ଟିକା ଦାମ୍‌ର ତାରତମ୍ୟକୁ ନେଇ ବିବାଦ

‘ଗୋଟିଏ ଦେଶ, ଗୋଟିଏ ମୂଲ୍ୟ’ ପାଇଁ ଦାବି, କେନ୍ଦ୍ର ଉପରେ ବର୍ଷିଲେ ସୋନିଆ, ମମତା, ୟେଚୁରୀ

ନୂଆଦିଲ୍ଲୀ : କରୋନା ଟିକା ନିର୍ମାତାଙ୍କ ତରଫରୁ ଟିକାର ମୂଲ୍ୟ ଘୋଷଣା କରାଯିବା ପରେ ତାହାକୁ ନେଇ ବଡ଼ ଧରଣର ବିବାଦ ଦେଖାଦେଇଛି। ଟିକା ମୂଲ୍ୟ ନୀତିରେ ପାତରଅନ୍ତର ନୀତି ଅବଲମ୍ବନ କରାଯାଇଛି ବୋଲି ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ସରକାରଙ୍କ ନୀତି ପାଇଁ ଦେଶରେ ଟିକାର ମୂଲ୍ୟ ଭିନ୍ନ ଭିନ୍ନ ପ୍ରକାରର ରହିଛି। ଏହା ରାଜ୍ୟ ବିରୋଧୀ, ଦଳ ବିରୋଧୀ, ସମାନତାର ବିରୋଧୀ ଓ ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ‌ସେମାନେ ଅଭିଯୋଗ କରିଛନ୍ତି।

କଂଗ୍ରେସ ସଭାପତି ସୋନିଆ ଗାନ୍ଧି ‌ଏନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗୋଟିଏ ଟିକା କିଭଳି ତିନି ପ୍ରକାର ମୂଲ୍ୟରେ ବିକ୍ରି କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଲୋକଙ୍କ ଦୁର୍ଦ୍ଦଶାରୁ ଲାଭ ଉଠାଇବା ପାଇଁ ଏଭଳି ନୀତିକୁ ସରକାର ଅନୁମତି ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତେଲେଙ୍ଗାନାର ବରିଷ୍ଠ ନେତା କେଟି ରାମା ରାଓ କହିଛନ୍ତି ଯେ ଆମେ ଗୋଟିଏ ଦେଶ, ଗୋଟିଏ ଟିକସ ପାଇଁ ରାଜି ହୋଇଛୁ। ମାତ୍ର ଏବେ କ’ଣ ଦେଖୁଛୁ, ଗୋଟିଏ ଦେଶ-ଟିକାର ଦୁଇ ପ୍ରକାର ମୂଲ୍ୟ? ସରକାର କ’ଣ ପିଏମ୍‌ କେୟାର୍ସ ପାଣ୍ଠିରୁ କିଛି ବାହାର କରିପାରିବେ ନାହଁ ଓ ସାରା ଦେଶରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିପାରିବେ ନାହିଁ କି ‌ବୋଲି ସେ ପ୍ରଶ୍ନ କରିଛନ୍ତି। କଂ‌େଗ୍ରସର ବରିଷ୍ଠ ନେତା ରାହୁଲ ଗାନ୍ଧି କହିଛନ୍ତି ‌ଯେ ଟିକାକୁ ନେଇ ଏହା ପାତରଅନ୍ତର କରିବା ଭଳି। ସେ ଟୁଇଟ୍‌ କରି ଲେଖିଛନ୍ତି ‌ଯେ ଦେଶ ପାଇଁ ବିପର୍ଯ୍ୟୟ, ମୋଦୀଙ୍କ ବନ୍ଧୁମାନଙ୍କ ପାଇଁ ସୁଯୋଗ ଓ କେନ୍ଦ୍ର ସରକାରଙ୍କ ତରଫରୁ ଅନ୍ୟାୟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟିକା ମୂଲ୍ୟରେ ରହିଥିବା ପାତରଅନ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସିରମ୍ ଇନଷ୍ଟିଚ୍ୟୁଟ୍‌ ତରଫରୁ କୋଭିସିଲ୍ଡର ନୂଆ ମୂଲ୍ୟ ଘୋଷଣା କରାଯିବା ପରେ ମମତା କହିଛନ୍ତି ଯେ ଟିକା ମୂଲ୍ୟରେ ରାଜ୍ୟ ଓ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ଲାଗି ଯେଉଁ ପାତରଅନ୍ତର ନୀତି ଅବଲମ୍ବନ କରାଯାଇଛି ତାହାକୁ ନେଇ ମୁଁ କେନ୍ଦ୍ରକୁ ଏକ ଚିଠି ଲେଖିବି। ଟିକା ମୂଲ୍ୟରେ କାହିଁକି ଏଭଳି ଅସମାନତା? ଏହା କ’ଣ ‌ବେପାର କରିବାର ସମୟ? ଲୋକମାନେ କୋଭିଡ୍‌ ସଂକ୍ରମଣକୁ ସାମ୍ନା କରୁଥିବାରୁ ଏହା ହେଉଛି ଲୋକମାନଙ୍କ ଜୀବନ ବଂଚାଇବାର ସମୟ ବୋଲି ସେ କହିଛନ୍ତି। ଟିକା ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପରେ ସଂକ୍ରମଣରେ ହୋଇଥିବା ବୃଦ୍ଧି ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି। ଏହା ମୋଦୀଙ୍କ ଦ୍ବାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ବୋଲି ସେ କହିଛନ୍ତି।

ସର୍ବଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଅଜୟ ମାକେନ ବିବୃତି ଜାରି କରି ଜଣାଇଛନ୍ତି ‌ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ପାର୍ଟି ଚାହୁଛି ଗୋଟିଏ ଦେଶ, ଟିକାର ଗୋଟିଏ ଦାମ୍। ଯଦି କେନ୍ଦ୍ର ସରକାର ଡୋଜ୍ ପିଛା ୧୫୦ ଟଙ୍କାରେ ଟିକା କିଣୁଛନ୍ତି, ତେବେ ରାଜ୍ୟ ଓ ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ମଧ୍ୟ ସେହି ଦାମ୍‌ରେ ଟିକା ‌‌ଯୋଗାଇ ଦିଆଯାଉ। ଟିକା ଦାମକୁ ଯଥାକ୍ରମେ ୪୦୦ ଓ ୬୫୦ ଟଙ୍କା ନକରି ଏକ ସମାନ ମୂଲ୍ୟରେ ସାରା ଦେଶରେ ଟିକା ‌‌ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। କେନ୍ଦ୍ରର ଟିକା ନୀତି ପାଇଁ ରାଜ୍ୟଗୁଡ଼ିକୁ ଅଯଥାରେ ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ। ଉଦାହରଣ ଦେଇ ସେ କହିଛନ୍ତି ଯେ ରାଜସ୍ଥାନ ଭଳି ରାଜ୍ୟରେ ପ୍ରାୟ ୮ କୋଟି ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଚାରି କୋଟି ଲୋକଙ୍କ ଟିକାକରଣ କରିବାକୁ ହେଲେ ଦୁଇ ଡୋଜ୍ ପାଇଁ ୩୨୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ସରକାରଙ୍କ ନୀତି ସଂଘୀୟ ବ୍ୟବସ୍ଥାର ବିରୋଧୀ। କେନ୍ଦ୍ର କୋଭିସିଲ୍ଡର ଡୋଜ୍ ପିଛା ୧୫୦ ଟଙ୍କା ଦେଉଥିବା ବେଳେ ରାଜ୍ୟଗୁଡ଼ିକ ଠାରୁ ଆଗକୁ ୪୦୦ ଟଙ୍କା ଆଦାୟ କରାଯିବ। ଏହା ରାଜ୍ୟଗୁଡ଼ିକ ପ୍ରତି ଆକ୍ରୋଶ ରଖିବା ଭଳି କାର୍ଯ୍ୟ ବୋଲି ସେ କହିଛନ୍ତି। ସିପିଏମ୍‌ର ବରିଷ୍ଠ ନେତା ସୀତାରାମ ୟେଚୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ନୀତି ଆଦୌଁ ଗ୍ରହଣୀୟ ନୁହେଁ। କେନ୍ଦ୍ର ଟିକା କିଣି ସମାନ ଭାବେ ରାଜ୍ୟଗୁଡ଼ିକ ମଧ୍ୟରେ ବଣ୍ଟନ କରୁ ବୋଲି ସେ ଦାବି କରିଛନ୍ତି। ପିଏମ୍‌ କେୟାର୍ସ ଫଣ୍ଡ୍‌ରେ ଯେଉଁ ପାଣ୍ଠି ଅଛି ତାହାକୁ ପ୍ରଧାନମନ୍ତ୍ରୀ ଏଥିପାଇଁ ବ୍ୟବହାର କରନ୍ତୁ ବୋଲି ସେ କହିଛନ୍ତି।

କର୍ମଚାରୀଙ୍କ ଟିକାକରଣ ଖର୍ଚ୍ଚ ସିଏସ୍‌ଆର୍‌ କି?
ନୂଆଦିଲ୍ଲୀ : କର୍ମଚାରୀମାନଙ୍କ ଟିକାକରଣ ବାବଦରେ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଯେଉଁ ଖର୍ଚ୍ଚ କରୁଛନ୍ତି ତାହାକୁ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ବର୍ଗରେ ସାମିଲ କରିପାରିବେ ନାହିଁ। ଏଥିପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାର ଅମଙ୍ଗ ହୋଇଥିବା ଜଣାପଡ଼ିଛି। ଯଦି କଂପାନିଗୁ୍ଡ଼ିକ ସମାଜର ଏକ ବଡ଼ ଭାଗର ଟିକାକରଣ ବାବଦରେ ଖର୍ଚ୍ଚ କରିବାକୁ ଆଗ୍ରହ ଦେଖାଇବେ ତାହାକୁ ସିଏସ୍‌ଆର୍‌ରେ ସାମିଲ କରିପାରିବେ। କର୍ମଚାରୀଙ୍କ ଟିକାକରଣ ଖର୍ଚ୍ଚ ବହନ କରିଲେ ତାହାକୁ କେବଳ କର୍ମଚାରୀଙ୍କ ସୁବିଧା ବାବଦ ଖର୍ଚ୍ଚ ଭାବେ ଦେଖାଇପାରିବେ। ତେବେ ଏହି ପ୍ରସ୍ତାବ ଏବେବି ସରକାରଙ୍କ ବିଚାରାଧୀନ ରହିଥିବା ଜଣାପଡ଼ିଛି। କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଲାଭର ଏକ ନିର୍ଦିଷ୍ଟ ଭାଗ ସିଏସ୍‌ଆର୍‌ କାର୍ଯ୍ୟକ୍ରମରେ ବ୍ୟୟ କରୁଛନ୍ତି। କେଉଁ ବ୍ୟୟକୁ ସେମାନେ ସିଏସ୍‌ଆର୍‌ ବୋଲି କହିପାରିବେ ତାହାର ସଂଜ୍ଞା ନିର୍ଧାରଣ କରାଯାଇଛି। ଯେହେତୁ କରୋନା ମହାମାରୀ ସମ୍ପୂର୍ଣ୍ଣ ରୂପେ ଏକ ନୂଆ ସମସ୍ୟା ତେଣୁ ଏବାବଦରେ କର୍ମଚାରୀଙ୍କ ଟିକାକରଣରେ ହେବାକୁ ଥିବା ଖର୍ଚ୍ଚକୁ ସିଏସ୍‌ଆର୍‌ ବର୍ଗରେ ସାମିଲ କରାଯିବ ନା ନାହିଁ ତାହା ବିତର୍କର ବିଷୟ ହୋଇରହିଛି। ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ କଂପାନିଗୁଡ଼ିକ ୨୦୧୫-୧୬ରେ ୧୪,୫୧୭ କୋଟି ଟଙ୍କା, ୨୦୧୬-୧୭‌େର ୧୪,୩୪୨ କୋଟି ଟଙ୍କା, ୨୦୧୭-୧୮ରେ ୧୩,୮୯୦ କୋଟି ଟଙ୍କା, ୨୦୧୮-୧୯ରେ ୧୮,୬୫୫ କୋଟି ଟଙ୍କା ଓ ୨୦୧୯-୨୦ରେ ୧୭,୮୮୫ କୋଟି ଟଙ୍କା ସିଏସ୍‌ଆର୍‌ କାର୍ଯ୍ୟକ୍ରମଗୁଡ଼ିକରେ ବ୍ୟୟ କରିଛନ୍ତି।

ସମ୍ବନ୍ଧିତ ଖବର