କ୍ଷତିପୂରଣ ଉପରେ ପୁଣି ଆଲୋଚନା ହେବ, ମନ୍ତ୍ରୀ ଗୋଷ୍ଠୀ ଗଠନ ହୋଇପାରେ

ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକୁ ମନାଇବାକୁ ଉଦ୍ୟମ ହେବ

ଭୁବନେଶ୍ବର,: ଆସନ୍ତାକାଲି କ୍ଷତିପୂରଣ ରାଶିକୁ ନେଇ ରହିଥିବା ମତଭେଦ ଦୂର କରିବା ଲାଗି ଜିଏସ୍‌ଟି ପରିଷଦ ବୈଠକରେ ତୃତୀୟ ଥର ଲାଗି ଆଲୋଚନା ହେବ। ଏହା ପୂର୍ବରୁ ଦୁଇ ଥର ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ପ୍ରତିନିଧିମାନଙ୍କ ମଧ୍ୟରେ କ୍ଷତିପୂରଣକୁ ନେଇ ଆଲୋଚନା ହୋଇଛି। କିନ୍ତୁ କୌଣସି ସମାଧାନ ପନ୍ଥା ବାହାରିପାରିନାହିଁ। କରୋନା ମହାମାରୀ ପ୍ରଭାବରେ ରାଜସ୍ବ ଆୟ ହ୍ରାସ ପାଇଥିବାରୁ ଋଣ ଜରିଆରେ କ୍ଷତିପୂରଣ ରାଶି ଯୋଗାଡ଼ କରାଇବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ସେହି ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି। କେନ୍ଦ୍ର ନିଜେ ଋଣ କରି କ୍ଷତିପୂରଣ ରାଶି ଦେଉ ବୋଲି ଏହି ରାଜ୍ୟଗୁଡ଼ିକ ଦାବି କରୁଛନ୍ତି। ପରିଷଦ ଭିତରେ ରହିଥିବା ମତଭେଦ ଦୂର କରିବା ଲାଗି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟଗୁଡ଼ିକ ପ୍ରସ୍ତାବ ଦେଇଥିଲେ। ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଜିଏସ୍‌ଟି କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରିଛନ୍ତି। କେନ୍ଦ୍ରର ହିସାବ ଅନୁସାରେ ଚଳିତ ଆର୍ଥିକ ବର୍ଷ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବା ଲାଗି ୩ ଲକ୍ଷ କୋଟି ଟଙ୍କା ଦରକାର। ମାତ୍ର ସେସ୍‌ ଜରିଆରେ ଅତିବେଶିରେ ୬୫ ହଜାର କୋଟି ଟଙ୍କା ଆଦାୟ ହୋଇପାରିବ। ବଳକା ୨.୩୫ ଲକ୍ଷ କୋଟି ଟଙ୍କାର ଅଭାବ ଦେଖାଦେବ। ସେଥି ମଧ୍ୟରୁ କରୋନା ମହାମାରୀ ପ୍ରଭାବ ଲାଗି ୯୭ ହଜାର କୋଟି ଟଙ୍କାର ଅଭାବ ରହିବ। ଜିଏସ୍‌ଟି ପରିଷଦର ୪୧ତମ ବୈଠକରେ ଅର୍ଥମନ୍ତ୍ରୀ ସୀତାରମଣ ରାଜ୍ୟଗୁଡ଼ିକୁ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ପ୍ରସ୍ତାବଟି ହେଉଛି ଯଦି ରାଜ୍ୟଗୁଡ଼ିକ ୯୭ ହଜାର କୋଟି ଟଙ୍କାର ଋଣ ନେବେ ତାହା ସେମାନଙ୍କ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ନାହିଁ। କେନ୍ଦ୍ର ସରକାର ସେସ୍‌ ଆୟରୁ ରାଜ୍ୟଗୁଡ଼ିକୁ ଯେତିକି ଟଙ୍କା ଦେବେ ସେହି ଟଙ୍କାକୁ ସେମାନେ ଋଣ ପରିଶୋଧ ପାଇଁ ବ୍ୟବହାର କରିବେ। ପରିଷଦର ୪୨ତମ ବୈଠକରେ ଏହି ରାଶି ପରିମାଣ ୧.୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରାୟ ୨୧ଟି ରାଜ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଅର୍ଥମନ୍ତ୍ରୀ ଦେଇଥିବା ଦ୍ବିତୀୟ ବିକଳ୍ପଟି ହେଉଛି ସମ୍ପୂର୍ଣ୍ଣ ୨.୩୫ ଲକ୍ଷ କୋଟି ଟଙ୍କାକୁ ମଧ୍ୟ ରାଜ୍ୟଗୁଡ଼ିକ ଋଣ ଆକାରରେ ନେଇପାରିବେ। ତେବେ ସେହି ରାଶି ସେମାନଙ୍କ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ। ରାଜ୍ୟଗୁଡ଼ିକ ନିଜସ୍ବ ଉତ୍ସବରୁ ମୂଳଧନ ଓ ସୁଧ ପରିଶୋଧ କରିବେ। ଉଭୟ ବିକଳ୍ପ ପାଇଁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ କହି ଏକ ସ୍ବତନ୍ତ୍ର ଋଣ ବ୍ୟବସ୍ଥା କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଯେଉଁ ୨୧ଟି ରାଜ୍ୟ ପ୍ରଥମ ବିକଳ୍ପକୁ ଗ୍ରହଣ କରିଛନ୍ତି ସେମାନେ ଚାହୁଛନ୍ତି ଶୀଘ୍ର କିଛି ନିଷ୍ପତ୍ତି ହେଉ ଫଳରେ କ୍ଷତିପୂରଣ ରାଶି ଶୀଘ୍ର ମିଳିବ ଯାହାକୁ ସେମାନେ କରୋନା ମହାମାରୀର ମୁକାବିଲା ଏବଂ ଅର୍ଥନୀତିକୁ ତ୍ବରାନ୍ବିତ କରିବା ଦିଗରେ ବ୍ୟବହାର କରିପାରିବେ। ବି‌ଶେଷଜ୍ଞମାନେ ମଧ୍ୟ ଋଣ ବିକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କାରଣ ବର୍ତ୍ତମାନ ପରିସ୍ଥିତିରେ ତାହା ହିଁ କେବଳ ସମ୍ଭବ ହୋଇପାରିବ। କିନ୍ତୁ ଅଣ-ବିପେଜି ଶାସିତ ରାଜ୍ୟଗୁଡ଼ିକ ଋଣ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ଏହା ଜରିଆରେ ରାଜ୍ୟଗୁଡ଼ିକ ଉପରେ କେନ୍ଦ୍ର ସରକାର ଋଣ ବୋଝ ଲଦିବାକୁ ଉଦ୍ୟମ କରୁଛନ୍ତି। ସଂଘୀୟ ବ୍ୟବସ୍ଥା ପ୍ରତି ମଧ୍ୟ ଏହା ଏକ ବିପଦ ବୋଲି ସେମାନେ କହୁଛନ୍ତି। ଜିଏସ୍‌ଟି ପରିଷଦର ଗତ ବୈଠକ (୪୨ତମ)ରେ ସେସ୍‌ ଆଦାୟକୁ ୨୦୨୨ ପରେ ମଧ୍ୟ ଜାରି ରଖିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟଗୁଡ଼ିକୁ ବୈଠକ ଦିନରେ ୨୦ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ସମସ୍ତ ପରୋକ୍ଷ ଟିକସକୁ ମିଶାଇ ୨୦୧୭ ଜୁଲାଇରୁ ଦେଶରେ ଜିଏସ୍‌ଟି ଲାଗୁ କରାଯାଇଛି। ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ୫,୧୨,୧୮ ଓ ୨୮ ପ୍ରତିଶତ ଭଳି ଚାରିଟି ସ୍ଲାବ୍‌ରେ ଜିଏସ୍‌ଟି ଲାଗୁ କରାଯାଇଛି। ଏହା ବ୍ୟତୀତ କ୍ଷତିପୂରଣ ରାଶି ଯୋଗାଡ଼ କରିବା ଲାଗି ବିଳାସପୂର୍ଣ୍ଣ ସାମଗ୍ରୀ ଓ ସ୍ବାସ୍ଥ୍ୟ ପ୍ରତି ହାନିକାରକ ସାମଗ୍ରୀ ଉପରେ ସେସ୍‌ ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର