ଅର୍ଥନୀତିକୁ ନେଇ ଗ୍ରାହକ ଆଶାବାଦୀ, କାମାଥଙ୍କ ନେତୃତ୍ବରେ ବିଶେଷଜ୍ଞ କମିଟି ଗଠନ

୧୩ଟି ସହରର ଲୋକଙ୍କୁ ନେଇ ରିଜର୍ଭ ବ୍ୟାଙ୍କ କରିଛି ସର୍ଭେ

ମୁମ୍ବାଇ: କରୋନା ମହାମାରୀ ଦ୍ବାରା ଅର୍ଥନୀତି ସାଂଘାତିକ ମାତ୍ରାରେ ପ୍ରଭାବିତ ହୋଇଛି‌। ଲୋକମାନେ ସେମାନଙ୍କ ଜୀବିକା ହରାଇଛନ୍ତି। ଏହାସତ୍ତ୍ବେ ଭାରତୀୟ ଅର୍ଥନୀତିର ଭବିଷ୍ୟତ ଶକ୍ତି ଉପରେ ଲୋକଙ୍କ ବିଶ୍ବାସ ଯଥେଷ୍ଟ ମାତ୍ରାରେ ରହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହି ବିଷୟ ଜଣାଯାଇଛି। ରିଜର୍ଭ ବ୍ୟାଙ୍କର ସର୍ଭେରୁ ଜଣାଯାଇଛି ଚଳିତ ଆର୍ଥିକ ବର୍ଷ ପାଇଁ ଗ୍ରାହକଙ୍କ ବିଶ୍ବାସ ଅର୍ଥନୀତି ଉପରେ କମ୍ ରହିଛି। ଗ୍ରାହକ ବିଶ୍ବାସ ସୂଚୀ ଚଳିତବର୍ଷ ୫୩.୮ ପଏଣ୍ଟ ଥିବାବେଳେ ଆସନ୍ତାବର୍ଷ ଏହା ୧୦୫.୪ ପଏଣ୍ଟକୁ ବୃଦ୍ଧି ପାଇବ। ଦେଶର ପ୍ରମୁଖ ୧୩ଟି ସହରର ୫୩୪୨ ପରିବାରକୁ ନେଇ ରିଜର୍ଭ ବ୍ୟାଙ୍କ କରିଥିବା ସର୍ଭେରୁ ଏହା ଜଣାଯାଇଛି। କିନ୍ତୁ ଚଳିତବର୍ଷ ପାଇଁ ଗ୍ରାହକଙ୍କ ବିଶ୍ବାସ ସୂଚୀ ଯେଉଁ ୫୩.୮ ପଏଣ୍ଟରେ ରହିଛି ତାହା ସର୍ବକାଳୀନ କମ୍ ବୋଲି ଜଣାଯାଇଛି। କିନ୍ତୁ ଆଗାମୀ ବର୍ଷ ପାଇଁ ଏହି ସୂଚୀରେ ଉନ୍ନତି ଆସିବ ବୋଲି ସର୍ଭେରେ କୁହାଯାଇଥିବାରୁ ଆସନ୍ତାବର୍ଷ ଅର୍ଥନୀତିରେ ସୁଧାର ଆସିବା ଆଶା କରାଯାଉଛି।

କରୋନା ମହାମାରୀ ପାଇଁ ଅର୍ଥନୀତିରେ ଦେଖାଦେଇଥିବା ପ୍ରତିକୂଳ ପରିସ୍ଥିତି ଯୋଗୁ ଗ୍ରାହକଙ୍କ ବିଶ୍ବାସ ହ୍ରାସ ପାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କୋଟି କୋଟି ଲୋକ ଚାକିରି ହରାଇଛନ୍ତି। କର୍ମଚାରୀଙ୍କ ଦରମା କାଟ ହୋଇଛି। କିନ୍ତୁ ଧୀରେ ‌ଧୀରେ ଲୋକମାନେ ଅର୍ଥନୀତିକୁ ନେଇ ଆଶାବାଦୀ ହେଉଛନ୍ତି। ଲକଡାଉନ୍‌ ଜନିତ କଟକଣା କୋହଳ ହେବା ସହିତ ଅର୍ଥନୀତି ଖୋଲାଯିବା ଦ୍ବାରା ଲୋକଙ୍କ ଆଶା ଉଜ୍ଜୀବିତ ହୋଇଛି। ଅର୍ଥନୀତିର ପ୍ରମୁଖ ମାନଦଣ୍ଡ ଯଥା ନିଯୁକ୍ତି, ଆୟ ଏବଂ ଖର୍ଚ୍ଚ ଆଦିରେ ଆସନ୍ତାବର୍ଷ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ସର୍ଭେରୁ ଜଣାଯାଇଛି। ତେବେ ଲୋକଙ୍କ ସମୁଦାୟ ‌ବ୍ୟୟ ଯଦିଓ ବଢ଼ିଛି ତଥାପି ସେମାନଙ୍କ ଅନାବଶ୍ୟକ ବ୍ୟୟ ହ୍ରାସ ଘଟିଛି । ଏପରିକି ଆସନ୍ତା ବର୍ଷ ମଧ୍ୟ ଲୋକମାନେ ସେମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବଢ଼ାଇବାର ଯୋଜନା ରଖିନାହାନ୍ତି। କିନ୍ତୁ ଚାହିଦାରେ ବୃଦ୍ଧି ଘଟିବ ବୋଲି ସର୍ଭେରେ କୁହାଯାଇଛି।

୮୦୨ଟି କମ୍ପାନିକୁ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ମଧ୍ୟ ଜଣାଯାଇଛି ଯେ, ଦ୍ବିତୀୟ ତ୍ରୟମାସରେ ଦେଶରେ ଉତ୍ପାଦନ ଏବଂ କ୍ରୟ ଆଦେଶରେ ଉନ୍ନତି ଆସିବ। କିନ୍ତୁ ନିଯୁକ୍ତି ଏବଂ ବାହ୍ୟ ଚାହିଦା ଜନିତ ମନୋଭାବ ସେତେଟା ଭଲ ନାହିଁ। ସେହିଭଳି ଲାଭ ମଧ୍ୟ ଭଲ ହୋଇ ନପାରେ। କିନ୍ତୁ ସାମଗ୍ରିକ ଅର୍ଥନୈତିକ ଦୃଶ୍ୟପଟରେ ଉନ୍ନତି ଆସିବ ବୋଲି ସର୍ଭେରୁ ଜଣାଯାଇଛି। ତେବେ କେୟାର ରେଟିଂସ ଲିମିଟେଡର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାବିସ୍ କହିଛନ୍ତି, ଚଳିତବର୍ଷ ଚାହିଦାରେ ସୁଧାର ଆସିବା ସମ୍ଭାବନା କମ୍ ରହିଛି। ଭଲ ଫସଲ ଅମଳ ହେଲେ ଗ୍ରାମୀଣ ଅର୍ଥନୀତିରେ ସୁଧାର ଆସିବ ବୋଲି ଯାହା କୁହାଯାଉଛି ସେ ନେଇ ଆଶା କ୍ଷୀଣ। କାରଣ ସର୍ବନିମ୍ନ ସହାୟକ ମୂଲ୍ୟରେ ସେତେଟା ବୃଦ୍ଧି ଘଟିନାହିଁ। ଯଦି ଖରିଫ ଫସଲ ଭଲ ହୁଏ ତା’ହେଲେ ଦରଦାମ କମିବ। ତେଣୁ କୃଷକମାନଙ୍କ ଆୟ ବଢ଼ି ନପାରେ। ଅଧିକ ଲୋକ ଗାଁକୁ ଫେରି କୃଷିରେ ନିଯୁକ୍ତ ହୋଇଥିବାରୁ ସେମାନଙ୍କ ମୁଣ୍ଡପିଛା ଆୟ କମିବ। ତେଣୁ , ଏପ୍ରକାର ଅନିଶ୍ଚିତ ପରିବେଶରେ ଲୋକମାନେ ଖର୍ଚ୍ଚ କରିବାକୁ ଆଗଭର ହେବେ ନାହିଁ ବୋଲି‌ ସଦନାବିସ୍‌ କହିଛନ୍ତି।

ଗ୍ରାହକ ବିଶ୍ବାସ ସୂଚୀ ଏବେ ୫୩.୮ ପଏଣ୍ଟ ଥିବାବେଳେ ଆସନ୍ତାବର୍ଷ ୧୦୫.୪ ପଏଣ୍ଟ ରହିବ

ମୁମ୍ବାଇ: ଅଭିଜ୍ଞ ବ୍ୟାଙ୍କର କେ ଭି କାମାଥଙ୍କ ନେତୃତ୍ବରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି। କରୋନା ମହାମାରୀ ପାଇଁ ଅର୍ଥନୀତିରେ ସୃଷ୍ଟିହୋଇଥିବା ଚାପଗ୍ରସ୍ତ ସମ୍ପତ୍ତିର ପରିଚାଳନା କିଭଳି କରାଯିବ ତାହାର ଅନୁଧ୍ୟାନ ଓ ସୁପାରିସ ଏହି କମିଟି କରିବ। କମିଟି ଏହାର ସୁପାରିସକୁ ରିଜର୍ଭ ବ୍ୟାଙ୍କ ନିକଟରେ ଦାଖଲ କରିବ। ଆବଶ୍ୟକ ପଡ଼ିଲେ ରିଜର୍ଭ ବ୍ୟାଙ୍କ ଏଥିରେ ସଂଶୋଧନ ଆଣି ୩୦ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବ। ଉକ୍ତ କମିଟିର ଅନ୍ୟ ସଦସ୍ୟମାନେ ହେଲେ ଏଡିବିର ଉପସଭାପତି ଦିବାକର ଗୁପ୍ତା, କାନାରା ବ୍ୟାଙ୍କର ଅଧ୍ୟକ୍ଷ ଟି ଏନ ମୋହନନ, ଷ୍ଟ୍ରାଟେଜି ଉପଦେଷ୍ଟା ଅଶ୍ବିନୀ ପାରେଖ ଏବଂ ଆଇବିଏର ସିଇଓ ସୁନିଲ ମେହେଟ୍ଟା ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର