ବ୍ୟାଟେରି ଚାର୍ଜିଂକୁ ନେଇ ଚିନ୍ତା ବଢ଼ିଲା: ଦୁଇମାସରେ ଆସିବ ବ୍ୟାଟେରି ସ୍ବାପିଂ ନୀତି

ବିଦ୍ୟୁତ୍ ଯାନ ସବ୍‌ସିଡି ରାଶି ସାଢ଼େ ୩ ଗୁଣା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ବିଦ୍ୟୁତ୍ ଯାନ ପାଇଁ ଏକ ବ୍ୟାଟେରିଂ ସ୍ବାପିଂ ନୀତିର ଘୋଷଣା କରିଛନ୍ତି। ଏହି ନୀତିକୁ ସରକାର ଆସନ୍ତା ୨ ମାସ ମଧ୍ୟରେ ଚୂଡ଼ାନ୍ତ ରୂପ ଦେବେ ବୋଲି ଆଶା କରାଯାଉଛି। ଉକ୍ତ ନୀତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟୁତ୍ ସ୍କୁଟର, ମୋଟର ସାଇକଲ, ଅଟୋରିକ୍ସା ଆଦିକୁ ପ୍ରାଧାନ୍ୟ ଦିଆଯିବ। ବ୍ୟାଟେରି ବଦଳ ସୁବିଧା ରହିଲେ ଉକ୍ତ ବଜାର ଆଗକୁ ବଢ଼ିପାରିବ ବୋଲି ଆଶା ରଖାଯାଇଛି। ୨୦୧୯ରେ ଭାରତ ବିଦ୍ୟୁତ ‌ଯାନ କ୍ରେତାଙ୍କୁ ପ୍ରୋତ୍ସାହନ ଦେବାପାଇଁ ୧୦,୦୦୦ କୋଟି ଟଙ୍କା ରଖିଥିଲା। କିନ୍ତୁ ଏଥିରୁ କେବଳ ୧୦ ପ୍ରତିଶତ ଅର୍ଥ ବ୍ୟବହାର ହୋଇପାରିଥିଲା। ତେଣୁ ବ୍ୟାଟେରିଂ ସ୍ବାପିଂ ପାଇଁ ମଧ୍ୟ ପ୍ରୋତ୍ସାହନ ଉକ୍ତ ପାଣ୍ଠି ମାଧ୍ୟମରେ ଦିଆଯିବ। ଅନ୍ତର୍ଜାତୀୟ ସ୍ତରରେ ବ୍ୟାଟେରି ବଦଳ ନୀତି ସେତେ ଅଧିକ ଗ୍ରହଣୀୟ ହୋଇପାରିନାହିଁ। ବର୍ଷକ ତଳେ ଟେସ୍‌ଲା ଏହି ମଡେଲ କାର୍ଯ୍ୟକାରୀ ପାଇଁ ପରୀକ୍ଷା କରିଥିଲା। କିନ୍ତୁ ପରେ ଏହାକୁ କାର୍ଯ୍ୟକାରୀ କରି ନଥିଲା। କିନ୍ତୁ ଚୀନରେ ନିଓ କମ୍ପାନି ଏହି ସେବା ଗ୍ରାହକଙ୍କୁ ଯୋଗାଇ ଦେଉଛି। ଚୀନର ବ୍ୟାଟେରି ନିର୍ମାତା କଣ୍ଟେମ୍ପୋରାରି ଆମ୍ପିରେକ୍ସ ଟେକ୍ନୋଲୋଜି ବ୍ୟାଟେରି ବଦଳ ଷ୍ଟେସନ ସ୍ଥାପନ ପାଇଁ ଘୋଷଣା କରିଛି। ରିଲାଏନ୍ସ ବ୍ରିଟେନର ବିପି ସହ ଓ ହିରୋ ମୋଟୋକର୍ପ ତାଇୱାନ୍‌ର ଗୋଗୋରୋ ସହିତ ସହଭାଗିତା ସ୍ଥାପନ କରିଛି।

ବ୍ୟାଟେରି ବଦଳ
ଚାର୍ଜ ଶେଷ ହୋଇଯାଇଥିବା ଗାଡ଼ିର ବ୍ୟାଟେରିକୁ ଗୋଟିଏ ସ୍ଥାନରେ ବଦଳାଇ ସେଠାରୁ ପୂରା ଚାର୍ଜ ଥିବା ବ୍ୟାଟେରି ନେବାକୁ ବ୍ୟାଟେରି ବଦଳ ବୁଝାଯାଇଥାଏ। ବ୍ୟାଟେରିଂ ସରିଯାଇଥିଲେ ଚାଳକ ବ୍ୟାଟେରି ବଦଳ ଷ୍ଟେସନକୁ ଯିବ ଏବଂ ସେଠାରେ ତାହାକୁ ରଖି ଶହେ ପ୍ରତିଶତ ଚାର୍ଜ ଥିବା ବ୍ୟାଟେରିକୁ ନେବାକୁ ବୁଝାଇଥାଏ। ତେବେ ଏଥିପାଇଁ ପୂର୍ବ ବ୍ୟାଟେରି ଯେତିକି କ୍ଷମତା ଏବଂ ଆକାର ଆଦିର ହୋଇଥିବ ନୂଆ ବ୍ୟାଟେରିଟି ମଧ୍ୟ ସେତିକି କ୍ଷମତା ଓ ଆକାରର ହୋଇଥିବା ଆବଶ୍ୟକ।

ମୂଲ୍ୟ ଏବଂ ସମୟ
ଦେଶରେ ବିଦ୍ୟୁତ୍ ଯାନ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରହିଥିବା ଅସୁବିଧାକୁ ବ୍ୟାଟେରିଂ ସ୍ବାପିଂ ନୀତି ଶୀଘ୍ର ଦୂର କରିବ ବୋଲି ଆଶା କରାଯାଉଛି। ଗୋଟିଏ ସ୍ଥାନରେ ‌ଏକାଧିକ ବ୍ୟାଟେରିଂ ଚାର୍ଜିଂ ଷ୍ଟେସନ ସ୍ଥାପନ ପରିବର୍ତ୍ତେ ବ୍ୟାଟେରି ବଦଳ ବ୍ୟବସ୍ଥା କରାଗଲେ ଏହା ମୂଲ୍ୟ ଏବଂ ସମୟ ଦୃଷ୍ଟିରୁ ଅଧିକ ସୁବିଧାଜନକ ରହିବ। ଜଣେ ଉଦ୍ୟୋଗୀ କମ୍ ସ୍ଥାନରେ ଉକ୍ତ ଭିତ୍ତିଭୂମି ତିଆରି କରିପାରିବ। ସେହିଭଳି ବ୍ୟାଟେରି ଗାଡ଼ି ଚାଳକ ଓ ମାଲିକମାନଙ୍କୁ ଚାର୍ଜ କରିବା ପାଇଁ ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ। ତେଣୁ ଉଭୟ ଅର୍ଥ ଓ ସମୟ ଏଥିରେ ବଞ୍ଚିପାରିବ।

ବର୍ତ୍ତମାନର ଆହ୍ବାନ
ଫେମ୍-୨ ‌ସ୍କିମରେ ବର୍ତ୍ତମାନ ଦେଶରେ ୯୩୪ଟି ସର୍ବସାଧାରଣ ଚାର୍ଜିଂ ଷ୍ଟେସନ ରହିଛି। ବାହାନ ତଥ୍ୟ ଅନୁଯାୟୀ, ଦେଶରେ ପଞ୍ଜୀକୃତ ବିଦ୍ୟୁତ୍ ଯାନ ସଂଖ୍ୟା ୭,୫୯,୧୮୨ ରହିଛି। ଏହାବ୍ୟତୀତ ପଞ୍ଜୀକରଣ ଆବଶ୍ୟକ ନଥିବା କମ୍ ବେଗର ଅନେକ ବିଦ୍ୟୁତ୍ ଯାନ ମଧ୍ୟ ଦେଶରେ ଚାଲୁଛି। ଗତ କିଛିବର୍ଷ ହେଲା ଦେଶରେ ଗାଡ଼ି ଚାହିଦା ବଢ଼ିବାରେ ଲାଗିଛି। ବିଦ୍ୟୁତ୍ ଯାନ କ୍ଷେତ୍ରରେ ଏବେ ଅନେକ ପ୍ରତିବନ୍ଧକ ରହିଛି। ଗୋଟିଏ ବ୍ୟାଟେରିରେ ଗାଡ଼ି କେତେ ବାଟ ଯାତ୍ରା କରିପାରିବ। ଚାର୍ଜିଂ ପାଇଁ କେତେ ସମୟ ଲାଗିବ ଏବଂ ଚାର୍ଜିଂ ଷ୍ଟେସନଗୁଡ଼ିକର ଉପଲବ୍ଧତା। ଏଥିସହିତ ବହୁସଂଖ୍ୟାରେ ବିଦ୍ୟୁତ ଯାନ ବିକଳ୍ପ ଅଭାବ ଏବଂ ମୂଲ୍ୟ ଅଧିକ ରହିବା ମଧ୍ୟ ଏ କ୍ଷେତ୍ରରେ ଆଉ ଏକ ସମସ୍ୟା ଭାବେ ରହିଛି। ଯେକୌଣସି ବିଦ୍ୟୁତ ଯାନରେ ବ୍ୟାଟେରିର ମୂଲ୍ୟ ହିଁ ଅଧିକ ରହିଥାଏ। ତେଣୁ ବ୍ୟାଟେରି ବଦଳ ସୁବିଧା‌ ସୃଷ୍ଟି କରାଯାଇ ପାରିଲେ ବର୍ତ୍ତମାନ ଏ କ୍ଷେତ୍ରରେ ରହିଥିବା ଅନେକ ସମସ୍ୟା ଦୂର ହୋଇପାରିବ।

ସମସ୍ୟା
ବ୍ୟାଟେରି ବଦଳ କ୍ଷେତ୍ରରେ ଅନେକ ଲାଭ ରହିଛି। ଏଥିସହିତ ସମସ୍ୟା ବି ରହିଛି। କାରଣ ଭାରତରେ ବିଭିନ୍ନ କମ୍ପାନିର ଗାଡ଼ିଗୁଡ଼ିକରେ ବ୍ୟାଟେରିର ଆକାର ସମାନ ନଥାଏ। ତେଣୁ ଗୋଟିଏ କମ୍ପାନିର ଗାଡ଼ି ବ୍ୟାଟେରିକୁ ଅନ୍ୟ ଏକ କମ୍ପାନିର ଗାଡ଼ିରେ ଲଗାଇବା ଏକ ସମସ୍ୟା ହୋଇପାରେ। ତେଣୁ ବ୍ୟାଟେରି ସ୍ବାପିଂ ନୀତିରେ ଯଦି ଅଟୋ ଶିଳ୍ପକୁ ବ୍ୟାଟେରିର ଆକାର ଓ ଅନ୍ୟାନ୍ୟ ବୈଷୟିକ ଆବଶ୍ୟକତା ସମୟରେ ନିର୍ଦ୍ଦିଷ୍ଟ ମାନକ ସୃଷ୍ଟି କରାଯାଇବ ତାହେଲେ ବିଦ୍ୟୁତ୍ ଯାନ ଶିଳ୍ପ ଆଗକୁ ବଢ଼ିପାରିବ। ତେଣୁ ବ୍ୟାଟେରି ସ୍ବାପିଂ ନୀତି ପ୍ରସ୍ତୁତ ସମୟରେ ସରକାର ଏହି ସମସ୍ୟାର ସମାଧାନ ପ୍ରତି ଧ୍ୟାନଦେବେ। ଗୋଟିଏ ସ୍ଥାନରେ ଭିନ୍ନ ଭିନ୍ନ କମ୍ପାନିର ଏବଂ ମଡେଲର ବ୍ୟାଟେରି ବଦଳାଇବାର ସୁବିଧା ଯଦି ରହିବ ତା’ହେଲେ ଏ କ୍ଷେତ୍ରରେ ସଫଳତା ମିଳିବ।

ବିଦ୍ୟୁତ୍ ଯାନ ସବ୍‌ସିଡି ରାଶି ସାଢ଼େ ୩ ଗୁଣା ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ଅଧିକରୁ ଅଧିକ ଲୋକ ଯେଭଳି କମ୍ ପରିବେଶ ପ୍ରଦୂଷଣ କରୁଥିବା ବିଦ୍ୟୁତ ଯାନ ବ୍ୟବହାର କରିବେ ସେଥିପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକବର୍ଷ ପାଇଁ ବିଦ୍ୟୁତ୍ ଯାନ କ୍ରୟ ବାବଦ ସବସିଡି ରାଶି ପ୍ରାୟ ୮୦୦ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ବଜେଟ୍‌ ପ୍ରସ୍ତାବରେ ଏହାକୁ ସାଢ଼େ ୩ ଗୁଣାରୁ ଅଧିକ ବୃଦ୍ଧି କରାଯାଇଛି। ବଜେଟରେ ଫେମ୍‌ ( ଫାଷ୍ଟର ଆଡପସନ୍ ଆଣ୍ଡ୍ ମାନୁଫାକ୍‌ଚରିଂ ଅଫ୍ ହାଇବ୍ରିଡ୍‌ ଆଣ୍ଡ୍ ଇଲେକ୍ଟ୍ରିକ୍ ଭେଇକିଲ) ପାଇଁ ସବ୍‌ସିଡି ବାବଦରେ ୨୯୦୮ କୋଟି ଟଙ୍କା ପ୍ରଦାନ ନେଇ ଆକଳନ କରାଯାଇଛି। ୨୦୨୦-୨୧ ବର୍ଷ ତୁଳନାରେ ଆସନ୍ତା ଆର୍ଥିକ ବର୍ଷର ସବସିଡି ବ୍ୟୟବରାଦ ୯ ଗୁଣାରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର