସମାଲୋଚକ ବି ପ୍ରଶଂସା କରୁଛନ୍ତି: ବିଜେପି
ନୂଆଦିଲ୍ଲୀ : ଶ୍ରୀଲଙ୍କା ସ୍ଥିତି ସହ ଭାରତ ତୁଳନୀୟ ବୋଲି ଗତକାଲି ଏକ କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଥିଲେ। ସେ ବିଷୟରେ ବିଜେପି ସଇଦ ଜାଫର ଇସ୍‌ଲାମ୍ କହିଛନ୍ତି ଯେ ଭାରତୀୟ ଅର୍ଥନୀତି କେବଳ ଠିକ୍ ବାଟରେ ନାହିଁ ବରଂ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସାରା ବିଶ୍ବ ଏବେ ଏହି କଥାକୁ ଗ୍ରହଣ କରିଛି। ବିଶ୍ବ ଅର୍ଥନୀତିରେ ମୁଦ୍ରାସ୍ଫୀତି ଓ ଅନ୍ୟାନ୍ୟ ସଙ୍କଟ ଲାଗି ରହିଥିବା ବେଳେ ଭାରତ ଦୃଢ଼ ରହିଛି। ଯେଉଁମାନେ ସମାଲୋଚନା କରୁଥିଲେ ସେମାନେ ଏବେ ପ୍ରଶଂସା କରୁଛନ୍ତି। ଅତୀତରେ ଭାରତ ସରକାରଙ୍କ ଅର୍ଥନୈତିକ ଓ ସାମାଜିକ ନୀତିକୁ ରାଜନ ବହୁବାର ସମାଲୋଚନା କରିଛନ୍ତି। ତାଙ୍କୁ ସମାଲୋଚକ ଭାବେ ଇଙ୍ଗିତ କରି ବିଜେପି ପ୍ରବକ୍ତା ଏଭଳି ମନ୍ତବ୍ୟ ଦେଇଛନ୍ତି। ଭାରତ ପାଖରେ ଯଥେଷ୍ଟ ପରିମାଣର ବିଦେଶୀ ମୁଦ୍ରା ରହିଛି ଓ ଏହାର ବିଦେଶୀ ଋଣ ମଧ୍ୟ କମ୍। ତେଣୁ ଶ୍ରୀଲଙ୍କା ଓ ପାକିସ୍ତାନ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା ଭାରତରେ ଦେଖାଦେବ ନାହିଁ ବୋଲି ରାଜନ କହିଥିଲେ।

ସମ୍ବନ୍ଧିତ ଖବର