ଭୁବନେଶ୍ବର: ଚଳିତ ବର୍ଷ ‌ମେ’ ସୁଦ୍ଧା ଗ୍ରାମାଞ୍ଚଳରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ହାର ୯୦ ପ୍ରତିଶତରୁ ଅଧିକ ରହିଥିବା କୁହାଯାଇଥିଲେ ମଧ୍ୟ ଏବେବି ରାଜ୍ୟର ବହୁ ସ୍ଥାନରେ ମୋବାଇଲ୍‌ ଓ ବ୍ରଡ୍‌ବ୍ୟାଣ୍ଡ ସୁବିଧା ଆଶାଜନକ ନଥିବା ନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଉଦ୍‌ବେଗ ପ୍ରକାଶ କରିଛନ୍ତି। କ୍ଷେତ୍ର କର୍ମଚାରୀଙ୍କୁ ପଠାଇ ପ୍ରକୃତ ସ୍ଥିତି ଯାଞ୍ଚ କରିବାକୁ ‌ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

Advertisment

ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡ୍‌ବ୍ୟାଣ୍ଡ୍ କମିଟି ବୈଠକରେ ମୋବାଇଲ ଟାୱାର ସମ୍ବନ୍ଧୀୟ ସମସ୍ୟା ଯଥା ଜମି ଆବଣ୍ଟନ, ରାସ୍ତା ସୁବିଧା, ପରିବେଶ ମଞ୍ଜୁରୀ, ସ୍ଥାନୀୟ ସମସ୍ୟା ଆଦି ଉପରେ ଆଲୋଚନା ହୋଇଥିଲା। ସେଗୁଡ଼ିକର ସମାଧାନ ପାଇଁ ୧୫ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇବାକୁ ସେ କହିଛନ୍ତି। ଏଥିସହିତ ଜିଲ୍ଲାପାଳ, ଏସପି ଓ ଡିଏଫ୍ଓ ମିଳିତ ଆଲୋଚନା କରି ସମାଧାନ ବାଟ ବାହାର କରିବାକୁ ସେ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପିଏମ୍ ଗତିଶକ୍ତି ପୋର୍ଟାଲ୍‌ରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସମେତ ଶିକ୍ଷାନୁଷ୍ଠାନ ତଥା ପ୍ରତିଷ୍ଠାନ ସଂପର୍କରେ ତଥ୍ୟ ଦେବାକୁ ପରାମର୍ଶ ଦିଆଯାଇଛି।

ଦୂର ସଞ୍ଚାର ଯୋଜନା କାର୍ଯ୍ୟକାରୀ କରିବା ବେଳେ ଜନ ସାଧାରଣଙ୍କ ହେଉଥିବା କ୍ଷତିକୁ ଏଡ଼ାଇବା ଲାଗି ସିବିୟୁଡି ଆପ୍‌ ବାଧ୍ୟତାମୂଳକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସମସ୍ତ ଇଞ୍ଜିନିୟରିଂ କର୍ମଚାରୀଙ୍କୁ ସାମିଲ କରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସିବିୟୁଡି ସଚେତନତା ଶିବିର ଆୟୋଜନ କରାଯିବ। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ବିଦ୍ୟୁତ୍ ବିତରଣ କମ୍ପାନିମାନଙ୍କ ସହ ଆଲୋଚନା କରିବା ସହ ସମସ୍ତ ଟେଲିକମ୍ କମ୍ପାନି, ଇଣ୍ଟରନେଟ୍ ସେବା ପ୍ରଦାନକାରୀ, ଭିତ୍ତିଭୂମି ସଂସ୍ଥା ପାଇଁ କମ୍ପୋଜିଟ୍ ବିଲିଂ ପ୍ରସ୍ତାବକୁ ସୁଗମ କରିବା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଷ୍ଟ୍ରିଟ୍ ଆସବାବପତ୍ର ତାଲିକା ଅପଲୋଡ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି। ରଥଯାତ୍ରା ସମୟରେ ସେଲ୍‌ ଅନ୍ ହ୍ବିଲ୍‌ ସ୍ଥାପନ କରିବା ଲାଗି ମୋବାଇଲ୍ କମ୍ପାନିଗୁଡ଼ିକୁ କୁହାଯାଇଛି। ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।