ନୂଆଦିଲ୍ଲୀ : ନୂଆ ପିଢ଼ି ଓଲା ଓ ଉବର୍‌ରେ ଯାତ୍ରା କରିବାକୁ ପସନ୍ଦ କରୁଥିବାରୁ ଗାଡ଼ି ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ କଂଗ୍ରେସ ପ୍ରବକ୍ତା ଅଭିଶେକ ମନୁ ସାଂଘଭି ତୀବ୍ର ସମାଲୋଚନା କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି ଯେ, ବହୁତ ଭଲ। ଭୋଟରଙ୍କୁ ଦାୟୀ କର...ସମସ୍ତଙ୍କୁ ଦାୟୀ କର କିନ୍ତୁ ଅର୍ଥମନ୍ତ୍ରୀ ମହାଶୟା, ବିଜେପିର ଅର୍ଥନୀତି ପରିଚାଳନା। ‌ତେବେ ବସ୍ ଓ ଟ୍ରକ୍‌ ବିକ୍ରିରେ ଯେଉଁ ହ୍ରାସ ଘଟିଛି ତାହାକୁ ମଧ୍ୟ ନୂଆ ପିଢ଼ି କିଣିବା ବନ୍ଦ କରିଦେଇଛନ୍ତି। ଏହା କ’ଣ ଠିକ୍ ନୁହେଁ କି, ଅର୍ଥମନ୍ତ୍ରୀ ମହାଶୟା?

Advertisment

ଆଉ ଏକ ଟୁଇଟ୍‌ରେ ସେ ଲେଖିଲେ, ଯାହା ଭଲ ହେଉଛି‌ ସେସବୁ ଆମେ କରୁଛୁ (ମୋଦୀଙ୍କ ଅର୍ଥନୀତି)। ଯାହା କିଛି ଖରାପ ହେଉଛି, ତାହାକୁ ଅନ୍ୟ ଜଣେ କରିଛନ୍ତି (ନିର୍ମଳାଙ୍କ ଅର୍ଥନୀତି)। ତେବେ, ଲୋକମାନେ କାହିଁକି ଆପଣଙ୍କୁ ନିର୍ବାଚିତ କରିଛନ୍ତି? (ଲୋକଙ୍କ ଅର୍ଥନୀତି)।

ଟ୍ବିଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଗାମୀ ସଂଖ୍ୟା ୫ କୋଟିରୁ ଅଧିକ ହେବା ଉପରେ ମଧ୍ୟ ସାଂଘଭି କଟାକ୍ଷ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ‘ମୋଦୀଜୀଙ୍କ ଟ୍ବିଟର ଅନୁଗାମୀ ସଂଖ୍ୟା ୫୦ ନିୟୁତ ଟପିଲା। ଅର୍ଥନୀତି ୫ ଟ୍ରିଲିଅନ ଟପିବ, କିନ୍ତୁ କିଭଳି? ଯୁବପିଢ଼ିଙ୍କୁ ନିଯୁକ୍ତି ମିଳୁନି, ସେଥିପାଇଁ ଆପଣ ବିରୋଧୀ ଦଳଙ୍କୁ ଦାୟୀ କରିବେ। କହିବେ ଓଲା, ଉବର ସବୁ କିଛି ଧ୍ବଂସ କରିଦେଲେ।

ତେବେ, ନିର୍ମଳାଙ୍କ ମନ୍ତବ୍ୟ ବିଷୟରେ ଆଜି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ବ୍ୟାଖ୍ୟା କରାଯାଇଛି। ହୋଣ୍ଡାର ଆକ୍ଟିଭା ୧୨୫ ବିଏସ୍‌-୬ ଉନ୍ମୋଚନ ଅବସରରେ ସେ କହିଲେ, ଗାଡ଼ି ବଜାର ସଙ୍କଟ ପାଇଁ ଅନେକ କାରଣ ଦାୟୀ। ଇ-ରିକ୍ସା ପରିମାଣ ବଢ଼ିବା ପରେ ସାଧାରଣ ଅଟୋ ରିକ୍ସା ବିକ୍ରି କମିଛି। ଏହା ବ୍ୟତୀତ ସାଧାରଣ ପରିବହନ ବ୍ୟବସ୍ଥାରେ ଉନ୍ନତି ଗାଡ଼ି ବଜାର ମାନ୍ଦାବସ୍ଥାର ଅନ୍ୟତମ କାରଣ ହୋଇପାରେ। ଏଭଳି ବହୁତ କାରଣ ରହିଛି। ସେଥି ମଧ୍ୟରୁ ଓଲା ଓ ଉବର୍‌ ହେଉଛି ଆଉ ଏକ କାରଣ ବୋଲି ସେ କହିଛନ୍ତି।

ସେହିପରି, ଗାଡ଼ି ବଜାର ସଙ୍କଟ ଉପରେ ବଜାଜ ଅଟୋର ଏମ୍‌ଡି ରାଜୀବ ବଜାଜ ‌ରୋଚକ ମନ୍ତବ୍ୟ ଦେଇଛନ୍ତି। ସେ କହିଲେ, ଗାଡ଼ି ବଜାର ସଙ୍କଟ ପାଇଁ ଗାଡ଼ି କଂପାନିଗୁଡ଼ିକ ନିଜେ ଦାୟୀ। ସେମାନେ ବହୁତ ଅଧିକ ଗାଡ଼ି ଉତ୍ପାଦନ କରିଛନ୍ତି। ପ୍ରତି ଶିଳ୍ପରେ ଉତ୍‌ଥାନ ଓ ପତନ ରହିଛି। ‌ଶିଳ୍ପରେ ସୁଧାର ଆସିବା ଲାଗି ବର୍ଷେ ଦୁଇ ବର୍ଷ କିମ୍ବା ଅଧିକ ସମୟ ଲାଗିପାରିବେ। ଏହି ସଙ୍କଟ କେତେ ଦିନ ଜାରି ରହିବ କେହି ଜାଣନ୍ତି ନାହିଁ। ମାତ୍ର ଏଥିପାଇଁ ଜିଏସ୍‌ଟି କମାଇବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।