ବ୍ୟାଙ୍କ ବିରୋଧରେ ଅଭିଯୋଗ ବଢ଼ୁଛି

ରିଜର୍ଭ ବ୍ୟାଙ୍କ ରିପୋର୍ଟ

ମୁମ୍ବାଇ: ଦେଶରେ ବ୍ୟାଙ୍କ ଗୁଡ଼ିକ ବିରୋଧରେ ଗ୍ରାହକଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି। ୨୦୧୭-୧୮ ବର୍ଷରେ ବ୍ୟାଙ୍କ ଲୋକପାଳଙ୍କ ନିକଟରେ ବ୍ୟାଙ୍କ ଗୁଡ଼ିକ ବିରୋଧରେ ଅଭିଯୋଗ ସଂଖ୍ୟା ୧ ଲକ୍ଷ ୬୩ ହଜାର ୫୯୦ରେ ପହଞ୍ଚିଛି। ୨୦୧୬-୧୭ ତୁଳନାରେ ୨୦୧୭-୧୮ରେ ଅଭିଯୋଗ ସଂଖ୍ୟାରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଦେଶରେ ଥିବା ୨୧ଟି ବ୍ୟାଙ୍କ ଲୋକପାଳଙ୍କ ନିକଟରେ ଏହି ସଂଖ୍ୟକ ଅଭିଯୋଗ ପହଞ୍ଚିଛି। ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। ଏଠାରେ ୨୦୧୭-୧୮ ବର୍ଷ କହିଲେ ୨୦୧୭ ଜୁଲାଇରୁ ୨୦୧୮ ଜୁନ ଅବଧି ବିଷୟରେ କୁହାଯାଇଛି।
ଦେଶର ସର୍ବବୃହତ୍ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ବିରୋଧରେ ସର୍ବାଧିକ ୪୬୯୯୪ ଅଭିଯୋଗ ଆସିଥିବାବେଳେ ଏଚଡିଏଫସି ବ୍ୟାଙ୍କ ନାମରେ ୧୨,୦୪୪, ଆଇସିଆଇସିଆଇ ବ୍ୟାଙ୍କ ନାମରେ ୧୦୪୬୫ଟି ଅଭିଯୋଗ ଆସିଛି। ଆମେରିକାର ସିଟି ବ୍ୟାଙ୍କ ବିରୋଧରେ ୧୪୫୦ଟି ଅଭିଯୋଗ ଆସିଛି।
ବ୍ୟାଙ୍କ ଲୋକପାଳ ଯୋଜନାର ବାର୍ଷିକ ରିପୋର୍ଟରେ ରିଜର୍ଭ ବ୍ୟାଙ୍କ ଏହା କହିଛି ଯେ, ଡିଜିଟାଲ କାରବାର ନେଇ ଦେଶରେ ଅଭିଯୋଗ ବୃଦ୍ଧି ପାଉଛି। ତେଣୁ ୨୦୧୮-୧୯ରେ ଡିଜିଟାଲ କାରବାର ସମ୍ପର୍କିତ ଅଭିଯୋଗ ସମ୍ପର୍କରେ ଏକ ଯୋଜନା ପ୍ରସ୍ତୁତ ହେବା ସହିତ କାର୍ଯ୍ୟକାରୀ ହେବ।
ତେବେ ବ୍ୟାଙ୍କ ଗୁଡ଼ିକ ବିରୋଧରେ ଆସିଥିବା ଅଭିଯୋଗ ମଧ୍ୟରୁ ପ୍ରାୟ ୯୬ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ବ୍ୟାଙ୍କ ଲୋକପାଳଙ୍କ ନିକଟକୁ ଯେଉଁସବୁ ଅଭିଯୋଗ ଆସିଛି ସେଥି ମଧ୍ୟରୁ ସର୍ବାଧିକ ୨୨.୧ ପ୍ରତିଶତ ଅଭିଯୋଗ ବ୍ୟାଙ୍କ ଗୁଡ଼ିକ ‌ଉପଯୁକ୍ତ ନିୟମ ପାଳନ କରୁନାହାନ୍ତି ବୋଲି ଦର୍ଶାଯାଇଛି। ସେହିଭଳି ଏଟିଏମ ଏବଂ ଡେବିଟ୍ କାର୍ଡ ଜନିତ ସମସ୍ୟା ନେଇ ୧୫.୧ ପ୍ରତିଶତ ଅଭିଯୋଗ, କ୍ରେଡିଟ୍ କାର୍ଡ ଜନିତ ସମସ୍ୟା ନେଇ ୭.୭ ପ୍ରତିଶତ ଏବଂ ମୋବାଇଲ ଓ ଇଲେକଟ୍ରୋନିକ୍ ବ୍ୟାଙ୍କିଂ ସଂକ୍ରାନ୍ତରେ ୫.୨ ପ୍ରତିଶତ ଅଭିଯୋଗ ଆସିଛି।
ଏତଦବ୍ୟତୀତ ପେନସନ ସମସ୍ୟା, ବିନା ନୋଟିସରେ ଶୁଳ୍କ ଲାଗୁ, ଋଣ, ଅର୍ଥ ପ୍ରେରଣ, ପ୍ରତ୍ୟକ୍ଷ ବିକ୍ରି ଏବଂ ଅସୁଲିରେ ଏଜେଣ୍ଟଙ୍କ କାର୍ଯ୍ୟ, ମିସ୍ ସେଲିଂ ଆଦି ଉପରେ ଅଭିଯୋଗ ୫ ପ୍ରତିଶତ କିମ୍ବା ତାଠାରୁ କମ୍ ଲେଖାଏଁ ରହିଛି। ଅନ୍ୟପକ୍ଷରେ ଦୁଇ ପକ୍ଷର ଆପୋସ ବୁଝାମଣା ହାର ବୃଦ୍ଧି ପାଇଛି, ପୂର୍ବ ବର୍ଷରେ ଏହା ୪୨.୪ ପ୍ରତିଶତ ଥିବାବେଳେ ୨୦୧୭-୧୮ରେ ଏହା ୬୫.୮ ପ୍ରତିଶତକୁ ବୃଦ୍ଧି ପାଇଛି। ବ୍ୟାଙ୍କ ଲୋକପାଳ ମୋଟ ୧୪୮ଟି ଆୱାର୍ଡ ଦେଇଥିବାବେଳେ ଏଥିରୁ ୧୧୧ଟିକୁ କାର୍ଯ୍ୟକାରୀ କରାଯାଇଛି। ପୂର୍ବବର୍ଷ ଏହି ସଂଖ୍ୟା ୩୧ରେ ରହିଥିଲା।

ଗ୍ରାମାଞ୍ଚଳରୁ ମାତ୍ର ୧୨% ଅଭିଯୋଗ
ବ୍ୟାଙ୍କ ଲୋକପାଳଙ୍କ ନିକଟକୁ ଆସୁଥିବା ସମୁଦାୟ ଅଭିଯୋଗ ମଧ୍ୟରୁ ଗ୍ରାମାଞ୍ଚଳରୁ ମାତ୍ର ୧୨ ପ୍ରତିଶତ ଅଭିଯୋଗ ଆସିଥିବାବେଳେ ସହରାଞ୍ଚଳ, ଅର୍ଦ୍ଧ ସହରାଞ୍ଚଳ ଏବଂ ମେଟ୍ରୋରୁ ଅବଶିଷ୍ଟ ୮୮ ପ୍ରତିଶତ ଅଭିଯୋଗ ଆସିଛି।
କିଏ ଅଭିଯୋଗ କରିପାରିବେ
ଜଣେ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କ ଲୋକପାଳଙ୍କ ନିକଟରେ ଅଭିଯୋଗ କରିପାରିବେ। ତେବେ ଗ୍ରାହକଙ୍କୁ ପ୍ରଥମେ ତାଙ୍କ ଅଭିଯୋଗ ସଂପୃକ୍ତ ବ୍ୟାଙ୍କ ନିକଟରେ କରିବାକୁ ହେବ। ଯଦି ବ୍ୟାଙ୍କର ଉତ୍ତରରେ ସେ ସନ୍ତୁଷ୍ଟ ନହୁଅନ୍ତି କିମ୍ବା ମାସକ ମଧ୍ୟରେ କୌଣସି ଉତ୍ତର ନମିଳିଲା ତାହେଲେ ଗ୍ରାହକ ବ୍ୟାଙ୍କ ଲୋକପାଳଙ୍କୁ ଅଭିଯୋଗ କରିପାରିବେ। ବ୍ୟାଙ୍କ ଆକାଉଣ୍ଟ, ଋଣ, କ୍ରେଡିଟ୍ କାର୍ଡ, ଫାଇନାନ୍ସିଆଲ ପ୍ରଡକ୍ଟର ମିସ୍ ସେଲିଂ ଆଦି ସମ୍ପର୍କରେ ଅଭିଯୋଗ କରାଯାଇ ପାରିବ। ତେବେ କୌଣସି ପକ୍ଷ ଯଦି ବ୍ୟାଙ୍କ ଲୋକପାଳଙ୍କ ରାୟରେ ସନ୍ତୁଷ୍ଟ ନହୁଅନ୍ତି ସେ ନିଷ୍ପତ୍ତି ଘୋଷଣା ହେବାର ୩୦ ଦିନ ମଧ୍ୟରେ ଆପିଲେଟ ଅଥରିଟିଙ୍କ ନିକଟକୁ ଯାଇପାରିବେ।

ସମ୍ବନ୍ଧିତ ଖବର