ଶିଳ୍ପା‌ଞ୍ଚଳରେ ଶ୍ରମିକଙ୍କ ପାଇଁ ହଷ୍ଟେଲ ନିର୍ମାଣ

୧୨ଟି ଶିଳ୍ପାଞ୍ଚଳରେ ନିର୍ମାଣ ହେବ, ଇଡ୍‌କୋକୁ ନିର୍ମାଣ ଦାୟିତ୍ବ

ଚନ୍ଦ୍ରଶେଖରପୁର : ରାଜ୍ୟରେ ଥିବା ଶିଳ୍ପାଞ୍ଚଳଗୁଡ଼ିକରେ କାମ କରୁଥିବା ଲୋକମାନଙ୍କ ରହଣୀ ପାଇଁ ରାଜ୍ୟ ସରକାର ହଷ୍ଟେଲ ନିର୍ମାଣ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ଇଡ୍‌କୋ ପକ୍ଷରୁ ରାଜ୍ୟର ୧୨ଟି ଶିଳ୍ପାଞ୍ଚଳରେ ଶ୍ରମିକ ହଷ୍ଟେଲ ତିଆରି କରାଯିବ। ଆଗାମୀ ଦିନରେ ଅନ୍ୟ ଶିଳ୍ପାଞ୍ଚଳଗୁଡ଼ିକରେ ମଧ୍ୟ ଏଭଳି ହଷ୍ଟେଲ ନିର୍ମାଣ କରିବା ଯୋଜନା ରହିଛି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି। ସେ କହିଲେ, ପାରାଦ୍ବୀପ, ଯାଜପୁର, ଖୋର୍ଦ୍ଧା, କଳିଙ୍ଗନଗର, କଟକ, ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ଝାରସୁଗୁଡ଼ା ଆଦି ଶିଳ୍ପାଞ୍ଚଳରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ ଏଭଳି ହଷ୍ଟେଲ୍ ତିଆରି କରିବା ପାଇଁ ଦାବି କରିଛନ୍ତି। ଆଗାମୀ ଦିନରେ ସେହି ସବୁ ସ୍ଥାନରେ ହଷ୍ଟେଲ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇର ଦ୍ୱିତୀୟ ଇଷ୍ଟ ଇଣ୍ଡିଆ ସମିଟ୍ – ୨୦୨୨ ସମ୍ମିଳନୀରେ ଯୋଗ ଦେଇ ସେ ଏହା କହିଛନ୍ତି।

ଏହି ସମ୍ମିଳନୀରେ ରାଜ୍ୟ ଆଇଟି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ କହିଛନ୍ତି ଯେ ଭିତ୍ତିଭୂମି ବିକାଶ ସହ ସୂଚନା ପ୍ରଯୁକ୍ତିର ସମନ୍ବୟ ବେଶ ଗୁରୁତ୍ବପୂର୍ଣ୍ଣ। ପ୍ରକଳ୍ପ ଯୋଜନା ପ୍ରସ୍ତୁତ ହେବାଠାରୁ ଆଇଟିର ଉପଯୋଗ ହେଉଛି। ରାଜ୍ୟର ନୂଆ ଆଇଟି ନୀତିରେ ଥିବା ବିଭିନ୍ନ ପ୍ରକାର ସବ୍‌ସିଡି ବିଷୟରେ ସେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ନିବେଶକମାନଙ୍କ ଲାଗି ପୁଞ୍ଜି ବ୍ୟୟ ସବ୍‌ସିଡି, ବିଦ୍ୟୁତ ସବ୍‌ସିଡ୍‌, ସୁଧ ସବ୍‌ସିଡ୍‌, ଜମି ଏବଂ ଭଡ଼ା ସବ୍‌ସିଡ୍‌, ଆର୍‌ଆଣ୍ଡ୍‌ଡି ସହାୟତା ସବ୍‌ସିଡ୍‌ ଏବଂ ମାନବ ସମ୍ବଳ ବ୍ୟୟରେ ସବ୍‌ସିଡ୍‌ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଯେଉଁ ସଂସ୍ଥାଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ, ମେସିନ୍ ଲର୍ଣ୍ଣିଂ, କ୍ଲାଉଡ୍ କମ୍ପ୍ୟୁଟିଂ ଓ ଆନାଲିଟିକ୍ସ ଉପରେ କାମ କରିବେ ସେମାନଙ୍କୁ ଅତିରିକ୍ତ ସବ୍‌ସିଡି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ କହିଛନ୍ତି ଯେ ଦେଶର ତିନି ପ୍ରମୁଖ ବ୍ୟବସାୟ କେନ୍ଦ୍ର ମଧ୍ୟରୁ ଭୁବନେଶ୍ବର ଅନ୍ୟତମ। ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ଶଶି ଶେଖର ବେହେରା ଓ ସିଆଇଆଇ ନର୍ଥ ଓଡ଼ିଶା ଜୋନାଲ ପରିଷଦର ଅଧ୍ୟକ୍ଷ ନିତୀନ କାଲେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର