ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ଲାଗି କଂଗ୍ରେସ ନୂଆ ନୂଆ ଅଡ଼ୁଆ ସ୍ଥିତି ସୃଷ୍ଟି କରୁଛି। ଦ୍ବୈତ ସ୍ବାର୍ଥ ମାମଲାରେ ତାଙ୍କୁ ଛନ୍ଦିବାକୁ ଉଦ୍ୟମ କରୁଛି। ସେବି ଭଳି ଏକ ଗୁରୁତ୍ବପୂର୍ଣ୍ଣ ନିୟାମକ ସଂସ୍ଥାର ମୁଖ୍ୟ ପଦରେ ଥାଇ ସେ କିଭଳି ବିଭିନ୍ନ ସଂସ୍ଥାଠାରୁ ଆୟ କରୁଛନ୍ତି ତାହାର ଚିଠା କଂଗ୍ରେସ ଉପସ୍ଥାପନ କରିବାକୁ ଉଦ୍ୟମ କରୁଛି। ଆଇସିଆଇସିଆଇ ବ୍ୟାଙ୍କଠାରୁ ମାଧବୀ ଦରମା ପାଉଥିବା ନେଇ କଂଗ୍ରେସ କିଛି ଦିନ ତଳେ ଅଭିଯୋଗ କରିଥିଲା। ଏହାପରେ ୱକହାର୍ଡର ଏକ ସହାୟକ କମ୍ପାନିଠାରୁ ଭଡ଼ା ପାଉଥିବା ବିଷୟରେ ମଧ୍ୟ ତଥ୍ୟ ଉପସ୍ଥାପନ କରିଥିଲା।

Advertisment

ଏବେ କଂଗ୍ରେସ ନେତା ପୱନ ଖେରା ଅଭିଯୋଗ କରିଛନ୍ତି ଯେ ମାଧବୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, ଡକ୍ଟର ରେଡ୍ଡୀ, ପିଡିଲାଇଟ୍‌ ଭଳି କମ୍ପାନିରୁ ଆୟ କରୁଛନ୍ତି। ସେ ସ୍ଥାପନ କରିଥିବା କନ୍‌ସଲ୍‌ଟାନ୍ସି ସଂସ୍ଥା ଆଗୋରା ଜରିଆରେ ଫି’ ବାବଦକୁ ଏହି ଆୟ ହୋଇଛି। ୨୦୧୬-୧୭ରୁ ୨୦୨୩-୨୪ ଭିତରେ କନ୍‌ସଲ୍‌ଟାନ୍ସି ଫି’ ବାବଦକୁ ଆଗୋରା ୨.୯୫ କୋଟି ଟଙ୍କା ଆୟ କରିଥିବା ବେଳେ ସେଥିରୁ ୮୮ ପ୍ରତିଶତ ରାଶି ମହିନ୍ଦ୍ରା ଦେଇଥିବା କଂଗ୍ରେସ ଦାବି କରିଛି। ସେହି ସମୟରେ ମାଧବୀଙ୍କ ସ୍ବାମୀ ଧୱଲ ବୁଚ୍‌ ମହିନ୍ଦ୍ରା ପାଇଁ କାମ କରୁଥିଲେ ବୋଲି କଂଗ୍ରେସ ଅଭି‌ଯୋଗ କରିଛି। ମହିନ୍ଦ୍ରାରୁ ଧୱଲ ୪.୭୮ କୋଟି ଟଙ୍କାର ଦରମା ମଧ୍ୟ ପାଇଥିବା ଅଭିଯୋଗ ରହିଛି। କଂଗ୍ରେସର ଅଭିଯୋଗକୁ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଓ ପିିଡିଲାଇଟ୍‌ ପକ୍ଷରୁ ଖଣ୍ଡନ କରାଯାଇଛି।