ନାରାୟଣମୂର୍ତ୍ତିଙ୍କୁ ବ୍ୟକ୍ତିଗତ ଆକ୍ଷେପକୁ ନିନ୍ଦା: ବିରୋଧ କଲା କଂଗ୍ରେସ

ପତ୍ରିକା ଆମ ମୁଖପତ୍ର ନୁହେଁ: ଆର୍‌ଏସ୍‌ଏସ୍‌, ଇନ୍‌ଫୋସିସ୍‌ର ଆପତ୍ତି ଥିଲେ ଜଣାଉ: ପତ୍ରିକା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସହ ସମ୍ପର୍କ ଥିବା କୁହାଯାଉଥିବା ଏକ ପତ୍ରିକା ‘ପଞ୍ଚଜନ୍ୟ’ରେ ଆୟକର ବିଭାଗ ପୋର୍ଟାଲ୍‌ରେ ଦେଖାଦେଇଥିବା ତ୍ରୁଟିକୁ ନେଇ ଘରୋଇ ସଫ୍ଟଓୟାର କଂପାନି ଇନ୍‌ଫୋସିସ୍‌ ଓ ଏହାର ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣମୂର୍ତ୍ତକୁ ନେଇ କଡ଼ା ସମାଲୋଚନା କରାଯାଇଛି। ପତ୍ରିକାରେ ଚାରି ପୃଷ୍ଠାର ଲେଖା ପ୍ରକାଶ ପାଇଛି ଯେଉଁଥିରେ ଦାବି କରାଯାଇଛି ଯେ ଦେଶ ବିରୋଧୀ ଶକ୍ତି ଭାରତର ଅର୍ଥନୈତିକ ସ୍ବାର୍ଥ ହାନି କରିବାକୁ ଉଦ୍ୟମ କରୁଛନ୍ତି। ଏଥିରେ ନାରାୟଣମୂର୍ତ୍ତିଙ୍କୁ ବ୍ୟକ୍ତିଗତ ଭାବେ ଆପେକ୍ଷ କରାଯାଇଛି।

ତେବେ ଆର୍‌ଏସ୍‌ଏସ୍‌ ଏହି ଲେଖା ଠାରୁ ନିଜକୁ ଦୂରେଇ ନେଇଛି। ସଂଘର ପ୍ରବକ୍ତା ସୁନିଲ ଆମ୍ବେକର ଟୁଇଟ୍‌ କରି ଜଣାଇଛନ୍ତି ଯେ ପତ୍ରିକାରେ ପ୍ରକାଶ ପାଇଥିବା ଲେଖା ସହ ସଂଗଠନର କୌଣସି ସମ୍ପର୍କ ନାହିଁ। ଲେଖାରେ ଲେଖକଙ୍କ ମତ ପ୍ରକାଶ ପାଇଛି। ଦେଶର ପ୍ରଗତିରେ ଇନ୍‌ଫୋସିସ୍‌ର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଇନ୍‌ଫୋସିସ୍‌ ଦ୍ବାରା ପରିଚାଳିତ ହେଉଥିବା ପୋର୍ଟାଲ୍‌ରେ କିଛିଟା ସମସ୍ୟା ରହିଥାଇପାରେ, କିନ୍ତୁ ପଞ୍ଚଜନ୍ୟରେ ପ୍ରକାଶ ପାଇଥିବା ଲେଖା ଲେଖକଙ୍କ ବ୍ୟକ୍ତିଗତ ମତ ବୋଲି ସେ ଟୁଇଟ୍ କରିଛନ୍ତି। ପଞ୍ଜଜନ୍ୟ ପତ୍ରିକା ଆର୍‌ଏସ୍‌ଏସ୍‌ର ମୁଖପତ୍ର ନୁହେଁ ବୋଲି ସେ କହିଛନ୍ତି। ‌ପଞ୍ଜଜନ୍ୟର ସଂପାଦକ ହିତେଶ ଶଙ୍କର କିନ୍ତୁ ଲେଖାକୁ ସମର୍ଥନ କରିଛନ୍ତି। ଇନ୍‌ଫୋସିସ୍‌ର ଯଦି କୌଣସି ଆପତ୍ତି ଅଛି ତାହା ସେ ଜଣାଇପାରିବ ବୋଲି ସେ କହିଛନ୍ତି। ଲେଖାଟି ଇନ୍‌ଫୋସିସ୍‌ ଉପରେ ଲେଖାଯାଇଛି। କିଛି ପକ୍ଷ ଏହାକୁ ଆରଏସ୍‌ଏସ୍‌ ସହ ଯୋଡ଼ିବାକୁ ଉଦ୍ୟମ କରୁଛି। ଏହି ଲେଖାରେ ଏକ ଅପାରଗ କଂପାନି ବିଷୟରେ ଉଲ୍ଲେଖ କରାଯାଇଛି ବୋଲି ସେ ଜଣାଇଛନ୍ତି।

ଏହି ପ୍ରସଙ୍ଗ ଉପରେ ମତ ରଖି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ପୋର୍ଟାଲ୍‌ରେ ଦେଖାଦେଇଥିବା ତ୍ରୁଟି ପାଇଁ ନାରାୟଣମୂର୍ତ୍ତିଙ୍କୁ ଦାୟୀ କରିବା ତାଙ୍କ ପ୍ରତି ବ୍ୟକ୍ତିଗତ ଆପେକ୍ଷ ଭଳି। ଏହା ଅତ୍ୟନ୍ତ ନିନ୍ଦନୀୟ। ଆୟକର ପୋର୍ଟାଲ୍‌ରେ ଯେଉଁ ସମସ୍ୟା ରହିଛି ତାହାର ସମାଧାନ ଅର୍ଥ ମନ୍ତ୍ରଣାଳୟ ଓ ଇନ୍‌ଫୋସିସ୍‌ କରିବେ। କଂପାନିର କିଛି ସମ୍ମାନଜକ ପ୍ରତିଷ୍ଠାତାଙ୍କୁ ଏଥିପାଇଁ ଦାୟୀ କରିବା ବ୍ୟକ୍ତିଗତ ଆପେକ୍ଷ ବୋଲି ସେ କହିଛନ୍ତି। ଯଦି ଏକ ଆଧୁନିକ ଓ ଉଦ୍ୟମିତା ଭାରତର ଗଠନକାରୀଙ୍କ ନାମ କୁହାଯିବ ସେମାନଙ୍କ ମଧ୍ୟରେ ନାରାୟଣମୂର୍ତ୍ତିଙ୍କ ନାମ ଶୀର୍ଷରେ ରହିବ। ନକ୍ସଲ, ଟୁକ୍‌ଡେ-ଟୁକ୍‌ଡେ ଗ୍ୟାଙ୍ଗ୍‌ ଓ ବାମପନ୍ଥୀ ଉଦାରବାଦୀଙ୍କୁ ସେ ସମର୍ଥନ କରୁଥିବା ଅଭିଯୋଗ କରିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ରମେଶ କହିଛନ୍ତି।

ସମ୍ବନ୍ଧିତ ଖବର