ବ୍ୟାଙ୍କ ବିରୋଧରେ ଅଭିଯୋଗ କରିବା ସହଜ ହେବ

ମୁମ୍ବାଇ : ଦେଶରେ ଏବେ ବ୍ୟାଙ୍କ, ଏନବିଏଫ୍‌ସି ଓ କାର୍ଡ ଜାରି କରୁଥିବା ସଂସ୍ଥାଙ୍କ ବିରୋଧରେ ଅଭିଯୋଗ କରିବା ଲାଗି ଗ୍ରାହକଙ୍କ ନିମନ୍ତେ ୩ଟି ଭିନ୍ନ ଭିନ୍ନ ପ୍ରକାରର ଲୋକପାଳ ଯୋଜନା ରହିଛି। କିନ୍ତୁ ଖୁବଶୀଘ୍ର ଦେଶରେ ଗୋଟିଏ ବ୍ୟାଙ୍କ ଲୋକପାଳ ବ୍ୟବସ୍ଥା ହେବ। ଏହାଦ୍ବାରା ଅଭିଯୋଗକାରୀମାନେ ଗୋଟିଏ ଜାଗାରେ ସେମାନଙ୍କ ବ୍ୟାଙ୍କିଂ କାରବାର ସଂପର୍କିତ ଅଭିଯୋଗ କରିପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଯୋଜନା ରହିଛି ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ମୁଦ୍ରା ନୀତି କମିଟି ବୈଠକ ପରେ ଶକ୍ତିକାନ୍ତ ଏହି ସୂଚନା ଦେଇଛନ୍ତି। ସମନ୍ବିତ ଲୋକପାଳ ଯୋଜନା ବା ଗୋଟିଏ ଦେଶ ଜଣେ ଓମ୍ବଡସ୍‌ମ୍ୟାନ୍‌କୁ ରିଜର୍ଭ ବ୍ୟାଙ୍କ ୨୦୨୧ ଜୁନ୍‌ରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ରିଜର୍ଭ ବ୍ୟାଙ୍କର ୨୨ଟି ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ୨୨ ଜଣ ବ୍ୟାଙ୍କ ଲୋକପାଳ କାର୍ଯ୍ୟ କରୁଛନ୍ତି। ବଜେଟ୍‌ ଉପସ୍ଥାପନ ହେବାର ୪ ଦିନ ପରେ ରିଜର୍ଭ ବ୍ୟାଙ୍କର ଆଜି ଏହାର ମୁଦ୍ରାନୀତି ରିପୋର୍ଟ ଘୋଷଣା କରିଛି। ବଜେଟ୍ ପରବର୍ତ୍ତୀ ମୁଦ୍ରାନୀତିରେ ରେପୋ ହାରକୁ ୪ ପ୍ରତିଶତ ଏବଂ ‌ରିଭର୍ସ ରେପୋ ହାରକୁ ୩.୩୫ ପ୍ରତିଶତରେ ସ୍ଥିର ରଖାଯାଇଛି। କ୍ରମାଗତଭାବେ ଚତୁର୍ଥ ଥର ପାଇଁ ରିଜର୍ଭ ବ୍ୟାଙ୍କ ଉକ୍ତ ସୁଧ ହାରରେ କୌଣସି ପରିବର୍ତ୍ତନ ଆଣିନାହିଁ। ବ୍ୟାଙ୍କିଂ ବ୍ୟବସ୍ଥା‌ରେ ପର୍ଯ୍ୟାପ୍ତ ପରିମାଣର ନଗଦ ଅର୍ଥ ରଖି ଅଭିବୃଦ୍ଧିରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ମୁଦ୍ରା ନୀତି କମିଟି ବୈଠକରେ ସର୍ବସମ୍ମତି କ୍ରମେ ସୁଧ ହାର ଅପରିବର୍ତ୍ତିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଗତ ମାର୍ଚ୍ଚରୁ ଇତିମଧ୍ୟରେ ରେପୋ ହାରରେ ୧.୧୫ ପ୍ରତିଶତ ହ୍ରାସ ‌କରିସାରିଛି। ସେହିଭଳି ‌ଆସନ୍ତା ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୦.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି।

ଡିଜିଟାଲ କରେନ୍ସି ଉପରେ ନିଷ୍ପତ୍ତି ଶୀଘ୍ର
ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଜସ୍ବ ଡିଜିଟାଲ କରେନ୍ସି ଆଣିବା ଯୋଜନା ରଖାଯାଇଛି। ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ କମିଟି ଏହି ଯୋଜନାର ଅନୁଧ୍ୟାନ କରୁଛି। କମିଟିର ନିଷ୍ପତ୍ତି ଖୁବଶୀଘ୍ର ଆସିଯିବ ବୋଲି ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବି ପି କାନୁନ୍‌‌ଗୋ କହିଛନ୍ତି। ସେହିଭଳି ଡିଜିଟାଲ କରେନ୍ସି ଉପରେ କାର୍ଯ୍ୟ ଚାଲିଛି ବୋଲି ଶକ୍ତିକାନ୍ତ ସୂଚନା ଦେଇଛନ୍ତି। ବିଟକଏନ୍ ସମେତ ଦେଶରେ ଏକାଧିକ କ୍ରିପ୍ଟୋକରେନ୍ସିଂ ପ୍ରଚଳନର ପ୍ରସାର ଘଟିଥିବାରୁ ରିଜର୍ଭ ବ୍ୟାଙ୍କ ଏଭଳି ଯୋଜନା ରଖିଛି।

ସେ‌ପ୍ଟେମ୍ବର ସୁଦ୍ଧା ସବୁ ଶାଖାରେ ସିଟିଏସ୍‌
ନିରାପଦ ପେମେଣ୍ଟ ସେବା ପ୍ରଦାନ ଉଦ୍ଦେଶ୍ୟରେ ଦେଶରେ ଏବେସୁଦ୍ଧା ବାକି ଥିବା ୧୮ ହଜାରରୁ ଅଧିକ ବ୍ୟାଙ୍କ ଶାଖାରେ ସେଣ୍ଟ୍ରାଲାଇଜ୍‌ କ୍ଲିୟରିଂ ବା ଚେକ୍ ଟ୍ରଙ୍କେସନ ସିଷ୍ଟମ (ସିଟିଏସ) କାର୍ଯ୍ୟକାରୀ କରାଯିବ। ୨୦୧୦ ମସିହାରୁ ଦେଶରେ ସିଟିଏସ୍‌ କାର୍ଯ୍ୟକାରୀ ହେଉଛି।

୨୪ ଘଣ୍ଟିଆ ଡିଜିଟାଲ ପେମେଣ୍ଟ ହେଲ୍‌ପଲାଇନ୍‌
ଡିଜିଟାଲ ପେମେଣ୍ଟ ସେବାର ଉପଯୋଗ କରୁ୍‌ଥିବା ବ୍ୟକ୍ତି ଓ ସଂସ୍ଥାମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ୨୪ ଘଣ୍ଟିଆ ହେଲପଲାଇନ ସେବା ରିଜର୍ଭ ବ୍ୟାଙ୍କ ଆରମ୍ଭ କରିବ।

ସରକାରଙ୍କ ଋଣ ଯୋଜନା ପାଇଁ ପ୍ରସ୍ତୁତ
ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ୧୨ ଲକ୍ଷ କୋଟି ଟଙ୍କାର ଋଣ କରିବା ପାଇଁ ଯୋଜନା ରଖିଛନ୍ତି। ଏତେ ପରିମାଣର ଋଣ କରିବାକୁ ସରକାର ଯୋଜନା ରଖିଥିଲେ ମଧ୍ୟ ଏହାର ପରିଚାଳନା ଠିକ୍‌ଭାବେ କରାଯିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି। ଋଣର ଉତ୍ତମ ପରିଚାଳନା ଉପରେ କୌଣସି ସନ୍ଦେହ ରହିବା ଅନୁଚିତ ବୋଲି ସେ କହିଛନ୍ତି। କରୋନା ବେଳେ ସରକାର ଅଧିକ ପରିମାଣର ଅର୍ଥ ଋଣ କରି ଖର୍ଚ୍ଚ କରୁଛନ୍ତି। ଏଥିଯୋଗୁ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ତୁଳନାରେ ବିତ୍ତୀୟ ନିଅଣ୍ଟ ୯.୫ ପ୍ରତିଶତରେ ଏବଂ ଆସନ୍ତାବର୍ଷ ୬.୮ ପ୍ରତିଶତରେ ରହିବ ବୋଲି ବଜେଟ୍‌ରେ ଆକଳନ କରାଯାଇଛି।

ଖୁଚୁରା ନିବେଶକ କିଣିପାରିବେ ସରକାରୀ ସିକ୍ୟୁରିଟିଜ୍‌
ଖୁଚୁରା ନିବେଶକମାନେ ସିଧାସଳଖ ସରକାରୀ ସିକ୍ୟୁରିଟିଜ୍‌ କିଣାବିକା କରିପାରିବେ। ଆଜି ଘୋଷଣା ହୋଇଥିବା ମୁଦ୍ରାନୀତିରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଏହି ଆକାଉଣ୍ଟକୁ ନିବେଶକମାନେ ସିଧାସଳଖ ଖୋଲିପାରିବେ। ଏହି ଆକାଉଣ୍ଟର ନାମ ଆର୍‌ବିଆଇ ରିଟେଲ୍‌ ଡାଇରେକ୍ଟ ରଖାଯିବ। ଏହି ସୁବିଧା ଦ୍ବାରା ଖୁଚୁରା ନିବେଶକମାନଙ୍କୁ ଆଉ ଏକ ନିରାପଦ ନିବେଶ ସୁବିଧା ମିଳିଯିବ।

ସମ୍ବନ୍ଧିତ ଖବର