ରିଜର୍ଭ ବ୍ୟାଙ୍କର ତୃତୀୟ ଲହର ଚିନ୍ତା

ପିଛିଲା ଟିକସ ଆଇନ ଉଚ୍ଛେଦକୁ ଶକ୍ତିକାନ୍ତଙ୍କ ପ୍ରଶଂସା

ମୁମ୍ବାଇ : କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସତର୍କ ରହିଛି। ସେଥିପାଇଁ ମୁଦ୍ରାନୀତି ସମୀକ୍ଷା କରି ଏହା ରେପୋ ହାରକୁ ୪% ଓ ପଶ୍ଚାତଗାମୀ ରେପୋ ହାରକୁ ୩.୩୫%ରେ ଅପରିବର୍ତ୍ତିତ ରଖିଛି। ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୯.୫% ରହିବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅପରିବର୍ତ୍ତିତ ରଖିଛି। କ୍ରମାଗତ ସପ୍ତମ ଥର ଲାଗି ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନଥିବାରୁ ଋଣ ନେଇଥିବା ଗ୍ରାହକମାନଙ୍କୁ କୌଣସି ପ୍ରକାର ଅତିରିକ୍ତ ସୁବିଧା ମିଳିବ ନାହିଁ।

ଯେଉଁ ହାରରେ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କ ଠାରୁ ଋଣ ଆଣନ୍ତି ତାହାକୁ ରେପୋ ହାର କୁହାଯାଉଥିବା ବେଳେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କକୁ ବ୍ୟାଙ୍କଗୁଡ଼ିକ ଋଣ ଦିଅନ୍ତି ତାହାକୁ ପଶ୍ଚାତଗାମୀ ରେପୋ ହାର କୁହାଯାଉଛି। ରେପୋ ହାରରେ ହ୍ରାସ ଘଟିଲେ ଗୃହ, ଗାଡ଼ି ପାଇଁ ଋଣ ନେଇଥିବା ଗ୍ରାହକଙ୍କ ଇଏମ୍‌ଆଇ ହ୍ରାସ ପାଇଥାଏ। ଆଜି ମୁଦ୍ରାନୀତି ସମୀକ୍ଷା ବିଷୟରେ ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଅର୍ଥନୀତିରେ ସୁଧାର ପ୍ରକ୍ରିୟା ଜାରି ରହିଛି। ମାତ୍ର ମହାମାରୀ ଲାଗି ଯେଉଁ ସୁରକ୍ଷା ବଳୟ ତିଆରି କରାଯାଇଛି ତାହାକୁ ହଟାଇ ହେବ ନାହିଁ। ଆମକୁ ସମ୍ଭାବ୍ୟ ତୃତୀୟ ଲହର ଉପରେ ନଜର ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗତ ମେ’ ମାସର ମୁଦ୍ରାସ୍ଫୀତିରେ ବୃଦ୍ଧି ରିଜର୍ଭ ବ୍ୟାଙ୍କକୁ ଚକିତ କରିଥିଲା ବୋଲି ସେ କହିଛନ୍ତି। ବିଭିନ୍ନ ସାମଗ୍ରୀର ଦରଦାମ୍ ଉଚ୍ଚ ସ୍ତରରେ ରହିଥିବାରୁ ୨୦୨୧-୨୨ ଆର୍ଥିକ ବର୍ଷ ସାରାରେ ଉପଭୋକ୍ତା ମୁଦ୍ରାସ୍ଫୀତି ହାର ୫.୭% ରହିବ ବୋଲି ଆକଳନ କରାଯାଇଛି ଯାହା ପୂର୍ବରୁ କରାଯାଇଥିବା ୫.୧% ଆକଳନ ତୁଳନାରେ ଅଧିକ।

ଶକ୍ତିକାନ୍ତ କହିଛନ୍ତି ଯେ ମହାମାରୀର ପ୍ରଭାବ ଦୂର କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶତାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି ତାହାର ଅଗ୍ରଗତି ଉପରେ ନଜର ରଖାଯାଇଛି। ଆଜି ଟିଏଲ୍‌ଟିଆର୍‌ଓ ସ୍କିମ୍‌ର ଅବଧିରେ ଆଉ ତିନି ମାସ ବୃଦ୍ଧି କରି ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏମ୍ଏସ୍‌ଏଫ୍‌ କୋହଳର ସମୟ ସୀମାକୁ ମଧ୍ୟ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ପିଛିଲା ଟିକସ ଆଇନ ଉଚ୍ଛେଦକୁ ଶକ୍ତିକାନ୍ତଙ୍କ ପ୍ରଶଂସା
ନୂଆଦିଲ୍ଲୀ : ଅତୀତ ବ୍ୟାବସାୟିକ ଚୁକ୍ତି ଉପ‌ରେ ପିଛିଲା ଭାବେ ଟିକସ ଲାଗୁ କରିବା ଲାଗି ୨୦୧୨ରେ କାର୍ଯ୍ୟକାରୀ କରାଯାଇଥିବା ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ଲାଗି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରଶଂସା କରିଛନ୍ତି। ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ ମୁଁ ରାଜସ୍ବ ସଚିବ ଓ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଛି। ଏହା ଏକ ବହୁଦିନର ସମସ୍ୟା ଥିଲା। ଏହି ଆଇନ ଉଚ୍ଛେଦ କରିବା ଲାଗି ସରକାର ସଂସଦରେ ଯେଉଁ ବିଲ୍‌ ଉପସ୍ଥାପନ କରିଛନ୍ତି ତାହା ଏକ ଭଲ ପଦକ୍ଷେପ। ଏହା ଏକ ସମୟୋପଯୋଗୀ ପଦକ୍ଷେପ। ଏହା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି। ମହାମାରୀ ମୁକାବିଲା ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସରକାର ପ୍ରଥମେ ଗରିବ ଲୋକମାନଙ୍କ ଲାଗି ପଦକ୍ଷେପ ଗ୍ରହଣ କଲେ। ଏହା ପରେ ଋଣରେ କିଭଳି ବୃଦ୍ଧି ହୋଇପାରିବ ସେଦିଗରେ କାର୍ଯ୍ୟ କଲେ। ତା’ ପରେ ବିଭିନ୍ନ ନିର୍ଦି‌ଷ୍ଟ କ୍ଷେତ୍ରର ସମସ୍ୟା ସମାଧାନ କରିବା ଲାଗି ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି। ଅର୍ଥନୀତିରେ ସୁଧାର ଧାରା ଜୁନ୍ ଠାରୁ ଆରମ୍ଭ ହୋଇଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର