ଭୁବନେଶ୍ବର: ମଣିପାଲ୍ ହସ୍ପିଟାଲ୍ରେ ମଧ୍ୟପ୍ରଦେଶର ଇନ୍ଦୋର୍ର ଜଣେ ୨୦ ବର୍ଷୀୟ ଯୁବକଙ୍କ ଜଟିଳ ଅସ୍ଥିମଜା ଚିକିତ୍ସା କରାଯାଇଛି। ଇନ୍ଦୋରର ବିଭିନ୍ନ ହସ୍ପିଟାଲ୍ରେ ଦେହ ଦେଖାଇ ନିରାଶ ହେବା ପରେ ଯୁବକ ଜଣଙ୍କୁ ତାଙ୍କ ଅଭିଭାବକ ମଣିପାଲ୍ ହସ୍ପିଟାଲ୍ ଆଣିଥିଲେ। ସେଠାରେ କ୍ଲିନିକାଲ୍ ହେମାଟୋଲୋଜି, ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ୍ର କନ୍ସଲ୍ଟାଣ୍ଟ୍ ଡାକ୍ତର ସନ୍ଦୀପ ଅଭିଜିତ ପଟ୍ଟନାୟକ ତାଙ୍କ ଚିକିତ୍ସା କରିଥିଲେ। ତାଙ୍କ ଅସ୍ଥିମଜା ରିପୋର୍ଟରୁ ସେ ଏକ ବିରଳ ରୋଗରେ ପୀଡ଼ିତ ଥିବା ଓ ଏଚ୍ଏଲ୍ଏଚ୍ ବିକାଶ ହେଉଥିବା ଜଣାପଡ଼ିଥିଲା।
ଡାକ୍ତର ପଟ୍ଟନାୟକଙ୍କ ନେତୃତ୍ବରେ ସଂକ୍ରାମକ ରୋଗର ଆସୋସିଏଟ୍ କନ୍ସଲ୍ଟାଣ୍ଟ ଡାକ୍ତର ଶୁଭଶ୍ରୀ ସାମନ୍ତରାୟ, ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ କୁମାର ଭୂୟାଁ ଓ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ ନାରାୟଣ ସାହୁଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ। ଡାକ୍ତର ପଟ୍ଟନାୟକ କହିଛନ୍ତି ଯେ ସଠିକ୍ ଆଣ୍ଟିବାୟୋଟିକ୍ ଓ ଟିବି ଔଷଧ ନିୟମିତ ବ୍ୟବହାର କରିବା ଫଳରେ ମାତ୍ର ୧୦ ଦିନରେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା। ଏହି ସଫଳତା ପାଇଁ ହସ୍ପିଟାଲ୍ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।