୧୯ ରେଳବାଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ରେଳବାଇରେ ୭୨ ହଜାର ପଦ ଉଚ୍ଛେଦ

ନୂଆଦିଲ୍ଲୀ : କାର୍ଯ୍ୟ କ୍ଷେତ୍ରରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବା ୧୯ ଜଣ ଅଧିକାରୀଙ୍କୁ ଚାକିରି ଶେଷ ହେବା ପୂର୍ବରୁ ରେଳବାଇ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛି। ନିୟମିତ ବ୍ୟବଧାନରେ କରାଯାଉଥିବା ଏକ ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ହେଉଛନ୍ତି ବରିଷ୍ଠ ପ୍ରଶାସନିକ ଗ୍ରେଡ୍‌ର ଅଧିକ‌ାରୀ। ସେମାନଙ୍କୁ ଜଏଣ୍ଟ୍‌ ସେକ୍ରେଟାରି ଅଫିସର ବୋଲି ମଧ୍ୟ କୁହାଯାଏ। ଏହି ଅଧିକାରୀମାନେ ଇଲେକ୍ଟ୍ରିକାଲ୍‌, ସିଗ୍‌ନାଲିଂ ସେବା, ମେଡିକାଲ୍‌, ସିଭିଲ୍‌, କାର୍ମିକ, ଷ୍ଟୋର୍‌, ଟ୍ରାଫିକ୍ ଓ ମେକାନିକାଲ ବିଭାଗରେ କାମ କରୁଥିଲେ। ସେମାନଙ୍କ ବିରୋଧରେ ଦୁର୍ନୀତିକୁ ନେଇ ମଧ୍ୟ ଅଭିଯୋଗ ରହିଥିଲା।

କେନ୍ଦ୍ରୀୟ ପ୍ରଶାସନିକ ସେବା ପେନ୍‌ସନ୍ ନିୟମ ୧୯୭୨ର ଧାରା ୫୬ (‌ଜେ)(ଆଇ) ଅନୁଯାୟୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିଛି ଦିନ ତଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ମନ୍ଥର କାମକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ତାହାର କିଛି ଦିନ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି। ଶ୍ରୀ ବୈଷ୍ଣବ ରେଳମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ୭୭ ଜଣ କର୍ମଚାରୀ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ନେଇଛନ୍ତି। ଯେଉଁମାନେ ଆଶାନୁରୂପ ପ୍ରଦର୍ଶନ କରୁନାହାନ୍ତି ଓ ଦୁର୍ନୀତିଖୋର ସେମାନଙ୍କ ପାଇଁ ରେଳମନ୍ତ୍ରୀ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତାଙ୍କ ଅମଳରେ କର୍ମଚାରୀମାନଙ୍କ ଉପରେ କାମ ଚାପ ବହୁତ ବଢ଼ିଯାଇଛି। ମନ୍ତ୍ରୀ କଠିନ ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି। ଭିଆର୍‌ଏସ୍‌ ନେଲେ ଚାକିରି ଆଉ ଯେତିକି ବର୍ଷ ବାକି ରହିଛି ‌ପ୍ରତି ବର୍ଷ ପାଇଁ ଦୁଇ ମାସର ବେତନ ଦିଆଯାଇଥାଏ। ମାତ୍ର, ବାଧ୍ୟତାମୂଳକ ଅବସର କ୍ଷେତ୍ରରେ କୌଣସି ସୁବିଧା ଦିଆଯାଏ ନାହିଁ।

ରେଳବାଇରେ ୭୨ ହଜାର ପଦ ଉଚ୍ଛେଦ
ନୂଆଦିଲ୍ଲୀ : ଦେଶର ସର୍ବବୃହତ ନିଯୁକ୍ତିଦାତା ରେଳବାଇ ପକ୍ଷରୁ ଗତ ୬ ବର୍ଷରେ ପ୍ରାୟ ୭୨ ହଜାର ପଦ ଉଚ୍ଛେଦ କରାଯାଇଛି। ସବୁଗୁଡ଼ିକ ହେଉଛି ଗ୍ରୁପ୍ ସି ଓ ଡି ବର୍ଗର ପଦ। ପ୍ରଯୁକ୍ତି ଜ୍ଞାନକୌଶଳ ବ୍ୟବହାର ପରେ ଏହି ପଦଗୁଡ଼ିକ ଅନାବଶ୍ୟକ ହୋଇପଡ଼ିଛି। ତେଣୁ ସେହି ପଦରେ ଭବିଷ୍ୟତରେ କୌଣସି ନିଯୁକ୍ତି ଦିଆଯିବ ନାହିଁ। ଏହି ପଦଗୁଡ଼ିକରେ ଏବେ ଯେଉଁ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ରେଳବାଇର ଅନ୍ୟ ବିଭାଗଗୁଡ଼ିକୁ ପଠାଇ ଦିଆଯିବ। ରେଳବାଇର ୧୬ଟି ଜୋନ୍ ପକ୍ଷରୁ ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ୫୬,୮୮୮ ଅନାବଶ୍ୟକ ପଦକୁ ସମର୍ପଣ କରାଯାଇଛି। ଆଗାମୀ ଦିନରେ ଆଉ ୧୫,୪୯୫ ପଦ ସମର୍ପଣ କରାଯିବ। ପୂର୍ବତନ ରେଳପଥ ୫,୭୦୦ରୁ ଅଧିକ ପଦ ସମର୍ପଣ କରିଥିବା ବେଳେ ନର୍ଦନ ରେଲ୍‌ୱେ ୯୦୦୦ରୁ ଅଧିକ, ଦକ୍ଷିଣ ପୂର୍ବ ରେଳପଥ ୪,୬୭୭ ଓ ସଦର୍ଣ୍ଣ ରେଲ୍‌ୱେ ପକ୍ଷରୁ ୭୫୨୪ଟି ପଦ ସମର୍ପଣ କରାଯାଇଛି। ଷ୍ଟାଫ୍‌ମାନଙ୍କ ପ୍ରଦର୍ଶନକୁ ନେଇ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏକ ସର୍ବେକ୍ଷଣ କରାଯାଇଛି ଯାହା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଆଉ ପ୍ରାୟ ୯,୦୦୦ ପଦକୁ ସମର୍ପଣ କରାଯିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର