ମୁମ୍ବାଇ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ଙ୍କୁ କଂଗ୍ରେସ ଆକ୍ରମଣ ଜାରି ରଖିଛି। ଦଳ ପକ୍ଷରୁ ଆଜି ବୁଚ୍‌ଙ୍କ ବିରୋଧରେ ନୂଆ ଅଭିଯୋଗ ଅଣାଯାଇଛି। କଂଗ୍ରେସ ପ୍ରବକ୍ତା ପୱନ ଖେଡ଼ା ଅଭିଯୋଗ କରିଛନ୍ତି ଯେ ଶ୍ରୀମତୀ ବୁଚ୍‌ ତାଲିକାଭୁକ୍ତ କମ୍ପାନିର ସେୟାରରେ କାରବାର କରି ସେବିର ସ୍ବାର୍ଥ ଉଲ୍ଲଂଘନ କରିଛନ୍ତି। ସେବିର କାର୍ଯ୍ୟକାଳ ସମୟରେ ସେ ୩୬.୯ କୋଟି ଟଙ୍କାର ସେୟାର କାରବାର କରିଛନ୍ତି। ୨୦୧୭ରୁ ୨୦୨୩ ମଧ୍ୟରେ ‌ଏହା ହୋଇଛି। ଏଥିରୁ ୧୯.୫୪ କୋଟି ଟଙ୍କାର କାରବାର ୨୦୧୮-୧୯ରେ ହୋଇଛି।

Advertisment

ବୁଚ୍‌ ୪ଟି ବିଦେଶୀ ପାଣ୍ଠିରେ ନିବେଶ  କରିଛନ୍ତି। ସେଥିରେ   ଗ୍ଲୋବାଲ ଏକ୍ସ ଏମ୍‌ଏସ୍‌ସିଆଇ ଚୀନ କଞ୍ଜ୍ୟୁମର ଆଣ୍ଡ୍‌ ଇନଭେସକୋ ଚୀନ ଟେକ୍ନୋଲୋଜି ଇଟିଏଫ୍‌ ରହିଥିଲା। କଂଗ୍ରେସ ଏହା ଅଭିଯୋଗ କରିଛି ଯେ ବୁଚ୍‌ ଯେତେବେଳେ ତାଙ୍କର ବିଦେଶୀ ସଂପତ୍ତି ସଂପର୍କରେ ଘୋଷଣା କରିଥିଲେ ସେତେବେଳେ କେଉଁ ସରକାରୀ ଏଜେନ୍ସିକୁ ଏହି ନିବେଶ ସଂପର୍କରେ ସୂଚନା ଦେଇଥିଲେ। ଦେଶ ବାହାରେ ବୁଚ୍‌ ନିବେଶ କରିଥିବା ସଂପର୍କରେ ପ୍ରଧାନମନ୍ତ୍ରୀ ଅବଗତ ଥିଲେ କି? ଚୀନ ସହ ଭାରତର ସଂପର୍କ ଖରାପ ଥିବା ସମୟରେ ଏହି ଦେଶର କମ୍ପାନିରେ ବୁଚ୍‌ଙ୍କ ନିବେଶ ସଂପର୍କରେ ପ୍ରଧାନମନ୍ତ୍ରୀ ଜାଣିଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁୁ ମଧ୍ୟ ଅନେକ ପ୍ରସଙ୍ଗରେ ବୁଚ୍‌ଙ୍କୁ କଂଗ୍ରେସ ଘେରିଛି।

ଏନ୍‌ଏସ୍‌ଇକୁ କ୍ଲିନ୍‌ଚିଟ୍‌ ଦେଲା ସେବି
ମୁମ୍ବାଇ: କୋଲୋକେସନ ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଓ ଏହାର ୭ ଜଣ ପୂର୍ବତନ ଅଧିକାରୀଙ୍କୁ କ୍ଲିନଚିଟ୍‌ ପ୍ରଦାନ କରିଛି। ପ୍ରମାଣ ଅଭାବରୁ ଏନ୍‌ଏସ୍‌ଇ ଏବଂ ଏହାର ୭ ଜଣ ପୂର୍ବ ଅଧିକାରୀଙ୍କ ବିରୋଧରେ ମାମଲାକୁ ବନ୍ଦ କରିଦିଆଯାଇଛି।  ଏହି ମାମଲାରେ ଆଶ୍ବସ୍ତି ପାଇଥିବା ଅଧିକାରୀମାନେ ହେଲେ ଚିତ୍ରା ରାମକୃଷ୍ଣ, ରବି ନାରାୟଣ, ଆନନ୍ଦ ସୁବ୍ରମଣ୍ୟନ, ରବୀନ୍ଦ୍ର ଆପ୍‌ତେ, ଉମେଶ ଜୈନ, ମହେଶ ସୋପାରକର ଏବଂ ଦେବୀପ୍ରସାଦ ସିଂହ। ତେବେ ସେବି କହିଛି, କୋଲୋକେସନ ମାମଲାରେ କିଛି ତ୍ରୁଟି ରହିଥିଲା। କିନ୍ତୁ ଷ୍ଟକ ବ୍ରୋକର ଓପିଜି ସିକ୍ୟୁରିଟିଜ୍‌ ସହିତ ଏନ୍‌ଏସ୍‌ଇ ମିଳିମିଶି ଅନିୟମିତତା କରିବାର କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ। ଓପିଜି ସିକ୍ୟୁରିଟିଜ୍‌ ଏନ୍‌ଏସ୍‌ଇର ସେକେଣ୍ଡାରି ସର୍ଭର ପର୍ଯ୍ୟନ୍ତ ବେଆଇନ ‌ଉପାୟରେ ପହଞ୍ଚି ପାରିଥିଲା। ସେବି ସଦସ୍ୟ କମଲେଶ ବାର୍ଷ୍ଣେୟ ତାଙ୍କ ଆଦେଶରେ କହିଛନ୍ତି ଯେ କୋଲୋକେସନ ଅଭିଯୋଗକୁ ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ସାକ୍ଷ୍ୟ ମିଳି ପାରିନାହିଁ।