ଘରୋଇକରଣକୁ ‘ପରିବାରର ରୁପା ବିକ୍ରି’ ସହ ତୁଳନା

ଅଭିଯୋଗକୁ ଖଣ୍ଡନ କଲେ ଅର୍ଥମନ୍ତ୍ରୀ

ମୁମ୍ବାଇ: ଘରୋଇକରଣ ଜରିଆରେ ସରକାର ପରିବାରର ରୁପା ବିକିବା ଭଳି ପଦକ୍ଷେପ ‌ନେଉଛନ୍ତି ବୋଲି ବିରୋଧୀ ଦଳ ଯେଉଁ ଅଭିଯୋଗ କରିଥିଲେ ତାହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ପ୍ରଥମ ଥର ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରାଯାଇଛି ଯଦ୍ବାରା ଟିକସଦାତାଙ୍କ ଟଙ୍କାକୁ ଉଚିତ କାମରେ ବ୍ୟବହାର କରାଯାଇପାରିବ। ସରକାର ଚାହୁଛନ୍ତି ନିର୍ଦିଷ୍ଟ କ୍ଷେତ୍ର କିଛି ହାତଗଣତି ସରକାରୀ ଉଦ୍ୟୋଗ ରହୁ। ପରିବାରର ରୁପା ବିକ୍ରି କରିବା ସହ ଏହି ପଦକ୍ଷେପକୁ ତୁଳନା କରିବା ଠିକ୍ ନୁହେଁ। ଏହା ସେଭଳି ପଦକ୍ଷେପ ନୁହେଁ ବୋଲି ସେ କହିଛନ୍ତି। ନିର୍ମଳା କହିଛନ୍ତି ଯେ ଏଭଳି ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି ଯେଉଁଗୁଡ଼ିକ ଭଲ ପ୍ରଦର୍ଶନ କରୁନାହାନ୍ତି। ସେହିଭଳି ଆଉ କେତେକ ସଂସ୍ଥା ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ଧ୍ୟାନ ଦିଆଯାଉନାହିଁ। ଘରୋଇକରଣ ସମ୍ପର୍କରେ ପୁଞ୍ଜିପ୍ରତ୍ୟାହାରର ଦେଖାଶୁଣା କରୁଥିବା ଦିପମ୍ ବିଭାଗର ସଚିବ ତୁହିନ୍‌କାନ୍ତ ପାଣ୍ଡେ ମଧ୍ୟ ମତ ଦେଇଛନ୍ତି। ଏହା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ରହିଛି ତାହା ସେ ଜଣାଇଛନ୍ତି। ତୁହିନ୍‌କାନ୍ତ କହିଛନ୍ତି ଯେ ଘରୋଇକରଣର ପ୍ରମୁଖ ଉଦ୍ଦେଶ୍ୟ ବିତ୍ତୀୟ ନିଅଣ୍ଟ ମୁକାବିଲା କରିବା ନୁହେଁ।

ଏହା ଜରିଆରେ ଅଭିବୃଦ୍ଧି ବଢ଼ାଇବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୯୯୧ରେ ଉଦାରୀକରଣ ସଂସ୍କାର ଆରମ୍ଭ ହୋଇଥିବା ସଦ୍ୟତମ ଘରୋଇକରଣ ପଦକ୍ଷପ ତାହାକୁ ପୂର୍ଣ୍ଣ କରୁଛି ବୋଲି ସେ କହିଛନ୍ତି। ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଏୟାର ଇଣ୍ଡିଆ ଓ ବିପିସିଏଲ୍‌ ବିକ୍ରି ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏୟାର ଇଣ୍ଡିଆ ବିକ୍ରି କରିବା ଲାଗି ଦୀର୍ଘ ଦିନରୁ ପ୍ରୟାସ ହେଉଛି, ମାତ୍ର ଏହାର ଋଣ ବୋଝ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ନିବେଶକମାନେ ଆଗ୍ରହ ଦେଖାଉନାହାନ୍ତି।

୨୦୨୧-୨୨ର ବଜେଟ୍‌ରେ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଅଂଶଧନ ବିକ୍ରି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ପୁଞ୍ଜିପ୍ରତ୍ୟାହାରରୁ ୧.୭୫ ଲକ୍ଷ କୋଟି ଟଙ୍କା ମିଳିବ ବୋଲି ସରକାର ଆଶା ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଘରୋଇକରଣରୁ ରେକର୍ଡ ୨.୧୦ ଲକ୍ଷ କୋଟି ଟଙ୍କା ମିଳିବ ବୋଲି ସରକାର ଆଶା ରଖିଥିଲେ। ମାତ୍ର କରୋନା ମହାମାରୀର ପ୍ରଭାବ ଯୋଗୁଁ ଏପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କା ମଧ୍ୟ ମିଳିନାହିଁ। ଚଳିତ ଆର୍ଥିକ ବର୍ଷରେ ଏଲ୍‌ଆଇସିର ଇନିସିଆଲ୍ ପବ୍ଲିକ୍ ଅଫର ଆଣିବାକୁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହ‌ା ବ୍ୟତୀତ ଆଇଡିବିଆଇ ବ୍ୟାଙ୍କ ଓ ଆଉ କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନ ବିକ୍ରି ପ୍ରକ୍ରିୟାକୁ ସରକାର ଶେଷ କରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର