ନୂଆଦିଲ୍ଲୀ: ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ତଥା ପୁରୁଷ ପ୍ରାଧାନ୍ୟ ଆର୍ଥିକ ଜଗତରେ ନିଜ ଦକ୍ଷତା ଓ ପରିଶ୍ରମ ବଳରେ କିଛି ହାତଗଣତି ମହିଳା ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ମହିଳା ଖୁବ୍‌ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ପରବର୍ତ୍ତୀ ସମୟରେ ବିବାଦୀୟ ମଧ୍ୟ ହୋଇପଡ଼ିଥିଲେ। ବର୍ତ୍ତମାନ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ ସେଭଳି ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ିଛନ୍ତି। କିନ୍ତୁ ଜୀବନରେ ଏଭଳି ସମସ୍ୟା ସାମ୍ନା କରିଥିବା ସେ ଏକମାତ୍ର ମହିଳା ନୁହନ୍ତି। ବିବାଦୀୟ ହୋଇପଡ଼ିଥିବା ମହିଳା ଲିଡର୍‌ଙ୍କ ତାଲିକା ବେଶ୍ ଲମ୍ବା।

Advertisment

ମାଧବୀ ପୁରୀ ବୁଚ୍‌
ସେବି ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ମାଧବୀ ପୁରୀ ବୁଚ୍‌ ଓ ତାଙ୍କ ସ୍ବାମୀ ଧବଲ୍ ବୁଚ୍‌ଙ୍କ ବିରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଙ୍ଗିନ ଅଭି‌ଯୋଗ ଆଣିଛି। ବୁଚ୍‌ ଦମ୍ପତି ଯେଉଁ ଫଣ୍ଡ୍‌ରେ ନିବେଶ କରିଥିଲେ ସେହି ଟଙ୍କା ଶିଳ୍ପପତି ଗୌତମ ଆଦାନିଙ୍କ କମ୍ପାନି ଆଦାନି ଗ୍ରୁପ୍‌ରେ ନିବେଶ ହୋଇଥିବା ହିଣ୍ଡେନ୍‌ବର୍ଗ ଅଭିଯୋଗ କରିଛି। ବର୍ତ୍ତମାନ ଏହି ଘଟଣା ଦେଶରେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

ଚିତ୍ରା ରାମକ୍ରିଷ୍ଣ
ହିମାଳୟର ଜଣେ ବାବାଙ୍କ ପରାମର୍ଶରେ ଷ୍ଟକ୍ ବଜାର ଚଲାଇବା ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିବା କହି ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ପୂର୍ବତନ ଏମ୍‌ଡି ଓ ସିଇଓ ଚିତ୍ରା ରାମକ୍ରିଷ୍ଣ ବିବାଦୀୟ ହୋଇପଡ଼ିଥିଲେ। ଏକ ତଦନ୍ତ ବେଳେ ସେ ‌ତାହା କହିଥିଲେ। ୨୦୧୩ରୁ ୧୦୨୬ ପର୍ଯ୍ୟନ୍ତ ସେ ଏନ୍ଏସ୍‌ଇର ସିଇଓ ଥିଲେ। ଅଧିକ ତଦନ୍ତରୁ ତାହା ଏକ ବଡ଼ ଷଡ଼୍‌ଯନ୍ତ୍ର ଥିବା ଜଣାପଡ଼ିଥିଲା। ଯେଉଁ ହିମାଳୟ ଯୋଗୀଙ୍କ କଥା ଚିତ୍ରା କହୁଥିଲେ ସେଭଳି କୌଣସି ଲୋକ ହିଁ ନଥିଲେ। ଏନ୍‌ଏସ୍‌ଇରେ ସେ ନିଯୁକ୍ତ କରିଥିବା ଆନନ୍ଦ ସୁବ୍ରମଣ୍ୟମ ସେହି ଲୋକ ଥିଲେ ବୋଲି ଜଣାପଡ଼ିଥିଲା।

ଚନ୍ଦା କୋଚ୍ଚର
ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚର ଭିଡିଓକନ୍ ଋଣ ମାମଲାରେ ବିବାଦୀୟ ହୋଇପଡ଼ିଥିଲେ। ଏହି ଋଣ କାରବାରରେ କିକ୍‌ବ୍ୟାକ୍ ଅଭିଯୋଗ ହୋଇଥିଲା। ସିବିଆଇ ମାମଲାର ତଦନ୍ତ କରିବା ସହ ଚନ୍ଦା ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ଗିରଫ କରିଥିଲା। ଅଭିଯୋଗ ରହିଛି ଯେ ଦୀପକଙ୍କ କମ୍ପାନିରେ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ନିବେଶ କରିବାର ପ୍ରତିଶ୍ରୁତି ଦେବା ପରେ ଭିଡିଓକନ୍‌ ମୁଖ୍ୟ ବେଣୁଗୋପାଳ ଧୁତ୍‌ଙ୍କୁ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ମିଳିଥିଲା।
ଶିଖା ଶର୍ମା
୨୦୦୯ରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଭାବେ କାର୍ଯ୍ୟ କରୁଥିବା ଶିଖା ଶର୍ମାଙ୍କ କାର୍ଯ୍ୟକାଳକୁ ଚତୁର୍ଥ ଥର ବଢ଼ାଇବା ଲାଗି ବ୍ୟାଙ୍କ କରିଥିବା ଆବେଦନକୁ ରିଜର୍ଭ ବ୍ୟାଙ୍କ ଫେରାଇ ଦେଇଥିଲେ। ସେହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବ୍ୟାଙ୍କକୁ କୁହାଯାଇଥିଲା। ବ୍ୟାଙ୍କର ଏନ୍‌ପିଏ ତଥ୍ୟର ପ୍ରକୃତ ଚିତ୍ର ଉପସ୍ଥାପନ କରାଯାଉନଥିବା ନେଇ ଅଭିଯୋଗ ରହିଥିଲା।

ଉଷା ଅନନ୍ତସୁବ୍ରମଣ୍ୟମ
ହୀରା ବ୍ୟବସାୟୀ ନିରବ ମୋଦୀ ଓ ମେହୁଲ ଚୋକ୍‌ସି ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରେ ଯେଉଁ ୧୪ ହଜାର କୋଟି ଟଙ୍କାର ଠକେଇ କରିଥିଲେ ସେଥିରେ ବ୍ୟାଙ୍କର ସିଇଓ ଉଷା ଅନନ୍ତସୁବ୍ରମଣ୍ୟମଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ଏହାର ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିଲା। ଆହ୍ଲାବାଦ ବ୍ୟାଙ୍କର ମୁଖ୍ୟ ଭାବେ ତାଙ୍କ କ୍ଷମତା କାଢ଼ି ନିଆଯାଇଥିଲା।